କଟକ : ଗହଣା ଗଢ଼ିଲେ ପେଟ ପୋଷନ୍ତି ସେମାନେ। କିନ୍ତୁ ଲକଡାଉନ୍‌ କଟକଣା ପାଇଁ ୧୯ଦିନ ହେଲା ଗହଣା ଦୋକାନରେ ତାଲା। କାରିଗରମାନେ ଯାହା କିଛି ଟଙ୍କା ରୋଜଗାର କରିଥିଲେ ସେଥିରେ ଦୁଇସପ୍ତାହ ଚଳିଗଲେ। ଏବେ ପାଖରେ ଖାଇବା ପାଇଁ ଟଙ୍କା ନଥିବାରୁ ଭାତହାଣ୍ଡି ଉପରେ ବି ଲକଡାଉନ୍‌ର ପ୍ରଭାବ ପଡ଼ିଛି। ଏଭଳି ଅବ୍ୟବସ୍ଥାରେ ବଞ୍ଚୁଛନ୍ତି ମଙ୍ଗଳାବାଗ ବଣିଆସାହିରେ ରହୁଥିବା ପଶ୍ଚିମବଙ୍ଗ କାରିଗର ପରିବାରର ର ୨୦୦ ସଦସ୍ୟ। ଏମାନେ ପିଲାଛୁଆ ନେଇ ଏଠି ରହୁଛନ୍ତି। ହେଲେ, ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲା ପ୍ରଶାସନ ଏଭଳି ଅସମୟରେ ସେମାନଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ନଦେବା ଆଶ୍ଚିର୍ଯ୍ୟ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ପରିବାର ଲୋକଙ୍କ ପେଟ ପୋଷିବା ପାଇଁ ଦୀର୍ଘ ୨୦ ବର୍ଷ ତଳେ ସୁଦୂର ପଶ୍ଚିମବଙ୍ଗରୁ କଟକ ଚାଲି ଆସିଥିଲେ ଗହଣା କାରିଗର। ମଙ୍ଗଳାବାଗ ବଣିଆସାହିରେ ପାଖାପାଖି ୩୦୦ ଦୋକାନରେ କାରିଗରୀ ଆରମ୍ଭ କରିଦେଇଥିଲେ। ଏବେ ସେମାନଙ୍କ ପରିବାରର ସଦସ୍ୟ ସଂଖ୍ୟା ପାଖାପାଖି ୨୦୦ରେ ପହଞ୍ଚିଲାଣି। ପିଲା ଛୁଆଙ୍କୁ ମିଶାଇ ଗୋଟିଏ ଛୋଟିଆ ସାହି ପାଲିଟିଯାଇଛି। ଏମାନେ ମୁଖ୍ୟତଃ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର, ହାଓଡା, ହୁଗୁଳି, ବାପୁଡ଼ା ଜିଲ୍ଲାରୁ କ୍ରମାଗତ ଭାବେ କାମ ଆଶାରେ କଟକ ଚାଲି ଆସି ଘର ଭଡ଼ା ନେଇ ରହୁଛନ୍ତି। ତେବେ ମାର୍ଚ୍ଚ ୨୨ ତାରିଖଠାରୁ ଜନତା କର୍ଫ୍ୟୁ ଓ ତା ପରେ ପରେ ଲକଡାଉନ୍ ଜାରି ହେବା ପରେ ଗହଣା ତିଆରି କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାମ ବନ୍ଦ ହୋଇଯିବାରୁ ଯାହା କିଛି ଟଙ୍କା ଥିଲା ସେଥିରେ ପରିବାର ପୋଷୁଥିଲେ। ଏବେ ସେତକ ବି ସରିଯାଇଥିବାରୁ ପରିବାର ଚଳାଇବା ସମ୍ଭବପର ହୋଇପାରୁନାହିଁ।

ଗଲା ୧୯ଦିନ ହେବ ଗହଣା ଦୋକାନ ବନ୍ଦ ହୋଇଥିବା ବେଳେ ଆସନ୍ତା ୧୫ ତାରିଖରୁ ଗହଣା ଦୋକାନ ଖୋଲିବା ନେଇ ଆଶା କରାଯାଉଥିଲା। ଆଜି ସରକାର ପୁଣି ଲକଡାଉନ୍‌ କଟକଣାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ଗହଣା କାରିଗରଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ବଣିଆ ସାହିର ଗହଣା କାରିଗର ସୁମନ୍ତ ଜେନା କୁହନ୍ତି, ଆଜକୁ ୧୫ ବର୍ଷ ହେବ କଟକରେ ରହିଆସୁଛୁ। ଯାହା କିଛି ଟଙ୍କା ଥିଲା ସେତକ ଖର୍ଚ୍ଚ କରି ପନିପରିବା, ଚାଉଳ ଡାଲି କିଣିଥିଲୁ। ସେତକ ସରିଗଲାଣି। ଗହଣା ଦୋକାନ ବନ୍ଦ ଥିବାରୁ କୌଣସି ପ୍ରକାର ଆର୍ଥିକ ସହାୟତା ମିଳିପାରୁ ନାହିଁ। ପନିପରିବା ଦୋକାନ ଖୋଲା ଥିଲେ ବି ପାଖରେ ଟଙ୍କା ସରିଯାଇଥିବାରୁ ଏସବୁ ଘର ପାଇଁ କିଣି ହେଉନାହିଁ। ଗଲା ୩ ଦିନ ହେବ ବିସ୍କୁଟ, ମୁଢ଼ି ଖାଇ ଚଳିବାକୁ ବାଧ୍ୟ ହେଉଛି। ଏଯାଏ ପ୍ରଶାସନ ପକ୍ଷରୁ ଆମକୁ ଉଦ୍ଧାର କରିବା କିମ୍ବା ଖାଦ୍ୟ ସାମଗ୍ରୀ ଯୋଗାଇବା କ୍ଷେତ୍ରରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ସେହିପରି ଆଉ ଜଣେ ଗହଣା କାରିଗର ସୁରଜିତ ଘୋଷ କୁହନ୍ତି, ଏପ୍ରିଲ ୩୦ ତାରିଖ ଯାଏ ଏବେ ଲକ ଡାଉନ ବଢ଼ିଲା ପରେ ସ୍ତ୍ରୀ ଓ ଗୋଟିଏ ୬ ବର୍ଷର ପୁଅକୁ ନେଇ କେମିତି ଚଳିବୁ, ସେ ନେଇ ସମସ୍ୟା ହେଲାଣି। ଘରମାଲିକଙ୍କୁ କୌଣସି ପ୍ରକାର ଭଡ଼ା ଏବେ ନଦେଇ ପରେ ଦେଇଦେବୁ। କିନ୍ତୁ ପନିପରିବା କିଣିବା ପାଇଁ ପାଖରେ ଆଉ ଟଙ୍କା ନଥିବାରୁ ଯାହା ଟଙ୍କା ଥିଲା ସେତକ ସରିଯାଇଥିବା ସେ କହିଛନ୍ତି।