କଟକ : କରୋନା ମାଡ଼ରେ ସବୁବର୍ଗର ଲୋକ ପ୍ରଭାବିତ। ବିଶେଷକରି ଦୁଗ୍ଧ ଚାଷୀ ଏହାଦ୍ବାରା ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି। ଲକ୍ଡାଉନ୍ ପରଠାରୁ ଓମ୍ଫେଡ୍ ମାତ୍ର ଗୋଟିଏ ଓଳି କ୍ଷୀର ନେଉଥିବା ବେଳେ ଘରୋଇ କମ୍ପାନିମାନଙ୍କ ଦେଖାମିଳୁନି। ଫଳରେ କ୍ଷୀର ବିକ୍ରି ଅଧା କମି ଯାଇଥିବା ବେଳେ ଛେନା ବିକ୍ରି ପୂରା ବନ୍ଦ ପଡ଼ିଛି। ପନିରକୁ ଚାଷୀମାନେ କମ୍ ମୂଲ୍ୟରେ ଯାଚିକି ଦେବାକୁ ବାଧ୍ୟ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, କଟକ ଜିଲ୍ଲାରେ ପାଖାପାଖି ୮୦ହଜାର ଦୁଗ୍ଧ ଚାଷୀ ଅଛନ୍ତି। ଜିଲ୍ଲାର ନିଆଳି ବ୍ଲକରେ ସର୍ବାଧିକ ୧୮ହଜାର ଦୁଗ୍ଧଚାଷୀ ରହିଥିବାବେଳେ, କଣ୍ଟାପଡା, ସାଲେପୁର, ନିଶ୍ଚିନ୍ତକୋଇଲି, ମାହଙ୍ଗା ବ୍ଲକ ଅଞ୍ଚଳରେ ଅଧିକ ଦୁଗ୍ଧ ଚାଷୀ ରହିଛନ୍ତି। ଜିଲ୍ଲାରୁ କେବଳ ଓମ୍ଫେଡ୍ ୩୦ହଜାର ଚାଷୀଙ୍କଠାରୁ କ୍ଷୀର ନେଇଥାଏ। ୪୫୦ଟି କଟକ ସମବାୟ ଦୁଗ୍ଧ ସଂଘ ମାଧ୍ୟମରେ ଓମଫେଡ଼ ଦିନକୁ ୨ଥରରେ ଏହି ୩୦ହଜାର ଚାଷୀଙ୍କଠାରୁ ୮୦ହଜାର ଲିଟର ଦୁଗ୍ଧ ସଂଗ୍ରହ କରିଥାଏ। କିନ୍ତୁ ଏବେ ଓମଫେଡ କେବଳ ଗୋଟିଏ ସମୟରେ କ୍ଷୀର ନେଉଛି। କିଛି ସ୍ଥାନରେ ଓମଫେଡ୍ କ୍ଷୀର ନେଉ ନଥିବା ମଧ୍ୟ ଦୁଗ୍ଧ ଚାଷୀମାନେ ଅଭିଯୋଗ କରିଛନ୍ତି।
୫ଦିନ ତଳେ ସାଲେପୁର ବ୍ଲକରେ ଓମଫେଡ୍ କ୍ଷୀର ନ ନେବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ଦେଇଥିଲେ। ଅନ୍ୟପଟେ, ଲାକଡାଉନ ପରଠାରୁ ଦୁଗ୍ଧ ସଂଗ୍ରହ କରୁଥିବା ଅନ୍ୟାନ୍ୟ ଘରୋଇ କମ୍ପାନି ମଧ୍ୟ ଚାଷୀଙ୍କଠାରୁ କ୍ଷୀର ନେଉନାହାନ୍ତି। ଫଳରେ,ଚାଷୀଙ୍କ ଶହ ଶହ ଲିଟର କ୍ଷୀର ପ୍ରତିଦିନ ନଷ୍ଟ ହେଉଛି। ଦୁଗ୍ଧ ସଂଗ୍ରହ କମ୍ପାନି କ୍ଷୀର ନେଉ ନଥିବା ବେଳେ ପୂର୍ବରୁ ହୋଟେଲରେ କ୍ଷୀର, ଛେନା ଓ ଦହି କରି ବିକ୍ରି ହେଉଥିଲା। କିନ୍ତୁ ଏବେ ଦୋକାନ, ହୋଟେଲ ସବୁ ବନ୍ଦ ଥିବାରୁ ଦୁଗ୍ଧ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବାଦାମବାଡ଼ି-ଲିଙ୍କ୍ ରୋଡ଼ ମଝିରାସ୍ତାରେ ପ୍ରତିଦିନ ୫ଟା ବେଳେ ଯେଉଁସବୁ ଛେନା ଗାଡି ଲାଗିଥାଏ, ସେସବୁ ବେପାର ଏବେ ବନ୍ଦ। ସେହି କାରଣରୁ ପାଖାପାଖି ୧୫ହଜାର ଚାଷୀଙ୍କ ଛେନା ବେପାର ଏବେ ବନ୍ଦ। ଫଳରେ ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷୀ ଏବେ ଗାଁ ଗାଁ ବୁଲି ଦହି, ଛେନା ବିକ୍ରି କରୁଛନ୍ତି। ଯାହା ପଛେ ମିଳୁ ଗାଈଙ୍କ ଦାନା ଖର୍ଚ ଉଠିଯାଉ, ମାନସିକତା ନେଇ କ୍ଷୀର ବେପାର କରୁଥିଲେ ବି ଅଧାଦିନ କ୍ଷୀର ଫିଙ୍ଗିବାକୁ ପଡୁଛି।
ଓମ୍ଫେଡ୍ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଆମେ ଏବେ ଅଧା କ୍ଷୀର ନେଉଛୁ। ଚାଷୀମାନେ ଅଧିକ ଆଶା ରଖୁଛନ୍ତି, ଯାହାକୁ ନେଇ ଅସନ୍ତୋଷ ଦେଖାଦେଉଛି। ନିଆଳିର ଦୁଗ୍ଧଚାଷୀ କୁଶ ବେହେରା ଦୈନିକ ୩୦କେଜି ଛେନା ପାହାଳ ଓ ଭୁବନେଶ୍ୱରକୁ ନେଇ ବିକ୍ରି କରୁଥିଲେ। ଏବେ ସବୁ ବନ୍ଦ୍ ଥିବାରୁ ସେ ଗାଁ ଗାଁ ବୁଲି ଅଧା ଦାମ୍ରେ ଛେନା ବିକ୍ରି କରୁଛନ୍ତି। ଅଧାଦିନ ବିକ୍ରି ହେଉଛି, ବାକି ଅଧାଦିନ ଯାଚିଗୁଞ୍ଜି ଲୋକଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସବୁ ଚାଷୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।