କାଳିଆପାଣି : କରୋନା କଟକଣା ପାଇଁ ହାତବାନ୍ଧି ବସିଛନ୍ତି ୧୨ ହଜାର ଖଣିଶ୍ରମିକ

କାଳିଆପାଣି : ଅକ୍ଟୋବରରୁ ‌ମେ ମାସ ପର୍ଯ୍ୟନ୍ତ ସୁକିନ୍ଦା କ୍ରୋମ୍‌ ଉପତ୍ୟକା ଖଣି ବ୍ୟବସାୟରେ ଅନୁକୂଳ ଋତୁ। ଆର୍ଥିକ ବର୍ଷ ଶେଷ ସମୟରେ ଖଣିଜ ଉତ୍ପାଦନ ଓ ପରିବହନ କ୍ଷେତ୍ରରେ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବା ପାଇଁ ଖଣି ଶ୍ରମିକମାନଙ୍କୁ ମନଖୁସି କଲା ଭଳି ପ୍ରୋତ୍ସାହନ ରାଶି ମିଳିଥାଏ। ସେହିପରି ନୂତନ ଆର୍ଥିକବର୍ଷ ନିଯୁକ୍ତି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥାଏ। କ୍ରୋମ୍‌ ଉପତ୍ୟକା ଖଣି ବ୍ୟବସାୟରେ ବିଗତ ୫୦ ବର୍ଷର ଗତାନୁଗତିକ ଧାରାକୁ ଅନୁଧ୍ୟାନ କଲେ ମାର୍ଚ୍ଚ ଓ ଏପ୍ରିଲ ମାସ ଖଣି ଶ୍ରମିକଙ୍କ ପାଇଁ ସର୍ବୋତ୍ତମ ସମୟ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ୧୨ ହଜାର ଖଣି ଶ୍ରମିକଙ୍କ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ହଜାର ହଜାର ଶ୍ରମିକଙ୍କ ଜୀବିକା ବାଜିରେ ଲାଗିଛି।

ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ସୁଦ୍ଧା ତିନି କ୍ରିୟାଶୀଳ ଖଣି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି, ମିଶ୍ରିଲାଲ୍‌ ସାରୁଆବିଲ କ୍ରୋମାଇଟ୍‌ ଖଣି ଓ ବିସି ମହାନ୍ତି କମର୍ଦ୍ଦା କ୍ରୋମାଇଟ୍‌ ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ନିଲାମରେ ଉପରୋକ୍ତ ତିନି ଖଣି ପାଇଁ ନୂତନ ଖଣି କମ୍ପାନି ଟିଏସ୍‌. ଆଲଏଜ୍ ଯୋଗ୍ୟ ବିବେଚିତ ହୋଇଛି। ହେଲେ କଟକଣା ପାଇଁ ଉକ୍ତ ତିନିଟିଯାକ ଖଣିରେ ଏବେ ତାଲା ଝୁଲୁଛି। ସବୁକାମ ଠପ୍‌। କମ୍ପାନି କର୍ତ୍ତୃପକ୍ଷ କେବଳ ନିରାପତ୍ତାରକ୍ଷୀ ନିୟୋଜିତ କରି ଖଣି ଓ ବିଭିନ୍ନ ଯନ୍ତ୍ରପାତିକୁ ଜଗି ରହିଛନ୍ତି। ନିଲାମ ପ୍ରକିୟା ପାଇଁ ଟାଟାଷ୍ଟିଲ ସୁକିନ୍ଦା ଖଣିରେ କାର୍ଯ୍ୟରତ ଥିବା ୪ ହଜାର ପାଖାପାଖି ଶ୍ରମିକ ଛଟେଇ ହୋଇଛନ୍ତି। ମିଶ୍ରିଲାଲ୍‌ ସାରୁଆବିଲ ଖଣିରେ ୫ଶହ ଖଣି ଶ୍ରମିକ ଓ ବିସି ମହାନ୍ତି କମର୍ଦ୍ଦା ଖଣିରେ ୮ ଶହ ଶ୍ରମିକ କାମ ହରାଇଛନ୍ତି। ପୂର୍ବରୁ ବନ୍ଦ୍ ପଡ଼ିଥିବା ଫେକର କାଠପାଳ ଭୂତଳ କ୍ରୋମାଇଟ୍‌ ଖଣି, ଇଡକଲ୍‌ ତଳଙ୍ଗି ‌କ୍ରୋମାଇଟ୍‌ ଖଣି ଓ ଜିନ୍ଦଲ ଷ୍ଟେନଲେସ୍ କାଳିଆପାଣି କ୍ରୋମାଇଟ୍‌ ଖଣି ନୂତନ ଆର୍ଥିକ ବର୍ଷରୁ ଖୋଲିବାର ସୁଯୋଗ ଥିଲେ ମଧ୍ୟ କରୋନା ଏଠି ବାଟ ଓଗାଳିଛି। ତିନିଟି ଯାକ ଖଣିରେ କାର୍ଯ୍ୟ କରୁଥିବା ୨ ହଜାର ପାଖାପାଖି ଶ୍ରମିକ ଏବେ ହତାଶ। କାର୍ଯ୍ୟକ୍ଷମ ଥିବା ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି, ସୁକୁରଙ୍ଗି କ୍ରୋମାଇଟ୍‌ ଖଣି ଓ କ୍ରୋମ୍‌ ଓର୍ ବେନିଫିସିଏସନ୍‌ ପ୍ଲାଣ୍ଟ୍‌(ସିଓବିପି)ରେ ନିୟୋଜିତ ଥିବା ସମସ୍ତ ଠିକା ଶ୍ରମିକ ରୋଜଗାର ହରାଇଛନ୍ତି।

ଏସିଆ ମହାଦେଶରେ ସବୁଠୁ ବଡ଼ କ୍ରୋମାଇଟ୍‌ ଖଣି ଡି’କ୍ବାରି ଖଣିର ଖନନ ଓ ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ବିଜିଆର୍ କମ୍ପାନିରେ ନାହିଁନଥିବା ପରିସ୍ଥିତି। ଏଠାରେ କାର୍ଯ୍ୟରତ ଥିବା ୬ ଶହ ଠିକା ଶ୍ରମିକଙ୍କ ମଧ୍ୟରୁ କେବଳ ୪୦ ଜଣ ଅଣଓଡ଼ିଆ ଶ୍ରମିକ କାର୍ଯ୍ୟ କରିବାର ସୁଯୋଗ ପାଉଛନ୍ତି। ଅନ୍ୟମାନେ ହାତବାନ୍ଧି ବସିରହିବା ସହ ସଂପୂର୍ଣ୍ଣ ବେରୋଜଗାର ରହିଛନ୍ତି। ଏଫ୍‌’କ୍ବାରିରେ ୮୪ ଜଣ ବିଭାଗୀୟ ଶ୍ରମିକଙ୍କୁ ଖଣି ଆସିବା ମନା। ଏଠି ୨ଶହରୁ ଅଧିକ ଠିକା ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ଥିଲେ ମଧ୍ୟ ନୂତନ ଠିକାଦାର ଡେକୋ କମ୍ପାନି ପାଇଁ ଖଣି କାର୍ଯ୍ୟର ଶୁଭାରମ୍ଭ ହୋଇପାରିନି। ଓଏମ୍‌ସି ନୂତନ ସିଓବିପି ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ଶହ ଶ୍ରମିକଙ୍କ ପାଇଁ ଏବେ କାମ ନାହିଁ କି ମଜୁରି ନାହିଁ। ସୁକୁରଙ୍ଗି କ୍ରୋମାଇଟ୍‌ ଖଣିରେ ନିୟୋଜିତ ଠିକା କମ୍ପାନି ଓଏସ୍‌ଏଲ୍‌ରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଡମ୍ପିଂ ସମସ୍ୟା ପାଇଁ କାମ ହରାଇଛନ୍ତି। ଓଏମ୍‌ସିରେ କାର୍ଯ୍ୟରତ ଥିବା ୧୮ଶହ ଶ୍ରମିକଙ୍କ ମଧ୍ୟରୁ ମାତ୍ର ଶହେ ଜଣ ଶ୍ରମିକଙ୍କୁ କର୍ମନିଯୁକ୍ତି ମିଳିଛି। ଇମ୍ଫା ସୁକିନ୍ଦା କ୍ରୋମାଇଟ୍‌ ଖଣି ଓ ମହାଗିରି ଭୂତଳ କ୍ରୋମାଇଟ୍‌ ଖଣିରେ ନିୟୋଜିତ ୧୨ଶହ ଶ୍ରମିକଙ୍କ ମଧ୍ୟରୁ ହାତଗଣତି ଦେଢ଼ଶହ ଶ୍ରମିକଙ୍କୁ ନିଭିନ୍ନ ଜରୁରିକାଳୀନ ସେବାରେ ନିଯୁକ୍ତି ମିଳିଛି। ବାଲେଶ୍ବର ଆଲଏଜ୍ ଇସ୍ପାତ କ୍ରୋମାଇଟ୍‌ ଖଣିରେ ନିୟୋଜିତ ଥିବା ୧ ହଜାର ଶ୍ରମିକଙ୍କ ମଧ୍ୟରୁ ମାତ୍ର ଦେଢ଼ଶହ ଶ୍ରମିକ ଖଣିକୁ ଆସୁଛନ୍ତି। ଫେକର ଓସ୍ତପାଳ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍‌ ଖଣିରେ ସମାନ ପରିସ୍ଥିତି। ଦୁଇଟିଯାକ ଖଣିରେ କାର୍ଯ୍ୟରତ ୭ ଶହ ଶ୍ରମିକଙ୍କ ମଧ୍ୟରୁ ହାତଗଣତି ଶହେ ଶ୍ରମିକଙ୍କୁ ବିଭିନ୍ନ କାମ ଯୋଗାଇ ଦିଆଯାଇଛି। କମ୍ପାନି କର୍ତ୍ତୃପକ୍ଷ ମାର୍ଚ୍ଚ ମାସର ଲକ୍‌ଡାଉନ୍‌ ଅବଧିର ପାଉଣା କାଟି ଦେଇଛନ୍ତି। ଏଥିପାଇଁ ସମସ୍ତ ବର୍ଗର ଶ୍ରମିକ ମହଲରେ ଅସନ୍ତୋଷ ‌ତେଜି ଉଠିଛି।

ଏ ସଂପର୍କରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀରଙ୍କୁ ମତାମତ ଲୋଡ଼ିବାରେ ଶ୍ରମିକଙ୍କ ଏତାଦୃଶ ସମସ୍ୟାକୁ ସେ ସ୍ବୀକାର କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ଶ୍ରମିକସଂଘ ସଭାପତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିବା ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର