ବିପର୍ଯ୍ୟୟ ମୁହଁକୁ ଠେଲିଦେଲେ! ଦୁଗ୍ଧ ଚାଷୀ ହତାଶ, ଲକ୍ଷାଧିକ ଲିଟର କ୍ଷୀର ବରବାଦ

ମୁଣ୍ଡରେ ହାତ ଦେଇ ବସିଛନ୍ତି ହଜାର ହଜାର ପରିବା ଚାଷୀ

ଶୀତଳଭଣ୍ଡାର ନାହିଁ, ବଜାର ସହିତ ଯୋଡ଼ିପାରିଲେନି
ଯୋଜନାରେ ରହିଲା ଏଗ୍ରିଫେଡ୍, କୃଷି ଶିଳ୍ପ ନାହିଁ

ଭୁବନେଶ୍ବର : ପୁରୀ ଜିଲ୍ଲା ନିମାପଡ଼ାରେ ପ୍ରାୟ ଲକ୍ଷେ ଲିଟର କ୍ଷୀର ଚାଷୀଙ୍କ ଠାରୁ କେହି ନେଉନାହାନ୍ତି। କଟକ ଜିଲ୍ଲା ନିଆଳି ଆଦି ଅଞ୍ଚଳର ୮୦ ହଜାର ଦୁଗ୍ଧ ଚାଷୀ ହତାଶ। ପନିର କେଜି ୨୬୦ ଟଙ୍କା ବଦଳରେ ଏବେ ଚାଷୀ ସାହି ପଡ଼ିଶାରେ ଯାଚିଗୁଞ୍ଜି ୧୨୦ ଟଙ୍କା କେଜିରେ ଦେଉଛନ୍ତି। ଏଇଥିପାଇଁ ଯେ କିଛି ଟଙ୍କା ହାତକୁ ଆସିଲେ, ଗାଈକୁ ଦାନା (ସେ ବି ମିଳୁନି) ଦେବେ। ପୂର୍ବରୁ ଓମ୍େଫଡ୍ ସଂସ୍ଥା ଦିନକୁ ଥରେ ଆସୁଥିଲା, ଏବେ କ୍ଷୀର ନେବାକୁ ଦିନେ ଛାଡି ଦିନେ ଆସୁଛି। ଅର୍ଥାତ୍ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବା ଆରମ୍ଭ କଲାଣି। କେବଳ ଏହି ଦୁଇଟି ଜିଲ୍ଲା ନୁହେଁ, ସାରା ଓଡ଼ିଶାର ସବୁ ଦୁଗ୍ଧ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲକ୍‌ଡାଉନ୍ କାରଣରୁ ଦୋକାନ ବଜାର ବନ୍ଦ। ସେମାନଙ୍କ କ୍ଷୀର କିଏ ନେବ?

ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକର ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି କ୍ୟାପ୍ସିକମ୍ କରିଥିଲେ। ବେଶ୍ ଦି’ ପଇସା ସେଥିରୁ ମିଳେ, ଯେଉଁଥିରେ ସେମାନେ କିଛି ମାସ ଚଳିଯାଆନ୍ତି। ଏବେ ବିଲରେ ଫସଲ ଭର୍ତ୍ତି। କିନ୍ତୁ ବିକ୍ରିବଟା ହୋଇପାରୁନଥିବା କାରଣରୁ ଚାଷୀ ତୋଳୁନାହାନ୍ତି, ବିଲରେ ଛାଡିଦେଇଛନ୍ତି।

ବେଶି ଦୂର ନ ଯାଇ ଯାଜପୁର ଜିଲ୍ଲା ଉପରେ ଥରେ ଆଖି ବୁଲେଇ ଆସିଲେ, ଦେଖାଯାଉଛି ଯେ ବିରୁପା, ଗେଙ୍ଗୁଟି, ବ୍ରାହ୍ମଣୀ ଆଦି ନଦୀ ଶଯ୍ୟାରେ ଶହ ଶହ ଏକରରେ ପରିବା ଚାଷ ହୋଇଛି। ସେ ବାରବାଟି ହାଟ ହେଉ କି ବଡ଼ଚଣାର ବାଲିକୁଦା ସବୁଠାରେ ଚାଷୀ ମୁଣ୍ଡରୁ ହାତ ଖସୁନି। ବେପାରୀ ଆସୁନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ନଅ ଛଅ କରି କିଛି ପରିବା ଦେଉଛନ୍ତି, ଆଉ କିଛି କ୍ଷେତ୍ରରେ ବିଲରୁ ଆଣୁନାହାନ୍ତି।

ମାରାତ୍ମକ କରୋନା ଜନିତ ଲକ୍‌ଡାଉନ୍ ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏବେ ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। କରୋନା ପାଇଁ ଲକ୍‌ଡାଉନ୍ ବୃଦ୍ଧି ଅପ୍ରାସଙ୍ଗିକ ନୁହେଁ। ସରକାରଙ୍କର ଏ ଦିଗରେ ଉଦ୍ୟମ ସବୁ ରାଜ୍ୟ ପାଇଁ ଅନୁକରଣୀୟ। ହେଲେ ଚାଷୀକୁ ତାର ଉତ୍ପାଦନର ମୂଲ୍ୟ କିଭଳି ପାଇବ ତାକୁ କିଏ ନିଶ୍ଚିତ କରିବ?

ଏବେ ଲୋକମାନେ ପ୍ରଶ୍ନ କଲେଣି ଯେ ରାଜ୍ୟ ସରକାରଙ୍କ କୃଷି ଓ ମତ୍ସ୍ୟ ପଶୁପାଳନ ବିଭାଗର ବଡ଼ ବାବୁ, ମନ୍ତ୍ରୀଙ୍କର କିଛି କର୍ତ୍ତବ୍ୟ ନାହିଁ? ଜିଲ୍ଲାପାଳମାନେ ସରକାରଙ୍କର ଲକ୍‌଼ଡାଉନ୍ ନିର୍ଦେଶକୁ କାର୍ଯ୍ୟକାରୀ କରିବାରେ ଯେତିକି ଆନ୍ତରିକତା ଦେଖାଉଛି, ଜିଲ୍ଲାର ଏସବୁ ବର୍ଗ ପ୍ରତି ସେତିକି ଯତ୍ନବାନ୍ ହେବା ଉଚିତ୍ ନା ନାହିଁ? ସହରାଞ୍ଚଳରେ ପନିପରିବା ଦର ବେଶ୍ ଉଚ୍ଚା ରହୁଥିବା ବେଳେ ଗ୍ରାମାଞ୍ଚଳରେ ନଅ ଛଅ କରି ଚାଷୀ ଦେଉଛନ୍ତି। ଏସବୁକୁ ସହରାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଦାୟିତ୍ବଟି କିଏ ନେବ? ସମଗ୍ର ରାଜ୍ୟରେ ଯୋଗାଣ ବ୍ୟବସ୍ଥାକୁ ଅସଲରେ କିଏ ବିପର୍ଯ୍ୟୟ ମୁହଁକୁ ଠେଲିଦେଲା?

ଏମିତି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଗାଁ ଗଣ୍ଡାର ମୁରବି ଶ୍ରେଣୀର ଲୋକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟ େହାଇଛି। ସରକାରଙ୍କ ଗୋଟିଏ ହାତ କରୋନା ମୁକାବିଲା ପାଇଁ ବ୍ୟସ୍ତ ରହିବା ସ୍ବାଭାବିକ। କିନ୍ତୁ ଏବେ ଅନ୍ୟ ହାତଟି ନିଶ୍ଚଳ ପ୍ରାୟ ପଡ଼ିରହିଛି। କୃଷି ମନ୍ତ୍ରୀ ଅରୁଣ ସାହୁ ଥରୁଟିଏ ବି ଏ ସଂପର୍କରେ ଭିଡିଓ କନଫରେନ୍ସିଂ କରି ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବାକୁ ଚାହିଁନାହାନ୍ତି।

ରାଜ୍ୟ ସରକାର ମଧ୍ୟାହ୍ନ େଭାଜନ ରାସନ୍ ଯୋଗାଇ ଦେଉଛନ୍ତି। ଏସ୍‌ଏଚ୍‌ଜି ପର୍ଯ୍ୟନ୍ତ ଏହି କ୍ଷୀରକୁ ପହଞ୍ଚାଇ ଦିଆଯାଇପାରିଲେ, ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ଶିଶୁ ଉପକୃତ େହାଇପାରନ୍ତେ। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଏତିକି ଦାୟିତ୍ବ ମୁଣ୍ଡକୁ ନେବେନି?

ଅର୍ଥନୀତିଜ୍ଞମାନେ ଏଭଳି ସ୍ଥିତିକୁ ନେଇ ଦୁଇପ୍ରକାର ସଂଶୟ ପ୍ରକାଶ କରୁଛନ୍ତି। ପ୍ରଥମତଃ, ଯଦି ବଜାରରେ ନଗଦର ଅଭାବ ଦେଖାଦେଲା, ତେବେ ସ୍ଥିତି ଅଣାୟତ୍ତ ହୋଇଯିବ। ଦ୍ବିତୀୟତଃ, ଥରେ ଯଦି ଚାଷୀ ଆର୍ଥିକ ଦୁଃସ୍ଥିତି ଭିତରକୁ ଚାଲିଗଲା, ତେବେ ତାକୁ ମୁଖ୍ୟ ସ୍ରୋତକୁ ଆଣିବା କାଠିକର ପାଠ। ସେ ସଂପୃକ୍ତ ଚାଷରୁ ମୁହଁ େଫରାଇ ଦେଲେ, ସାମଗ୍ରିକ ଭାବେ ତାର କ୍ଷତି ଅପେକ୍ଷା ରାଜ୍ୟର କ୍ଷତି ବଢିଯିବ।

ଏ ସଂପର୍କରେ ବିଭିନ୍ନ ମହଲ ଯେଉଁ ମତ ପ୍ରକାଶ କରୁଛନ୍ତି, ତାହା ସଙ୍ଗିନ୍। ରାଜ୍ୟ ସରକାରଙ୍କ ୨୦ ବର୍ଷ ଶାସନ ମଧ୍ୟରେ ନିଜକୁ ଚାଷୀ ବୋଲି ଦାବି କରୁଥିବା ପ୍ରଦୀପ ମହାରଥୀଙ୍କ ଠାରୁ ଡାକ୍ତର ଦାମୋଦର ରାଉତଙ୍କ ଅଭଳି ଅଭିଜ୍ଞଙ୍କ ପର୍ଯ୍ୟନ୍ତ ଅନେକ କୃଷି ମନ୍ତ୍ରୀ ହେଲେଣି। ପ୍ରତି ପାଞ୍ଚବର୍ଷରେ ନିର୍ବାଚନ ଆସିବା ପୂର୍ବରୁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦିଆଯାଉଛି। ଅଥଚ ୨୦ବର୍ଷରେ ୨୦ଟି ଶୀତଳଭଣ୍ଡାର କରିପାରିଲେନି? ଆଜି ସମ୍ଭବତଃ ଚାଷୀ ସେଠାରେ ନିଜ ଉତ୍ପାଦିତ ପରିବା ରଖିପାରିଥାନ୍ତା। କେବଳ ସେତିକି ନୁହେଁ, ମାର୍କେଟ୍ ଲିଙ୍କେଜ୍ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କୃଷି ପାଇଁ ସ୍ବତନ୍ତ୍ର ବଜେଟ୍ କରୁଥିବା ବେଳେ ମନ୍ତ୍ରୀମାନେ ଯେତିକି ଆସ୍ଫାଳନ କରୁଛନ୍ତି, ଏ କ୍ଷେତ୍ରରେ ବିଫଳତାକୁ ନିଜ ମୁଣ୍ଡକୁ ନେବାରେ ପଛଘୁଞ୍ଚା ଦେଉଛନ୍ତି କାହିଁକି?

ଓମ୍‌ଫେଡ୍ ଢାଞ୍ଚାରେ ଏଗ୍ରିଫେଡ୍ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ୧୦ କୋଟି ଟଙ୍କା ବରାଦ ହେଲା। କୁଆଡେ ଗଲା ସେସବୁ ନିଷ୍ପତ୍ତି? ମନ୍ତ୍ରୀ ଓ ଅଫିସର ବଦଳିଗଲେ, ସରକାରଙ୍କ କାମ କରିବା ତରିକା ବଦଳିଯିବ କି? ସେହିଭଳି ବିଭିନ୍ନ ସଂସ୍ଥାକୁ ଦାୟିତ୍ବ ଦିଆଯାଇ ରାଜଧାନୀରେ ଉଦ୍ୟାନ ଫ୍ରେସ୍ କରାଯାଇଥିଲା। ସେସବୁ ଏବେ କୁଆଡେ ଗଲା? ଆଜି ଏହି ବିପଦ ସମୟରେ ଏସବୁ ସଂସ୍ଥା କାମରେ ଆସିନଥାନ୍ତା?

ଓଡ଼ିଶାରେ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ କାହିଁ କେଉଁକାଳରୁ ରହିଛି। ଏହି ସଂସ୍ଥା ଟ୍ରାକ୍ଟର, ପାଵାର ଟିଲର ଆଦି ବିକ୍ରି କରିବାରେ ଯେତିକି ମନୋନିବେଶ କରିଛି, ସବସିଡ୍ କେଳେଙ୍କାରୀରେ ଯେମିତି ଛନ୍ଦି ହୋଇଛି, ୨୦ଟି ପ୍ରମୁଖ କୃଷି ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ସେତିକି ଉଦ୍ୟମ କରିଛି? ରାଜ୍ୟରେ ଦୁଇ ଚାରିଟି ବଡ଼ ଟମାଟୋ ସସ୍ କଂପାନି କରାଯାଇପାରିଲା? ଚାଷୀ ବିଲରେ ଟମାଟୋ ଫିଙ୍ଗିବନି ତ ଆଉ କଣ କରିବ? ସରକାରଙ୍କ ସବୁ କ୍ଷମତା ଉପଭୋଗ କରୁଥିବା ମନ୍ତ୍ରୀ, ଅଫିସର ଏ ସଂପର୍କରେ ଥରୁଟିଏ ସମୀକ୍ଷା କରିବେନି? ଯଦି ଏକାଧିକ ଘରୋଇ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ରାଜ୍ୟକୁ ଆସିପାରିଲେ, ନୂଆ ନୂଆ ଇସ୍ପାତ ପ୍ରକଳ୍ପ ନିର୍ମାଣ ହୋଇପାରିଲା, ସହରର ରୂପରେଖ ରାତାରାତି ବଦଳିପାରୁଛି, ଦୁଇ ଦୁଇଟି ସଚିବାଳୟ (ଲୋକସେବା ଭବନ ଓ ଖାରବେଳ ଭବନ), ଉନ୍ନତ ସମ୍ମେଳନକକ୍ଷ ସରକାରଙ୍କ ନିଷ୍ପତ୍ତି କ୍ରମେ ସମ୍ଭବ, ଦିନ ସାତଟାରେ ରାଜ୍ୟ ସରକାର ଦେଶକୁ ଚମକାଇ ଦେଇ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିପାରିଲେ, ଏସବୁ କାହିଁକି ହୋଇପାରିବନି, ତାର ଉତ୍ତର କିଏ ଦେବ?

ସମ୍ବନ୍ଧିତ ଖବର