ମିଳୁନି ଗୋ-ଖାଦ୍ୟ : ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଚଡ଼କ

ଉତ୍ପାଦନ ବାଧାପ୍ରାପ୍ତ, ଯୋଗାଣ ହେଉନି, ଦର ବଢ଼େଇ ଦେଲେଣି ବ୍ୟବସାୟୀ

ଭୁବନେଶ୍ୱର : ଲକ୍‌ଡାଉନ ଦ୍ୱାରା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି ଦୁଗ୍ଧ ଚାଷୀ। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟନ କ୍ଷୀର ଉତ୍ପାଦନ ହେଉଥିଲେ ମଧ୍ୟ ତାହାକୁ ସଂଗ୍ରହ କରାଯାଇ ପାରୁନି। ଏପଟେ ଏବେ ରାଜ୍ୟରେ ଗୋ-ଖାଦ୍ୟର ଅଭାବ ପରିଲକ୍ଷିତ ହୋଇଛି। ରାଜ୍ୟରେ ଆବଶ୍ୟକୀୟ ଗୋ-ଖାଦ୍ୟ ଉତ୍ପାଦନ ହେଉ ନ ଥିବାରୁ ବାହାର ରାଜ୍ୟ ଉପରେ କିଛି ପରିମାଣରେ ନିର୍ଭର କରିବାକୁ ପଡ଼େ। ତେବେ ଲକ୍‌ଡାଉନ ଫଳରେ ସବୁ କିଛି ବିଗିଡ଼ି ଯାଇଛି। ଓଡ଼ିଶାରେ ଥିବା ଫାର୍ମଗୁଡିକରୁ ଗୋ-ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ବାହାର ରାଜ୍ୟରୁ ଆମଦାନୀ ବି କମିଯାଇଛି। ପରିଣାମ ସ୍ୱରୂପ ଗୋ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି।

ଉପକୂଳ ଓଡ଼ିଶାରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଏଭଳି ସମସ୍ୟା। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ଵର, ଖୋର୍ଦ୍ଧା, ମୟୂରଭଞ୍ଜ, ବଲାଙ୍ଗୀର, ପୁରୀ ପ୍ରଭୃତି ଜିଲ୍ଲାରେ ଗୋ ଚାଷୀଙ୍କ ହାଲ ଏକପ୍ରକାର ବେହାଲ ହୋଇ ପଡ଼ିଲାଣି। ଏହା ଏବେ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଯେଉଁମାନଙ୍କ ମୁଖ୍ୟ ଜୀବିକା ଗୋ-ପାଳନ ସେମାନଙ୍କ କଥା ନ କହିବା ଭଲ। ୧୦ରୁ ୧୫ଟି ଗାଈ ରଖିଥିବା ଚାଷୀ ଏବେ ଖାଇବାକୁ ଦେଇ ପାରୁ ନାହାନ୍ତି। ପାଖାପାଖି ୨୫ ଦିନ ହେଲା ଓଡ଼ିଶାରେ ଲକ୍‌ଡାଉନ ହୋଇଛି। ତେଣୁ ଯାହା ବି କିଛି ଗୋ-ଖାଦ୍ୟ ଥିଲା ତାହା ଶେଷ ହୋଇଗଲାଣି। ଯଦିଓ କିଛି ବ୍ୟବସାୟୀଙ୍କ ପାଖରେ ଗୋ-ଖାଦ୍ୟ ରହିଛି, ସେମାନେ ଏହାର ସୁଯୋଗ ନେଇ ଦର ବଢାଇ ଦେଇଛନ୍ତି। ପୂର୍ବରୁ ଯେଉଁ ଗୋ-ଖାଦ୍ୟ କୁଇଣ୍ଟାଲ ଦର ଯେତିକି ରହିଥିଲା ଏବେ ୨୦୦ରୁ ୪୦୦ ଟଙ୍କା ଚଢା ଦରରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଗୋ-ଖାଦ୍ୟ ଉତ୍ପାଦନ କରୁଥିବା ନବରଙ୍ଗପୁର ଜିଲ୍ଲାର ଏକ ଫାର୍ମ ମାଲିକଙ୍କ କହିବାନୁଯାୟୀ ଲକ୍‌ଡାଉନ ଚାଲୁଥିବାରୁ ଉତ୍ପାଦନ ବନ୍ଦ ରହିଛି। ଶ୍ରମିକ ଆସୁନାହାନ୍ତି। କଞ୍ଚା ମାଲ ବି ପରିବହନ କରି ହେଉନି। ତେଣୁ ଏତେ ସମସ୍ୟା ଭିତରେ କମ୍ପାନି ଚଲାଇବା ସମ୍ଭବପର ନୁହେଁ। ଯଦି ଏପ୍ରିଲ ୩୦ ପରେ ଲକ୍‌ଡାଉନ ଉଠେ ତେବେ ଯାଇ ଗୋ-ଖାଦ୍ୟ ଉତ୍ପାଦନ ସମ୍ଭବପର ହୋଇପାରିବ।

ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ପ୍ରାୟ ୧କୋଟି ୨୦ ଲକ୍ଷ ଗୋ ସମ୍ପଦ ରହିଛି। ସେଥିମଧ୍ୟରୁ ଗାଈ ଓ ମଇଁଷିଙ୍କ ସଂଖ୍ୟା ସବୁଠାରୁ ଅଧିକ। ଦେଶୀଙ୍କ ତୁଳନାରେ ବିଦେଶୀ ଗାଈଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେମାନେ ମୁଖ୍ୟତଃ ଗୋ-ଖାଦ୍ୟ ଖାଇଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ସେମାନଙ୍କ ଅବସ୍ଥା ଖରାପ ହେଉଛି। ଯଦି ଆସନ୍ତା ମାସକ ମଧ୍ୟରେ ସ୍ଥିତିରେ ସୁଧାର ନ ଆସେ ଚାଷୀମାନେ ବହୁ ପରିମାଣରେ କ୍ଷତି ସହିବେ।

ଭୁବନେଶ୍ୱର ଉପକଣ୍ଠର ଗାଈ ଚାଷୀ ମଥୁରା ମହାନ୍ତିଙ୍କ କହିବାନୁଯାୟୀ ଦୁଗ୍ଧ ବିକ୍ରି ବନ୍ଦ ହୋଇଯାଇଛି। ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକ ବନ୍ଦ ଥିବାରୁ ଦୁଗ୍ଧର ଅଭାବୀ ବିକ୍ରି ହେଉଛି। କେହି ଦୁଗ୍ଧ ନେଉ ନ ଥିବାରୁ ଆମେ ବାଧ୍ୟ ହୋଇ ଏଣେତେଣେ ନଷ୍ଟ କରୁଛୁ। ଦୁଗ୍ଧ ଚାଷୀଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର