ମାନ୍ଦାମାଡ଼ ପରେ କରୋନା କୋପ : ଇସ୍ପାତ ରାଜଧାନୀର ଅଧିକାଂଶ କାରଖାନାରେ ଉତ୍ପାଦନ ଠପ୍

ଯାଜପୁର : ଇସ୍ପାତ ରାଜଧାନୀରେ ବି କରୋନା ଭୟ। ଅଧିକାଂଶ କାରଖାନା ଉତ୍ପାଦନ ବନ୍ଦ କରି ଦେଇଛନ୍ତି। ସେପଟେ ଜୀବିକା ହରାଇଲେଣି ଠିକା ଶ୍ରମିକ ଓ ଉଠା ଦୋକାନୀ। ଏଭଳି ସ୍ଥିତିକୁ ଦେଖି ଅନେକ ଶଙ୍କା ପ୍ରକାଶ କଲେଣି।

ବିଶ୍ବର ମାନ୍ଦାବସ୍ଥା ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତିକୁ ଦୋହଲାଇ ଦେଇଥିଲା। ଏବେ କରୋନାକୁ ନେଇ ଶିଳ୍ପାନୁଷ୍ଠାନଗୁଡ଼ିକରେ ଏକ ପ୍ରକାର ତାଲା ଝୁଲିବା ପରିସ୍ଥିତି ଉପୁଜିଛି। ନାମକୁ ମାତ୍ର ୨/୩ଟି ଶିଳ୍ପାନୁଷ୍ଠାନ ଚାଲୁଛି। ଅନେକ ଗୁଡ଼ିଏ ଶିଳ୍ପ ସଂସ୍ଥାରେ ତାଲା ଝୁଲୁଛି। ଶିଳ୍ପାନୁଷ୍ଠାନ ଉପରେ ନିର୍ଭର କରୁଥିବା ଶ୍ରମିକଙ୍କ ଜୀବିକା ଏବେ ବିପନ୍ନ ହୋଇପଡିଛି। ଶହ ଶହ ଛୋଟମୋଟ ବ୍ୟବସାୟୀ ମଧ୍ୟ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। କଳିଙ୍ଗନଗରସ୍ଥିତ ରୋହିତ ଫେରୋଟେକ୍, ୟାଜଦାନି କାରଖାନା, ନୀଳାଚଳ ଇସ୍ପାତ କାରଖାନା, ମେସ୍କୋ କାରଖାନା, ଇମାମି ସିମେଣ୍ଟ କାରଖାନା,ମୈଥାନ କାରଖାନା, କେଜେ ଇସ୍ପାତ କାରଖାନା, ଜେଏସଡବ୍ଲୁ ସିମେଣ୍ଟ କାରଖାନାର କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେହିପରି ଜିନ୍ଦଲ, ଭିସା ଓ ଟାଟା ଷ୍ଟିଲ କାରଖାନା, ମିଶ୍ରିଲାଲ ଫେରାକ୍ରମ କାରଖାନା(ପଙ୍କପାଳ),ବିସି ମହାନ୍ତି ଫେରୋକ୍ରମ ପ୍ଲାଣ୍ଟ୍ ଓ ଯାଜପୁରରୋଡ଼ ଫେରୋକ୍ରମ ପ୍ଲାଣ୍ଟଗୁଡ଼ିକ ନାମକୁ ମାତ୍ର କିଛି କର୍ମଚାରୀଙ୍କୁ ନେଇ ଚାଲୁଛି। ଏହି ଇସ୍ପାତ କାରଖାନାଗୁଡ଼ିକର କୋକ୍‌ ଓଭେନ୍ ଓ ପାୱାର ପ୍ଲାଣ୍ଟ ମୁଖ୍ୟତଃ ଚାଲୁଛି। କଞ୍ଚାମାଲ ଓ ଉତ୍ପାଦନ ସାମଗ୍ରୀ ପରିବହନ ପ୍ରାୟ ବନ୍ଦ ରହିଛି। ଜିଲ୍ଲାରେ ଗତ ୨୨ତାରିଖରୁ ଜନତା କର୍ଫୁ ଓ ୨୪ରୁ ଲକ୍‌ଡାଉନ୍ ଆରମ୍ଭ ହୋଇଯାଇଥିବାବେଳେ ସେଥିରେ ପୁଣି ୨ଦିନ ସଟ୍‌ଡାଉନ୍ ଇସ୍ପାତ ରାଜଧାନୀର ଜୀବନ ଯାତ୍ରାକୁ ଠପ୍ କରିଦେଇଛି। ଲକ୍ଷାଧିକ ଶ୍ରମିକ, ଠିକାଶ୍ରମିକ ଓ କର୍ମଚାରୀଙ୍କ ଦ୍ବାରା ଗହଳ ଚହଳ ଲାଗିଥିବା କାରଖାନା ଓ ପାଖ ବଜାର ଦାନଗଦୀ, ଡୁବୁରୀ, ଯଖପୁରା, ମାନପୁର ଓ ରାବଣା ପ୍ରଭୃତି ବନ୍ଦ ରହିଛି। ଠିକାଶ୍ରମିକ, ଉଠାଦୋକାନୀ ଓ ଛୋଟମୋଟ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ ରହିଥିବାରୁ ହଜାର ହଜାର ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି।

ବିଶେଷକରି, ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାରୁ ଆସି ଶ୍ରମିକ ବସ୍ତିରେ ରହିଥିବା ଦିନମଜୁରିଆ କାମ କରି ପରିବାର ପୋଷଣ କରୁଥିଲେ। ସେମାନଙ୍କର ଅବସ୍ଥା ଅତିଶୋଚନୀୟ ହୋଇପଡ଼ିଛି। ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଏଭଳି ଭୟଙ୍କର ସ୍ଥିତି କେବେ ହେଲେ ଜୀବଦଶାରେ ସ୍ଥାନୀୟ ଲୋକ ଦେଖି ନଥିଲେ ବୋଲି ପ୍ରକାଶ କରିଛନ୍ତି। ରାସନକାର୍ଡ ନଥିବା ଦିନମଜୁରିଆ ଓ ଠିକାଶ୍ରମିକଙ୍କ ପରିବାରର ଜୀବିକା ପ୍ରତି ପ୍ରଶାସନ ଗୁରୁତ୍ବ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର