ଜଗତସିଂହପୁର : ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ବନ୍ଦରନଗରୀ ପାରାଦୀପ କରୋନା ପ୍ରଭାବରେ ଶ୍ରୀହୀନ ହେବାକୁ ବସିଲାଣି। ସବୁ ଚିମିନିର ଧୂଆଁ ବନ୍ଦ ଥିବାବେଳେ ବନ୍ଦର କାରବାର ହ୍ରାସ ହେବା ସହିତ ଅର୍ଥନୈତିକ ପ୍ରଗତିକୁ ପ୍ରତିହତ କରିଛି। ଏଠାରେ ଥିବା ବୃହତ୍ତ ପ୍ରକଳ୍ପ ପୂର୍ବ ଭାରତ ତୈଳ ବିଶୋଧନାଗାର(ଆଇଓସିଏଲ) କାର୍ଯ୍ୟକ୍ଷମ ଥିଲେ ହେଁ ୧୫ରୁ ଅଧିକ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି।
ପାରାଦୀପ ବନ୍ଦରନଗରୀର ଆର୍ଥିକ ମାନ୍ଦା ଅବସ୍ଥାରେ ପହଞ୍ଚିଥିବା ହିଁ ହେଉଛି ଏହି ଚଳଚଂଚଳ ନଗରୀର ବାସ୍ତବ ଚିତ୍ର। ପ୍ରଥମେ ସାରାଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ଏବେ କରୋନା କୋପରେ ବନ୍ଦରନଗରୀ ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଡାଉନ ଯୋଗୁଁ ବର୍ତ୍ତମାନ ପାରାଦୀପ ବନ୍ଦର, ଆଇଓସିଏଲ, ପିପିଏଲ ଓ ଇଫ୍କୋ ଭଳି କାରଖାନାର ଆଂଶିକ ସେବା ଚାଲୁ ରହିଛି। ପିପିଏଲ ଓ ଇଫ୍କୋରେ ଉତ୍ପାଦନ ମଧ୍ୟ ହେଉ ନାହିଁ। ପାରାଦୀପରେ ଥିବା ୧୫ରୁ ଅଧିକ ଶିଳ୍ପରେ ତାଲା ଝୁଲୁଛି। ଯଦିଓ କରୋନା ଭୟରେ ଏହା ଉପରେ ନିର୍ଭର କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଘରେ ନିରାପଦରେ ଅଛନ୍ତି, ତେବେ ସେମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହେଲାଣି। ଏସବୁ ଶିଳ୍ପସଂସ୍ଥା ଉପରେ ନିର୍ଭର କରୁଥିବା ଶହ ଶହ ଠିକାଦାର, ଯନ୍ତ୍ରୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ବର୍ତ୍ତମାନ ଲକ୍ଡାଉନ ସୀମା ବୃଦ୍ଧି ପାଇଥିବା କାରଣରୁ ଶିଳ୍ପ ସଂସ୍ଥା ଓ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଅବସ୍ଥା ଅଧିକ ଦୟନୀୟ ହେବ।
ଅନ୍ୟପଟେ ଶିଳ୍ପସଂସ୍ଥାଗୁଡ଼ିକର ଉତ୍ପାଦନ କମ୍ ସାଙ୍ଗକୁ ବନ୍ଦର ନଗରୀକୁ ଟ୍ରକ୍ ଚଳାଚଳ ସମ୍ପୂର୍ଣ୍ଣ ହ୍ରାସ ପାଇଥିବାରୁ ପ୍ରଦୂଷଣ ନିୟନ୍ତ୍ରଣକୁ ଆସିଥିବ ବୋଲି ଅନୁମାନ କରାଯାଉଛି। ପ୍ରଦୂଷଣର ସ୍ଥିତି ପୂର୍ବ ଅପେକ୍ଷା ସୁଧୁରିଥିବ ବୋଲି ଆଶା କରାଯାଉଛି। ତେବେ ଏଠାରେ ଲାଗିଥିବା ପ୍ରଦୂଷଣ ମାପକ ୩ଟି ଯନ୍ତ୍ରରୁ ରିପୋର୍ଟ ହସ୍ତଗତ ହୋଇ ନାହିଁ। ମାତ୍ର ଜାନୁଆରି ମାସର ରିପୋର୍ଟ କହୁଥିଲା ପାରାଦୀପରେ ବାୟୁ ପ୍ରଦୂଷଣର ସ୍ଥିତି ସାଂଘାତିକ ହେଲାଣି। ପିପିଏଲ ଗେଷ୍ଟ ହାଉସ ନିକଟରେ ଲାଗିଥିବା ମାପଯନ୍ତ୍ରରୁ ଜଣାପଡ଼ିଥିଲା ସେଠାରେ (ପିଏମ୍ ୧୦) ୧୦୦ ରହିବା ବଦଳରେ ୧୬୦ ଥିଲା। ସେହିପରି ମଧୁବନ ଅଂଚଳରେ (ପିଏମ୍ ୧୦) ୧୩୮ ରହିଥିଲା। ଇଫ୍କୋରେ ଲାଗିଥିବା ମାପ ଯନ୍ତ୍ରଟି ଖରାପ ଥିବାରୁ ସେଠାକାର ତଥ୍ୟ ମିଳି ପାରି ନଥିଲା। ଏବେ ସ୍ଥିତି ଢେର ବଦଳିଛି। ତେଣୁ ଲୋକଙ୍କ ମନରେ ପୁଣି ଦ୍ବନ୍ଦ୍ବ ଶିଳ୍ପ ନା ପରିବେଶକୁ ଆପଣାଇବେ ?