କରୋନା ଛଡ଼ାଇ ନେଇଛି ବଞ୍ଚିବାର ରାହା : ବାଆବତାସକୁ ବଳିଗଲା କରୋନା ଦୁଃଖ, ଜୀବନ-ଜୀବିକା ପାଇଁ ମତ୍ସ୍ୟଜୀବୀଙ୍କ ସଂଘର୍ଷ
ଗୋଳନ୍ଥରା/ଗୋପାଳପୁର : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୁଣି ୧୭ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଛି। ଫଳରେ ଗରିବ ଓ ଖଟିଖିଆ ଏବଂ ଶ୍ରମିକଙ୍କ ଜୀବନ ଦୁର୍ବିଷହ ପାଲଟିଛି। ଏଥିରୁ ମତ୍ସ୍ୟଜୀବୀ ବି ବାଦ୍ ପଡ଼ିନାହାନ୍ତି। ଜୀବନ ଅଛି, ହେଲେ ଜୀବିକା ହରାଇଛନ୍ତି। ଦୁଇଓଳି ପେଟ ପାଇଁ ଦାନା ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ପାଲଟିଛି।
ଗଞ୍ଜାମ ଜିଲ୍ଲାର ଅଧିକାଂଶ ମତ୍ସ୍ୟଜୀବୀ କରୋନା କଟକଣା ପରେ ଜୀବିକା ହରାଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ଗତ କିଛି ବର୍ଷ ମଧ୍ୟରେ ଫାଇଲିନ୍, ହୁଡ଼୍ହୁଡ଼୍ ଓ ତିତ୍ଲି ଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟକୁ କରୋନା ଦୁଃଖ ବଳିଯାଇଛି।
ସମୁଦ୍ରରୁ ମାଛ ମାରି ଆଣିଲେ ପରିବାର ଚଳୁଥିଲା। ହେଲେ କଟକଣା ପରେ ୧୫ ଦିନ ହେଲା ମତ୍ସ୍ୟଜୀବୀ ଜାଲ ଓ ଡଙ୍ଗା ରଖି ହାତ ବାନ୍ଧି ବସିଛନ୍ତି। ସମୁଦ୍ରକୁ ଯାଇପାରୁନାହାନ୍ତି। ‘ସମ୍ବାଦକୁ ମିଳିଥିବା ତଥ୍ୟ ଅନୁସାରେ ସୁନପୁରଠୁ ପ୍ରୟାଗୀ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମି ନିକଟରେ ଅବସ୍ଥିତ ୨୮ ଖଣ୍ଡ ଗ୍ରାମରେ ୧୧ହଜାର ଘରେ ୪୧ହଜାରରୁ ଅଧିକ ମତ୍ସ୍ୟଜୀବୀ ବସବାସ କରୁଛନ୍ତି। ୧୮୦୦ଟି ଡଙ୍ଗାରେ ସେମାନେ ଜୀବିକା ନିର୍ବାହ କରୁଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ଗୋପାଳପୁର ଇଲାକାରେ ଏମାନଙ୍କ ସଂଖ୍ୟା ଅଧିକ।
କିନ୍ତୁ କରୋନା କଟକଣା ସବୁକିଛି ଉଜାଡ଼ି ନେଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଘରୁ ପଦାକୁ ବାହାରୁ ନାହାନ୍ତି। ପାଖରେ ଯାହା ସଞ୍ଚୟ ଅର୍ଥ ଥିଲା ତାହା ସରିଗଲାଣି। ସେମାନେ ଅତି ଶୋଚନୀୟ ଜୀବନଯାପନ କରୁଛନ୍ତି। ଖାଲି ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ୧୩୦ଜଣ ମତ୍ସ୍ୟଜୀବୀ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଜିଲ୍ଲା ବିଜେପି ମତ୍ସ୍ୟଜୀବୀ ସଭାପତି ରାଜା ରାଓ କହିଛନ୍ତି। ଗତ ମାସ ୨୧ ତାରିଖରୁ ସେମାନଙ୍କ ଜୀବିକା ଏକପ୍ରକାର ଠପ୍ ହୋଇ ଯାଇଥିବାରୁ ରାଜ୍ୟ ସରକାର ଏଥିପାଇଁ ଚିନ୍ତା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ମାର୍କଣ୍ଡିର ମତ୍ସ୍ୟଜୀବୀ ବି.ରୁଦ୍ରେୟା କହିଛନ୍ତି, ପରିବାର ଭରଣପୋଷଣକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି। କାରଣ ପୂର୍ବରୁ ଯାହା ଟଙ୍କା ଥିଲା ତାହା ସରିଯାଇଛି। ଗ୍ରାମର ୮ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଛନ୍ତି। ସରକାରଙ୍କ ତରଫରୁ ୧ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି। ଦିନେ ଦୁଇଦିନ ମଧ୍ୟରେ ଚାଉଳ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି।
ସେହିପରି ଗୋପାଳପୁରର ଶତାଧିକ ମତ୍ସ୍ୟଜୀବୀ ୧୪ ଦିନ ହେଲା ଜୀବିକା ହରାଇ ଅସୁବିଧାରେ ପଡ଼ିଥିବା ସଭାପତି ବି.ଦାନେୟା କହିଛନ୍ତି। ପରିବାର ଚଳାଇବାକୁ ପାଖରେ ଟଙ୍କାଟିଏ ମଧ୍ୟ ନଥିବା ବେଳେ ଧାର ମାଗିଲେ ମଧ୍ୟ କିଏ ଦେଉନାହାନ୍ତି। ଆଗକୁ ପରିବାର କେମିତି ପ୍ରତିପୋଷଣ ହେବ। ଆଉ ଏହି ମହାମାରୀର କେବେ ଅନ୍ତ ଘଟିବ ? କେବଳ ଭଗବାନ ହିଁ ଆମକୁ ବଞ୍ଚାଇବେ। ଆମ ଦୁଃଖ ପ୍ରଶାସନକୁ ଜଣାଇବୁ ବୋଲି ଦାନେୟା କହିଛନ୍ତି।