ବେଗୁନିଆପଡା : ବିକ୍ରି ନହେବାରୁ ଚାଷୀ ପୋତୁଛନ୍ତି ବାଇଗଣ

ବେଗୁନିଆପଡା : ଲକ୍‌ଡାଉନ ପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି l ବ୍ଲକ୍‌ର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକ୍‌ର କଞ୍ଚଣା ଓ ପୁସ୍ତପୁର ଗ୍ରାମର ଚାଷୀ ବାଇଗଣ ଚାଷ କରି ଭଲ ଦି ପଇସା ରୋଜଗାର କରୁଥିବା ବେଳେ ଏବେ ସେମାନଙ୍କ ରୋଜଗାର ଠପ୍‌ ହୋଇଯାଇଛି। ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରାପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରାଙ୍କ ବାଇଗଣ ବାଡ଼ରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ଲୋକ କେହି କିଣିବାକୁ ଆସୁନାହାନ୍ତି l ଫଳରେ ବାଇଗଣକୁ ଗାତ ଖୋଳି ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି l ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମୟରେ ବାଇଗଣ ବସ୍ତା ପ୍ରତି ୧୫୦୦ ଟଙ୍କା ଦରରେ ବିକ୍ରି ହେବାକୁ ଥିବା ବେଳେ ବର୍ତ୍ତମ‌ାନ ପରିସ୍ଥିତିରେ ବସ୍ତା ୬୦ରୁ ୧୦୦ଟଙ୍କା ବା ଅତି ବେଶିରେ ୧୨୦ଟଙ୍କା ଦରରେ ବିକ୍ରି କଲେ ବି ଗ୍ରାହକ ଆସୁନାହାନ୍ତି। କଞ୍ଚାଣା ଓ ପୁସ୍ତପୁର ଚାଷୀ ମଧ୍ୟ ଅବସାଦରେ ଦିନ କାଟୁଛନ୍ତି।

ପୂର୍ବରୁ ପ୍ରତିଦିନ କୋଦଳାରୁ କଞ୍ଚାଣା ରାସ୍ତା ପାର୍ଶ୍ଵରେ ପରିବା ହା‌ଟ ଭଳି ଗ୍ରାହକଙ୍କ ଭିଡ଼ ଲାଗୁଥିଲା। ଏବେ ସେହି ସ୍ଥାନ ଶୂନ୍‌ଶାନ୍‌। କେବଳ ଚାଷୀ ପରିବା ଧରି ସନ୍ଧ୍ୟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଚାହିଁ ରହିବା ପରେ ବଳକା ପରିବା ଘରକୁ ଆଣିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ବ୍ଲକ୍‌ରେ ଏକ ହଜାର ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ ୫ଶହ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବା ବେଳେ ବର୍ତ୍ତମାନ ପରିବା ବିକ୍ରି ହେଉ ନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କରୋନା ଭୂତାଣୁ ଲୋକଙ୍କ ଜୀବନ ସହିତ ଯୁଦ୍ଧ କରୁଥିବା ବେଳେ ଚାଷୀଙ୍କ ଜୀବିକା ଉପରେ ମଧ୍ୟ କୋପ ଦୃଷ୍ଟି ପକାଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର