ପୁରୀ, (ଗଦାଧର ପଣ୍ଡା): କରୋନା କଟକଣା, ଲକ୍ଡାଉନ ଯୋଗୁ ରାଜ୍ୟରେ ସମସ୍ତେ ଉଣାଅଧିକେ ପ୍ରଭାବିତ ହୋଇଛନ୍ତି। ତେବେ ରାଜ୍ୟର ୩୦ ଦିନର ଲକ୍ଡାଉନରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ବସ୍ ମାଲିକମାନେ। ରାଜ୍ୟରେ ମୋଟ ୧୪ ହଜାର ବସ୍ ଲକ୍ଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି। ଏହି ସବୁ ବସ୍ର ୮ ହଜାର ମାଲିକ ନିରାଶ ହୋଇପଡିଛନ୍ତି। ସେହିଭଳି ବସ୍ରେ କାମ କରୁଥିବା କର୍ମଚାରୀଙ୍କ ଜୀବନଜୀବିକା ବିପନ୍ନ ହୋଇପଡ଼ିଛି। ଗୋଟିଏ ବସ୍ରେ ଅତି କମ୍ରେ ୪ ଜଣ କର୍ମଚାରୀଙ୍କୁ ହିସାବକୁ ନେଲେ ପ୍ରତ୍ୟକ୍ଷ ଭାବେ ଏହା ଉପରେ ୫୬ ହଜାର ପରିବାରର ଜୀବନଜୀବିକା ନିର୍ଭର କରୁଛି। ସେହିଭଳି ପରୋକ୍ଷ ଭାବେ ଲକ୍ଷାଧିକ ପରିବାର ଗତ ମାସେ ହେବ ଘୋର ପ୍ରଭାବିତ ହୋଇଛନ୍ତି। ସରକାର ଏମାନଙ୍କ ପାଇଁ ମୁଣ୍ଡକାନ ହଲାଉନାହାନ୍ତି।
ମାଲିକଙ୍କଠାରୁ ଦୈନିକ ପାରିଶ୍ରମିକ ନେଉଥିବା ବସ୍ ଚାଳକ, ହେଲପର୍, ଖଲାସି କଣ୍ଡକ୍ଟର୍ ପରିବାର ଏବେ ଆଶା ଆଶଙ୍କାରେ ରହିଛନ୍ତି। ମାଲିକ ଟଙ୍କା ଦେଉନାହାନ୍ତି। ଅନ୍ୟ ପକ୍ଷରେ ମେ ୩ ତାରିଖ ଲକ୍ଡାଉନ୍ ପରେ ମଧ୍ୟ ବସ୍ ଚାଲିବ କି ନାହିଁ ତାହା ମଧ୍ୟ ଆଶଙ୍କା ଭିତରେ ରହିଛି। ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବସ୍ ମାଲିକ, ଚାଳକ ଓ ଅନ୍ୟ କର୍ମଚାରୀଙ୍କ ସୁବିଧା ପାଇଁ କିଛି ବନ୍ଦୋବସ୍ତ କରି ନଥିବା ବସ୍ ମାଲିକ ସଂଘ ଅଭିଯୋଗ କରିଛି। ଦିଲ୍ଲୀ ସରକାର ବସ୍ ଚାଳକଙ୍କ ପରିବାର ପ୍ରତିପୋଷଣ ପାଇଁ ୫ ହଜାର ଲେଖାଏଁ ଟଙ୍କା ଦେଇ ସାରିଥିବା ବେଳେ ଓଡ଼ିଶା ସରକାର ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ଏ ସଂପର୍କରେ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସଂପାଦକ ଦେବେନ୍ଦ୍ର ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମତରେ ରାଜ୍ୟରେ ମୋଟ ୧୪ ହଜାର ବସ୍ ରହିଛି। ତେବେ ଓଡ଼ିଶାରେ ସିଙ୍ଗଲ୍ ଅପରେଟର ସଂଖ୍ୟା ଅଧିକ ହୋଇଥିବା ଦୃଷ୍ଟିରେ ଏହି ୧୪ ହଜାର ବସର ମାଲିକ ସଂଖ୍ୟା କିନ୍ତୁ ୮ ହଜାର ରହିଛି। ତେବେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ରାଜ୍ୟ ସରକାର ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରତିବନ୍ଧକ ମେ ୩ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ମେ ମାସ ୩ ତାରିଖ ପରେ ମଧ୍ୟ ଏ ବିପଦ ଟଳିବ ନାହିଁ । ସାମାଜିକ ଦୂରତା ନିୟମକୁ ପାଳନ କଲେ ବସ୍ରେ ଲୋକେ ଯା’ଆସ ଉପରେ କଟକଣା ଲାଗି ରହିବ। ଅର୍ଥାତ ବସ୍ ଚଳାଚଳ ଜୁନ ମାସ ପରେ ସ୍ବାଭାବିକ ହେବ। ରାଜ୍ୟରେ ୧୪ ହଜାର ବସ୍ ମଧ୍ୟରୁ ପୁରୀରେ ୩୦୦ ରୁଟ୍ ବସ୍ ଓ ୧୫୦ ଟୁରିଷ୍ଟ୍ ବସ୍ ମଧ୍ୟ ପ୍ରଭାବିତ ହୋଇଥିବା ରାଜ୍ୟ ବସ ମାଲିକ ସଂଘ ସଭାପତି ଶ୍ରୀ ପାଣି କହିଛନ୍ତି।
/sambad/media/post_attachments/wp-content/uploads/2020/03/bus-strike-300x166.jpg)
ବସ୍ ଚାଳକ ଓ ଅନ୍ୟ କର୍ମଚାରୀଙ୍କ ପରିବାରର ଦୁର୍ଦ୍ଦଶା ବଢ଼ିବଢ଼ି ଚାଲିଛି। ସରକାର ମାଲିକଙ୍କ ପାଇଁ କିଛି ବ୍ୟବସ୍ଥା କରିନଥିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇପାରୁନଥିବା କହିଛନ୍ତି। କେନ୍ଦ୍ର ସରକାର ଯେଉଁ ୩ ମାସର କିସ୍ତି ଘୁଞ୍ଚାଇଛନ୍ତି ତାହା ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଅର୍ଥାତ ତିନି ମାସ ପରେ ଏହି କିସ୍ତି ସବୁ ଅଧିକ ପରିମାଣରେ ଦେବାକୁ ହେବ। ଏଥିରେ ମାଲିକଙ୍କୁ କୌଣସି ଫଳ ମିଳିବ ନାହିଁ। ଏ ସଂପର୍କରେ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ଗତ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ଦୁଇଟି ଦାବିପତ୍ର ଦିଆଯାଇଥିଲେ ବି ଏହାର କୌଣସି ସୁଫଳ ମିଳିପାରିନାହିଁ। ମାର୍ଚ୍ଚ ମାସର ଟିକସ ଛାଡ଼ କରିବା ପ୍ରଥମ ଦାବି ଥିଲା। ଏହି କ୍ଷମତା ରାଜ୍ୟ ସରକାରଙ୍କ ଥିବାରୁ ସରକାର ଚାହିଁଲେ ଏହାକୁ ଛାଡ଼ କରିପାରିବେ ବୋଲି ରାଜ୍ୟ ବସ୍ ମାଲିକ ସଂଘର ସଂପାଦକ ଶ୍ରୀ ସାହୁ କହିଛନ୍ତି। ସେହିଭଳି ଋଣର ୬ ମାସ ପାଇଁ ସୁଧ ଛାଡ଼ କରିବା, ମୂଳ ଧନ ସହିତ କିସ୍ତି ପରିଶୋଧର ବ୍ୟବସ୍ଥା କରିବା, ବୀମାକୁ ୬ ମାସ ପାଇଁ କୋହଳ କରି ଏହାର ଅବଧିକୁ ବଢାଇବା ପାଇଁ ବସ୍ ମାଲିକ ସଂଘ ଦାବି କରିସାରିଛି। ତେବେ ଶେଷ ଦୁଇଟି ଦାବି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। କେନ୍ଦ୍ର ସରକାର ଏ ନେଇ ତୁରନ୍ତ ବିଚାର କରିବାକୁ ରାଜ୍ୟ ବସ୍ ମାଲିକ ସଂଘ ସଂପାଦକ ଶ୍ରୀ ସାହୁ ନିବେଦନ କରିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଠ କଥା ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ପାଇଁ ବସ୍ ଉପରେ ନିର୍ଭର କରୁଥିବା ଚାଳକ, ହେଲପର୍, କଣ୍ଡକ୍ଟର୍ ଓ ଅନ୍ୟ କର୍ମଚାରୀ ସହ ଏଥିରେ ପରୋକ୍ଷ ଭାବେ ଜଡ଼ିତ କର୍ମଚାରୀଙ୍କ ଭରଣପୋଷଣ ପାଇଁ ସରକାର ବ୍ୟବସ୍ଥା ନ କଲେ କର୍ମଚାରୀମାନେ ଏ ବୃତ୍ତିରେ ଅସୁରକ୍ଷିତ ମନେ କରିବେ। ଏହାଦ୍ବାରା ସମଗ୍ର ଶିଳ୍ପ ପ୍ରଭାବିତ ହେବ ବୋଲି ଶ୍ରୀ ସାହୁ କହିଛନ୍ତି। ରାଜ୍ୟ ସରକାର ଏ ନେଇ ବସ୍ ମାଲିକଙ୍କ ସହିତ ଆଲୋଚନା କରିବାକୁ ସେ ଦାବି କରିଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ସରକାରୀ ସହାୟତା ନ ଦେଲେ ଏ ବ୍ୟବସାୟରେ ତିଷ୍ଠି ରହିବା ଅସମ୍ଭବ ବୋଲି ଉଭୟ ସଭାପତି ଓ ସଂପାଦକ କହିଛନ୍ତି।