ଜୟପୁର, (ସୁରେଶ କୁମାର ନାଇଡୁ): କରୋନା ପାଇଁ ଲକ୍ଡାଉନ୍ ଚାଲୁରହିଥିବା ଯୋଗଁ ଜୟପୁର କେନ୍ଦୁପତ୍ର ଡିଭିଜନ ଅଧିନରେ ଥିବା ୮ଟି ରେଂଜର ୩୩ଟି ସେକସନ୍ରେ ୧୪୯ଟି ପଂଚାୟତର ୫୧୦ଟି ଫଡ଼ି ଘରରେ ୬୬,୯୦୨ ଜଣ କେନ୍ଦୁପତ୍ର ତୋଳାଳି ହାତବାନ୍ଧି ବସିରହିଛନ୍ତି। କେବଳ କେନ୍ଦୁପତ୍ର ତୋଳାଳି ନୁହନ୍ତି, ଏହି କାରବାରରେ ସଂପୃକ୍ତ ଥିବା ୧୨୪୧ ଜଣ ପତ୍ର ବନ୍ଧାଳିଙ୍କ ସମେତ ୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ବି ରୋଜଗାର ହରାଇ ବସିଛନ୍ତି। କରୋନା ଏହି ପରିବାରର ରୋଜଗାର କ୍ଷେତ୍ରରେ ବିରାଟ ପ୍ରତିବନ୍ଧକ ଆଣିଥିବାବେଳେ ଚଳିତବର୍ଷ ସରକାର ପ୍ରଦାନ କରି ଆସୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସହାୟତା ବି ମିଳିବ କି ନାହିଁ ତାକୁ ନେଇ ବି ସନ୍ଦେହ ଦେଖାଦେଇଛି।
ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ତିନୋଟି ଜିଲ୍ଲାରେ କେନ୍ଦୁପତ୍ର ତୋଳାଳିଙ୍କ ଏକ ବିରାଟ ବର୍ଗ ରହିଥିବା ବେଳେ ସେମାନଙ୍କ ପେଟପାଟଣାକୁ ନେଇ ପ୍ରଶ୍ନ ଉୁଠିଛି। ରୋଜଗାର ନଥିବାରୁ ଏହି ଆଦିବାସୀ ପରିବାରର ଆର୍ଥିକ ସ୍ଥିତି ଦୟନୀୟ ହେବାରେ ଲାଗିଛି। ଗତ ୨୦୧୮ମସିହାରେ ଜିଏସ୍ଟି ଲାଗୁ ହେବା ପରେ ବଳକା ରହିଯାଇଥିବା କେନ୍ଦୁପତ୍ର ୨୦୧୯ରେ ୭୨ହଜାର ଷ୍ଟାଣ୍ଡାଡ ବ୍ୟାଗ ବିକ୍ରି ହୋଇଥିଲା। ଚଳିତ ବର୍ଷ ୧୨କୋଟି ୧୨ଲକ୍ଷ ୫ହଜାର କେନ୍ଦୁପତ୍ର କେରି କିଣା ଯିବା ସହ ୯୭ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ ସଂଗ୍ରହ କରି କେରି ପିଛା ୨ଟଙ୍କା ହିସାବରେ ୨୪ କୋଟି ୨୫ଲକ୍ଷ ଟଙ୍କା ତୋଳାଳିଙ୍କୁ ଦେବା ପାଇଁ ଲକ୍ଷ୍ୟ ରହିଥିଲା। କୋରାପୁଟ ଜିଲ୍ଲାରେ ୩୩ଟି ପଂଚାୟତର ୬୦ଟି ଫଡ଼ି ମାଧ୍ୟମରେ ୧୧ହଜାର ୮୪୯ଜଣ ତୋଳାଳିଙ୍କ ମାଧ୍ୟମରେ ୫୮୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କିଣାଯିବା ନେଇ ଯୋଜନା ରହିଥିଲା। ରାୟଗଡା ଜିଲ୍ଲାରେ ୩୪ଟି ପଂଚାୟତର ୭୭ଟି ଫଡ଼ି ମାଧ୍ୟମରେ ୧୦ହଜାର ୧୮୧ଜଣ ତୋଳାଳିଙ୍କ ମାଧ୍ୟମରେ ୬୨୦୦ ଷ୍ଟାଣ୍ଡାର୍ଡ ବ୍ୟାଗ ଓ ମାଲାକାନଗିରି ଜିଲ୍ଲାରେ ୮୨ଟି ପଂଚାୟତର ୩୭୩ଟି ଫଡ଼ି ମାଧ୍ୟମରେ ୪୪ହଜାର ୮୭୨ଜଣ ତୋଳାଳିଙ୍କ ମାଧ୍ୟମରେ ୮୫୦୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କିଣାଯିବା ଯୋଜନା ରହିଥିଲା। କେନ୍ଦୁପତ୍ର କ୍ରୟ କରିବା ପାଇଁ ଗତ ଅକ୍ଟୋବର ୨୦୧୯ରୁ ଜାନୁଆରି ୨୦୨୦ ମଧ୍ୟରେ ବନଖଣ୍ଡର ୩୩ଟି ସେକସନ୍ ମଧ୍ୟରୁ ୩୨ଟି ସେକସନ୍ର ନିଲାମ କରାଯିବା ସହ ଅଗ୍ରୀମ ଏକତୃତୀୟାଂଶ ଟଙ୍କା ବିଭିନ୍ନ ରାଜ୍ୟର ନିଲାମଧାରୀ ଜାମା କରି ସାରିଲେଣି। ଏମାନଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରି ମାସରେ (ବୁସ୍କଟିଂ)ଲତାବୁଦା ସଫା କରାଯାଇଥିଲା।
ଏପ୍ରିଲରୁ ମେ ମାସ ମଧ୍ୟରେ ତୋଳିବା ଆରମ୍ଭ ହୋଇଥାନ୍ତା। ୩୨ଟି ସେକସନ୍ରେ ନିଲାମ ସରିଥିବାରୁ କେନ୍ଦୁଲିଫ୍ ଡିଭିଜନ ବି ନିଲାମଧାରୀଙ୍କୁ ୧୨୯ଟି ଗୋଦାମ ହସ୍ତାନ୍ତର କରିଛି। ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ଓ ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ିବା ସାଂଗକୁ ଜିଲ୍ଲା ତଥା ରାଜ୍ୟର ସୀମା ସିଲ୍ ହେବା ଫଳରେ ନିଲାମ ନେଇଥିବା ମହାରାଷ୍ଟ୍ର, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କଂପାନି କର୍ମଚାରୀ ଓ ବେପାରୀ ଏଠାରେ ପହଞ୍ଚିପାରୁନାହାନ୍ତି। ଯଦି ସେମାନେ ଅନ୍ୟ ରାଜ୍ୟରୁ ଆସିବେ ତେବେ ଓଡିଶା ସୀମାନ୍ତରେ ହିଁ ସେମାନଙ୍କୁ କଡା ଯାଂଚ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରହିବାକୁ ପଡିପାରେ। ଅନ୍ୟପକ୍ଷରେ, ଏହି ସମୟରେ କେନ୍ଦୁପତ୍ର ତୋଳାଳି ଜଣ ପିଛା ୪ ହଜାର ଟଙ୍କା ଆଦାୟ କରିଥାନ୍ତି।
ରାଜ୍ୟ ସରକାର କରୋନା ଲକ୍ଡାଉନ୍ ସତ୍ବେ କୃଷି, ମତ୍ସ୍ୟ ଓ ଗୋସଂପଦ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରୁ କଟକଣା ହଟାଇ ଥିବାବେଳେ କେନ୍ଦୁପତ୍ର ତୋଳାକୁ ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଇତିମଧ୍ୟରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେଇଥିବାବେଳେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ପାଇଁ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି।