ରାଉରକେଲା : କରୋନା କଟକଣା ପାଇଁ ଶିଳ୍ପ ସମୃଦ୍ଧ ସୁନ୍ଦରଗଡ ଜିଲ୍ଲାରେ ହୋଟେଲ୍ ଶିଳ୍ପକୁ ବଡ୍ ଝଟକା ଲାଗିଛି। ଜିଲ୍ଲାରେ ପ୍ରାୟ ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ ଓ ଲଜ୍ରେ ତାଲା ଝୁଲୁଛି। ଏଥିପାଇଁ ବିପନ୍ନ ହୋଇଛି ୩,୫୦୦ରୁ ଅଧିକ ପରିବାରର ଜୀବନ ଜୀବିକା। କେମିତି ପରିବାର ପ୍ରତିପୋଷଣ କରିବେ ଦୁଃଖରେ ଭାଙ୍ଗି ପଡିଛନ୍ତି କର୍ମଚାରୀମାନେ। କେବେ କରୋନା କଟକଣା ଉଠିବ। ପୂର୍ବଭଳି କାମରେ ଯୋଗଦେବେ। ଏ କଥା ଭାବି ଭାବି ଦୁଃଖରେ ଭାଙ୍ଗି ପଡିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲଜ୍ ଓ ରେଷ୍ଟୁରାଣ୍ଟରେ କାମ କରୁଥିବା କର୍ମଚାରୀଙ୍କ ଏମିତି ଦୟନୀୟ ଜୀବନ ବିତାଉଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳୁଥିବା ଏବେ ଦିନକୁ ଠିକ୍ ଭାବେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। କେବଳ କର୍ମଚାରୀ ନୁହେଁ ମାଲିକମାନଙ୍କର ମଧ୍ୟ ଚିନ୍ତା ସମ ପରିମାଣରେ ବଢ଼ି ଯାଇଛି। ରୁଗ୍ଣ ସ୍ଥିତିରେ ଚାଲୁଥିବା ହୋଟେଲ ଶିଳ୍ପକୁ କିପରି ଜିଲ୍ଲାରେ ବଞ୍ଚାଇ ରଖିବେ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଦି କଟକଣା ଏପ୍ରିଲ ୧୪ ପରେ ଜାରି ରହେ ସ୍ଥିତି ଆହୁରି ସଙ୍ଗିନ୍ ହୋଇ ପଡିବ ବୋଲି ଆଶା ପୋଷଣ କରିଛନ୍ତି ହୋଟେଲ ମାଲିକ।
ରାଉରକେଲାରେ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ମହମ୍ମଦ କୌଶର ଜମିଲ, ଶୈଳେନ୍ଦ୍ର ମହାନ୍ତି କହିଛନ୍ତି, ଶିଳ୍ପ କ୍ଷେତ୍ରରେ ହୋଟେଲ ଶିଳ୍ପ ଅନ୍ୟତମ। ଉଭୟ ଦେଶ ଓ ରାଜ୍ୟର ଅର୍ଥନୈତିକ ବିକାଶରେ ହୋଟେଲ୍ ଶିଳ୍ପର ରହିଛି ପ୍ରମୁଖ ଭୂମିକା। ଏପରି ସମୟରେ କରୋନା କଟକଣା ଜିଲ୍ଲାର ହୋଟେଲ୍ ଓ ଲଜ୍ ମାଲିକଙ୍କ ଆର୍ଥିକ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ସମସ୍ୟା ଏମିତି ହୋଇଛି ଯେ, ମାସିକ ବିଜୁଳି ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଛି। ସେପଟେ କର୍ମଚାରୀ ପରିବାର ଚିନ୍ତା ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କଟକଣା ନ ଉଠିଲେ କ୍ଷତିରେ ଚାଲୁଥିବା ଅନେକ ଲଜ୍ ବନ୍ଦ ହୋଇଯିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଆଉ କିଛି ମାଲିକ ହୋଟେଲ୍ ଶିଳ୍ପରୁ ଓହରିଯିବାକୁ ଚିନ୍ତା ମଧ୍ୟ କଲେଣି।
ଶିଳ୍ପ ସମୃଦ୍ଧ ସୁନ୍ଦରଗଡ ଜିଲ୍ଲାରେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ରାଉରକେଲା ସହରରେ ସର୍ବାଧିକ ହୋଟେଲ, ଲଜ୍ ରହିଛି। ସହରର ମୁଖ୍ୟ ମାର୍ଗ, ଇସ୍ପାତ ସହାଞ୍ଚଳ, ସିଭିଲଟାଉନସିପ୍, ଉଦିତନଗର, ପାନପୋଷ ରୋଡ, ସେକ୍ଟର-୪ରେ ୯୦ରୁ ଅଧିକ ଛୋଟ ବଡ ହୋଟେଲ, ରେଷ୍ଟୁରାଣ୍ଟ ରହିଛି। ରାଜଗାଙ୍ଗପୁର, ସୁନ୍ଦରଗଡର ପାଖାପାଖି ୫୦ ହୋଟେଲ, ଲଜ୍ ଚାଲୁଛି। ହୋଟେଲ ଓ ଲଜ୍ରେ ସାଢ଼େ ୩ ହଜାର କର୍ମଚାରୀ କାମ କରୁଛନ୍ତି। ମାସିକ ପ୍ରାୟ ୮ରୁ ୧୦ କୋଟିର କାରବାର ହୋଇଥାଏ। ଏମିତି ଭାବେ ବର୍ଷକୁ ପାଖାପାଖି ୧୦୦ରୁ ୧୨୦ କୋଟି ବେପାର ହୋଇଥାଏ। ମିନି ଇଣ୍ଡିଆ ଭାବେ ପରିଚିତ ସହରର ବୃହତ ଇସ୍ପାତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି), ଖଣି, ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସହ ଅନେକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ରହିଛି। ପୁଣି ଆଗାମୀ ଦିନରେ ସହରରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ହେବାକୁ ଯାଉଛି। ଏସବୁ ଦୃଷ୍ଟିକୋଣରୁ ଜିଲ୍ଲାରେ ହୋଟେଲ୍ ଓ ଲଜ୍ର ଆବଶ୍ୟକତା ରହିଛି।