ପୋଟଳ ଚାଷୀଙ୍କ ପେଟଚିନ୍ତା : ଲକ୍‌ଡାଉନ୍‌ ଯୋଗୁଁ ବିକ୍ରି ହୋଇପାରୁନି, ବିଲରେ ଫସଲ ପଚିଶଢ଼ି ନଷ୍ଟ ହେଉଛି

ବାଲିକୁଦା : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ବେଳେ ଏହାର ସାଂଘାତିକ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଚାଷୀ ତାର ଉତ୍ପାଦିତ ଫସଲ ବିକ୍ରି କରିପାରୁ ନାହିଁ। ବିଲକୁ ଯିବାକୁ ଭୟ କରୁଛି। ବିଲରେ ଫସଲ ପଚିଶଢ଼ି ନଷ୍ଟ ହେଉଛି। ଏଭଳି ସ୍ଥିତିରେ ପୋଟଳ ଚାଷୀଙ୍କ ପେଟଚିନ୍ତା ବଢ଼ିଯାଇଛି।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୋଲଣଗିରି, ରଇପୁର, ସାଉଡିଆ, ବରପଦା ଓ ବଡବାଲିକୁଦା ଆଦି ପଞ୍ଚାୟତର ବହୁ ଚାଷୀ ପୋଟଳ ଚାଷ ଉପରେ ନିର୍ଭର କରିଥାନ୍ତି।‌ ଏହି ପାଞ୍ଚଟି ପଞ୍ଚାୟତ ଅଧିବାସୀଙ୍କ ଜମି ନଦୀକୂଳରେ ଅବସ୍ଥିତ ହୋଇଥିବାବେଳେ ଜମିର ମାଟି ବାଲିଆ ଦୋରସା। ଏହା ମୁଖ୍ୟତଃ ପୋଟଳ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଚାଷୀମାନେ ପୋଟଳ ଚାଷ କରି ଭଲ ଅମଳ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବରପଦା ପଞ୍ଚାୟତର ନିଆଳି ଗ୍ରାମକୁ ପୋଟଳ ଉତ୍ପାଦନର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ। ଗ୍ରାମର ଚାଷୀ ପାଖାପାଖି ୨ଶହ ଏକରରୁ ଅଧିକ ଜମିରେ ପୋଟଳ ଚାଷ କରିଥାନ୍ତି। ବରପଦା ଗ୍ରାମର ଚାଷୀ ୮୦/୧୦୦ ଏକର, ବଡବାଲିକୁଦା ଗ୍ରାମରେ ୫୦/୬୦ ଏକର, ଜନକ ଗ୍ରାମରେ ୩୦/୪୦ ଏକର ଓ ଅନ୍ୟ ୩ଟି ପଞ୍ଚାୟତରେ ୧୦୦ ଏକରରୁ ଅଧିକ ଜମିରେ ପୋଟଳ ଚାଷ କରିଥାନ୍ତି। ପ୍ରତିଦିନ କେବଳ ନିଆଳି ଓ ବରପଦା ଗ୍ରାମରୁ ଟ୍ରିପ୍‌ ଟ୍ରିପ୍‌ ପୋଟଳ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ ହୋଇଥାଏ।

ଗ୍ରାମର କିଛି ଛୋଟଛୋଟ ବେପାରୀ ମୋଟର ସାଇକେଲ୍ ମାଧ୍ୟମରେ ବାଲିଚନ୍ଦ୍ରପୁର, ସାଲେପୁର, ପଟାମୁଣ୍ତାଇ, ମାର୍ଶାଘାଇ ଓ ପାରାଦୀପ ଆଦି ସ୍ଥାନକୁ ନେଇ ବିକ୍ରି କରିଥାନ୍ତି। ବଡ଼ବେପାରୀ କଟକ, ଭୁବନେଶ୍ବର ସମେତ କଲିକତା, ରା‌ଞ୍ଚି, ଟାଟା, ସମ୍ବଲପୁର ଓ ରାଉରକେଲା ଆଦି ବଡ଼ ସହରକୁ ବଡ଼ଗାଡ଼ି ମାଧ୍ୟମରେ ନେଇ ବିକ୍ରି ବଟା କରିଥାନ୍ତି। ଚାଷୀ, ବେପାରୀ ଓ ଗାଡ଼ି ମାଲିକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସମସ୍ତେ ଲାଭବାନ ହୋଇଥାନ୍ତି। ଅଳ୍ପଅଳ୍ପ ଜମିରେ ଚାଷ କରିଥିବା ଚାଷୀ ସ୍ଥାନୀୟ ହାଟବଜାରରେ ବିକ୍ରିକରି ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷୀଙ୍କ କହିବାନୁସାରେ ଗୁଣ୍ଠେ ଜମିରେ ପୋଟଳ ଚାଷ ପାଇଁ ପାଖାପାଖି ୧୮ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ପ୍ରତି ବର୍ଷ ଏହି ଦିନ ବେଳକୁ ଚାଷୀ ଗୁଣ୍ଠପ୍ରତି ୫ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବେଳେ ଚଳିତ ବର୍ଷ ୫ଶହରୁ ୧ହଜାର ଟଙ୍କା ମଧ୍ୟ ହାତକୁ ଆସିନାହିଁ।

କିଛି ଚାଷୀଙ୍କର ନିଜସ୍ବ ଜମିଥିବାବେଳେ ଆଉକିଛି ଭାଗ ଚାଷ କରୁଛନ୍ତି। ଜମି ମାଲିକଙ୍କ ଠାରୁ ୩ଶହରୁ ୬ଶହ ପର୍ଯ୍ୟନ୍ତ ଟଙ୍କା ବାର୍ଷିକ ଲିଜ ସୂତ୍ରରେ ଆଣି ଚାଷ କରିଥାନ୍ତି। କରୋନା ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ହାଟବଜାର ମଧ୍ୟ ପ୍ରାୟତଃ ବନ୍ଦ। ଚାଷୀ ଉତ୍ପାଦିତ ପୋଟଳକୁ ବିକ୍ରି କରିପାରୁନାହିଁ। ଗାଁରେ ଶାଗମାଛ ଦରରେ ମାତ୍ର ୧୫ ରୁ ୨୦ଟଙ୍କା ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ଗାଁ ଗାଁରେ ମୋଟର ସାଇକଲରେ ବିକୁଥିବା ବେପାରୀ ପୁଲିସ ଭୟରେ ମଧ୍ୟ ହାତଟେକି ବସିଛନ୍ତି। ଘରୁ ଗୋଡ଼ କାଢୁ ନାହାନ୍ତି। ଏଭଳି ସ୍ଥିତିରେ ପୋଟଳ ଚାଷୀଙ୍କ ସ୍ଥିତି ଦୋହଲି ଗଲାଣି। ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଚାଷୀ କୁଳମଣି ଜେନା, ଅକ୍ଷୟ କୁମାର ଜେନା, ଗୋପଳ ଜେନା, ପ୍ରମୋଦ ଜେନା, ପ୍ରତାପ ଜେନା, ବଟକୃଷ୍ଣ ଜେନା, ଦଶରଥ ଜେନା, ବିଜୟ କୁମାର ଦାସ ଓ ଜଗନ୍ନାଥ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର