ଲକ୍‌ଡାଉନ୍‌ ଘୋଷଣା ପରେ ଟମାଟୋ ବିଲରେ ପଚୁଛି, ତୋଳା ହେଉନି ବାଇଗଣ, ମୁଣ୍ଡରେ ହାତ ଦେଲେଣି ଚାଷୀ

ଉଚ୍ଚ ଶିକ୍ଷିତ ଟମାଟୋ ଚାଷୀ କାଳିଆ ବି ଚିନ୍ତାରେ

ବ୍ରହ୍ମପୁର : କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ସବୁ ଯେମିତି ଠପ୍‌ ହୋଇଯାଇଛି। କୃଷି କ୍ଷେତ୍ରରେ ବେଶି ପ୍ରଭାବିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଟମାଟୋ ଚାଷୀ। ରବି ଋତୁରେ ପରିବା ଚାଷ କରି ଦି ପଇସା ରୋଜଗାର କରୁଥିବା ଚାଷୀଙ୍କ ଟମାଟୋ ଓ ବାଇଗଣ ଆଦି ବିକ୍ରି ହୋଇପାରୁ ନାହିଁ। ଶ୍ରମିକ ଲଗାଇଥିବା ବାଇଗଣ ଓ ଟମାଟୋ ତୋଳିଲେ ବି ଶ୍ରମିକଙ୍କ ମଜୁରି ବି ଉଠୁନାହିଁ। କିଛି ଚାଷୀ ବିଲରୁ ଆଉ ଟମାଟୋ ଓ ବାଇଗଣ ତୋଳୁ ନାହାନ୍ତି। ଟମାଟୋ ବିଲରେ ଝଡ଼ି ପଚୁଛି। ବର୍ଷକର ଫସଲ ହରାଇ ଚାଷୀ ଚିନ୍ତାରେ ରହିଛନ୍ତି।

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍‌ ଅର୍ନ୍ତଗତ ଝାରେଡ଼ି ରାଧାଗୋବିନ୍ଦପୁର, ସୁବଳୟା ଓ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଅଧିକାଂଶ ଚାଷୀ ଟାମାଟୋ ଓ ବାଇଗଣ ଚାଷ କରନ୍ତି। ଏହି ୩ଟି ପଞ୍ଚାୟତର ଶହ ଶହ ଏକର ଚାଷ ଜମିରେ ପ୍ରତିବର୍ଷ ଟାମାଟୋ ଚାଷ ହେଉଛି। ଏଠାରୁ ଟା‌ମାଟୋ ବ୍ରହ୍ମପୁର, ପୋଲସରା, କୋଦଳା, ଖୋର୍ଦ୍ଧା, ବାଲେଶ୍ବର ଓ କଟକ ଆଦି ଅଞ୍ଚଳକୁ ପଠା ଯାଇଥାଏ। ଚଳିତ ବର୍ଷ ପାଗ ଅନୁକୂଳ ହେବା ଯୋଗୁଁ ଟାମାଟୋ ଓ ବାଇଗଣ ଭଲ ହୋଇଥିଲା। ରୋଜଗାର ଭଲ ହେବ ବୋଲି ଆଶା ବାନ୍ଧିଥିବା ଚାଷୀଙ୍କଠାରୁ ଏବେ କରୋନା ସବୁ କିଛି ଛଡ଼ାଇ ନେଇଛି। ଜିଲ୍ଲାରେ ଗତ ୧୫ତାରିଖରୁ କଟକଣା ଜାରି ହୋଇଛି। ଏଥିସହ କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ସବୁ କିଛି ଠପ୍‌। ନିର୍ଦ୍ଦିଷ୍ଟ ସମୟ ପାଇଁ ପରିବା ବଜାର ଖୋଲୁଛି। ଫଳରେ ଟମାଟୋ ଓ ବାଇଗଣ ଯେତିକି ବଜାରକୁ ପରିବହନ ହେବା କଥା ଓ ଯେଉଁଭଳି ବିକ୍ରି ହେବା କଥା ହେଉନାହିଁ। ବାହାର ଅଞ୍ଚଳକୁ ବି ବିକ୍ରି ପାଇଁ ଯାଉନାହିଁ। କ୍ଷେତ ନିକଟରେ ଚାଷୀ ଟମାଟୋ କିଲୋ ୨ଟଙ୍କା ଏବଂ ବାଇଗଣ ୩ରୁ ୪ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ‌ ହେଉଛନ୍ତି। ଯେଉଁ ଚାଷୀ କମ ଜମିରେ ଫସଲ କରିଛନ୍ତି ଏବଂ ପରିବାରର ଅଧିକ ସଦସ୍ୟ ରହିଛନ୍ତି ସେମାନେ କିଛି କିଛି ତୋଳି ବିକ୍ରି କରୁଛନ୍ତି। କିନ୍ତୁ ଶ୍ରମିକ ଲଗାଇ ଟାମାଟୋ ତୋଳୁଥିବା ଚାଷୀ ତୋଳା ମଜୁରି ବାହାରୁ ନ ଥିବାରୁ ଆଉ ଟମାଟୋ ତୋଳୁ ନାହାନ୍ତି। ଏକର ଏକର ଜମି‌ରେ ଟମାଟୋ ପଚି ନଷ୍ଟ ହେଉଛି। କରୋନା ଏହି ଟମାଟୋ ଚାଷୀଙ୍କ ବର୍ଷକର ଫସଲ ଛଡ଼ାଇ ନେଇଛି। ଝାରେଡ଼ି ରାଧାଗୋବିନ୍ଦ ଗ୍ରାମର ଆଦିତ୍ୟ ନାହାକ, ସିପକୁଦା ଗ୍ରାମର ପ୍ରମୋଦ କୁମାର ନାହାକ, ସତ୍ୟବାନ ନାହାକ, ମାନସ ରଞ୍ଜନ ନାହାକ ପ୍ରମୁଖ ଚାଷୀ ବର୍ଷକର ଫସଲ ହରାଇ ଭାଙ୍ଗି ପଡ଼ିଛନ୍ତି। ଗଞ୍ଜାମ ବ୍ଲକ୍‌ରେ କେବଳ ଏ ସ୍ଥିତି ନୁହଁ, ଜିଲ୍ଲାର ସମୁଦାୟ ପରିବା ଚାଷୀକୁଳ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି।

ଉଚ୍ଚ ଶିକ୍ଷିତ ଟମାଟୋ ଚାଷୀ କାଳିଆ ବି ଚିନ୍ତାରେ
ଗଞ୍ଜାମ ବ୍ଲକ୍‌ ଝାରେଡ଼ି ରା‌ଧାଗୋବିନ୍ଦପୁର ଗାଁର ଯୁବ ଟମାଟୋ ଚାଷୀ କାଳିଆ ନାହାକ ଏବେ ଏଭଳି ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପିଲାଟି ଦିନରୁ କାଳିଆ ଚାଷ କାମ ସହିତ ଭଲ ପଢ଼ାପଢ଼ି ବି କରୁଥିଲେ। ୨୦୧୩ ମସିହାରେ ବାଲେଶ୍ବରର ଏବିଏ କଲେଜରୁ ଏମ୍‌ସିଏ ପାସ୍‌ କରିଥିଲେ। ଏମ୍‌ସିଏ ପଢୁଥିବା ବେଳେ ତାଙ୍କ ବାପା ଈଶ୍ବର ଚନ୍ଦ୍ର ନାହାକ ଆରପାରିକୁ ଚାଲିଗଲେ। ପଢ଼ା ସାରି ଘରକୁ ଫେରିଲେ କାଳିଆ। ଉଚ୍ଚଶିକ୍ଷା ଲାଭ କରିଥିବାରୁ ଚାକିରି ଲାଗି ବାଙ୍ଗାଲୋର ଗଲେ। ସେଠାରେ ୮ରୁ ୯ମାସ ଏକ ସ‌ଫ୍ଟୱେର କମ୍ପାନିରେ ଚାକିରି କଲେ। ହେଲେ ଚାକିରି ମୋହ ତାଙ୍କୁ ବେଶି ଦିନ ବାନ୍ଧି ରଖି ପାରିଲାନି। ସେଠାରୁ ଚାକିରି ଛାଡ଼ି ପୁଣି ଗାଁ ଫେରିଲେ। ସାନ ଭାଇ ଓ ବିଟେକ୍‌ ପଢ଼ିଥିବା ସାନ ଭଉଣୀ ଓ ମାଆଙ୍କୁ ସାଥିରେ ନେଇ କାଳିଆଙ୍କ ସପରିବାର ଏବେ ଚାଷ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। କାଳିଆ କହନ୍ତି, ଆମର ୪ଏକର ଜମି ରହିଛି। ୩ ଏକର ଜମିରେ ଅମଳ ସରିଛି। ଆଉ ଗୋଟିଏ ଏକର ଜମିରେ ଟମାଟୋ ଫସଲ ରହିଛି। ବିକ୍ରି ହେଉ ନ ଥିବାରୁ ପ୍ରାୟ ଦଶ ଦିନ ହେଲା ଆଉ ଟମାଟୋ ତୋଳା ହେଉନାହିଁ।

ସମ୍ବନ୍ଧିତ ଖବର