ରୋଜଗାର ବେଳେ ଦାଉ ସାଜିଲା କରୋନା : ଚିନ୍ତାରେ ୭ ଶହ କଳାକାର ପରିବାର, ହାତ ବାନ୍ଧି ବସିଛନ୍ତି

ବାଲିପାଟଣା : ଲକ୍‌ଡାଉନ୍‌ ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଦିନମଜୁରିଆ, ଖଟିଖିଆ, ଶ୍ରମିକ ଓ ବିଭିନ୍ନ ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକେ ବେଶି ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ରୋଜଗାର ନଥିବା ବେଳେ ପାଖରେ ଥିବା ସଞ୍ଚିତ ଟଙ୍କା ମଧ୍ୟ ସରି ସରି ଆସୁଛି। ତେଣୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କେମିତି ପରିବାର ପ୍ରତିପୋଷଣ କରିବେ, ସେଇ ଚିନ୍ତା ଏବେ ସେମାନଙ୍କୁ ଘାରୁଛି। ତେବେ ବାଲିପାଟଣା ବ୍ଲକ ଅଞ୍ଚଳ‌‌ରେ ରହି ସମ୍ବଲପୁରୀ, ପଞ୍ଜାବୀ ବାଜା, ଚାଙ୍ଗୁ ବାଜା, ତେଲିଙ୍ଗୀ ବାଜା, ଘୋଡ଼ାନାଚକୁ ଜୀବିକା କରି ପେଟ ପୋଷୁଥିବା ୬ଶହରୁ ୭ଶହ ପରିବାର ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛନ୍ତି।

ବିଭିନ୍ନ ପର୍ବପର୍ବାଣୀରେ ନିଜ କଳା ପ୍ରଦର୍ଶନ କରି ଅର୍ଥ ଉପାର୍ଜନ କରୁଥିବା ଏହି ବର୍ଗର ଲୋକଙ୍କ ଉପରେ କରୋନା କଟକଣା ଭାରୀ ପଡ଼ିଛି। ବର୍ତ୍ତମାନ ରୋଜଗାର ସିଜିନ୍‌ ଥିବା ବେଳେ କଟକଣା ଯୋଗୁଁ ତାହା ଠପ୍‌ ହୋଇଯାଇଛି। ଆସନ୍ତା ୧୪ ତାରିଖରେ ପଣା ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷ। ଏହି ସମୟରେ ଝାମୁଯାତ୍ରା ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ବାଦ୍ୟଯନ୍ତ୍ର ଓ ଘୋଡ଼ାନାଚ ଭଳି ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରି ଏମାନେ ଜଣ ପିଛା ୮/୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁଁ ଚଳିତବର୍ଷ ଏହି ଉତ୍ସବ ନିରାଡ଼ମ୍ବରରେ ପାଳିତ ହେବାକୁ ଥିବାରୁ ସେମାନଙ୍କ ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଲକ୍‌ଡାଉନ୍‌ ଯୋଗୁଁ ଅନେକ ବିବାହ, ବ୍ରତ, ମେଳଣ ଭଳି ଶୁଭକାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ବେପାର ବନ୍ଦ ହୋଇଯାଇଛି।

ଅଠାନ୍ତର ନାୟକ ସାହି ମଡର୍ଣ୍ଣ ସମ୍ବଳପୁରୀ ବ୍ୟାଣ୍ଡ ପାର୍ଟିର ପରିଚାଳକ ପ୍ରକାଶ ନାୟକଙ୍କ କହିବା ଅନୁସାରେ, ଏହି ସମୟ‌ରେ ପ୍ରତିବର୍ଷ ତାଙ୍କ ପାଖକୁ ୧୦୦ରୁ ଊର୍ଧ୍ବ କଲ୍‌ ଆସିଥାଏ। କିନ୍ତୁ କରୋନା ଯୋଗୁଁ ଏବେ ୫୦/୬୦ଟି କଲ୍‌ ବାତିଲ୍‌ ହୋଇଯାଇଛି। ସେହିପରି ଚୈତନ୍ୟ ନାୟକଙ୍କ ୫ଜଣିଆ ତେଲିଙ୍ଗୀ ବାଜା ଗ୍ରୁପ୍‌ରେ ପେଁକାଳୀ, ଢୋଲ, ଯୋଡ଼ି ନାଗରା, ସୁରପିଆ (ରାହା ଧରିବା), ରମୁ ରମୁ ବାଦ୍ୟ ଯନ୍ତ୍ର ବଜାଉଥିବା ଯୁବକ ଅଛନ୍ତି। ସେମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ଏବେ ହାତବାନ୍ଧି ବସିଛନ୍ତି। ପମ୍ପାଲୋ ପଞ୍ଚାୟତ ସରାଟ ଗ୍ରାମର ଗୁଣନିଧି ଭୋଇଙ୍କ କହିବା କଥା ହେଲା ତାଙ୍କ ୧୮ଜଣିଆ ଗ୍ରୁପ୍‌ରେ ସିଂହ ବାଜା, ଚଢ଼େଇ ନାଚ, ଘୋଡ଼ା ନାଚ କରୁଥିବା ଯୁବକ ଅଛନ୍ତି। ଏହି ସମୟରେ ସେମାନେ ବେଶ ଦି’ ପଇସା ରୋଜଗାର କରିଥାନ୍ତି। କିନ୍ତୁ ଏଥରକ ସେସବୁ କରୋନା ଛଡ଼ାଇ ନେଇଛି। ତେଣୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର