ଦୁଗ୍ଧଚାଷୀଙ୍କୁ ତାଲାବନ୍ଦ ମାଡ଼: ବିକ୍ରି ହେଉନି କ୍ଷୀର, ଚିନ୍ତାରେ ଗୋପାଳକ

ବାଲିକୁଦା : ତାଲାବନ୍ଦ ତଥା ସଟ୍‌ଡାଉନର ସିଧାସଳଖ ପ୍ରଭାବ ପଡ଼ିଛି ଗୋପାଳଙ୍କ ମୁଣ୍ଡରେ। ଉତ୍ପାଦିତ କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ହୋଇପାରୁନି। ବଡ଼ଚଣା ବ୍ଲକର ଶତାଧିକ ଗୋଚାଷୀ ଏବେ ସଙ୍କଟରେ। ରଇପୁର, ସାଉଡ଼ିଆ, ବରପଦା, ବଡ଼ବାଲିକୁଦା, ମଝିପଡ଼ା, ଗୋପାଳପୁର ଓ କୋଲଣଗିରି ଆଦି ପଞ୍ଚାୟତରେ ବହୁ ଲୋକ ଗୋପାଳନ କରି ଜୀବିକା ନିର୍ବାହ କରୁଛନ୍ତି। ବିଭିନ୍ନ ଜାତୀୟକରଣ ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା, ମହିଳା ସ୍ବୟଂସହାୟକ ଗୋଷ୍ଠୀରୁ ଟଙ୍କା ନେଇ ଲୋକମାନେ ଗୋପାଳନ କରୁଛନ୍ତି। କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ସରକାର ତାଲାବନ୍ଦ ଘୋଷଣା କରିବା ପରେ ବଜାରଘାଟ ପ୍ରାୟତଃ ବନ୍ଦ ରହୁଛି। ମିଠା ଦୋକାନ ତ ପୂରା ବନ୍ଦ। ଛେନା, ପନିରର ବଡ଼ ଗ୍ରାହକ ଥିବା ହୋଟେଲ ମଧ୍ୟ ବନ୍ଦ। ରାଜ୍ୟ ସରକାରଙ୍କ ଓମ୍‌ଫେଡ୍‌ ମଧ୍ୟ ଦୁଗ୍ଧ ସଂଗ୍ରହ କମାଇ ଦେଇଛି। ପରିଣାମ ଦୁଗ୍ଧ ଚାଷୀଙ୍କ ହାତ ବନ୍ଧା ହୋଇଯାଇଛି। କିନ୍ତୁ ଗାଈକୁ ଖାଇବାକୁ ଦେବା ତ ବନ୍ଦ କରିବା ସମ୍ଭବ ନୁହେଁ। ସେ ବାବଦ ଖର୍ଚ୍ଚ ଜାରି ରହିଛି। ଏଣେ ଆୟ ଶୂନ। ଏଭଳି ସ୍ଥିତିରେ କେଉଁଠୁ ଟଙ୍କା ଆଣି ଗୋଖାଦ୍ୟ କିଣିବେ ସେହି ଚିନ୍ତା ଚାଷୀଙ୍କୁ ଘାରିଛି।

ସାଉଡ଼ିଆ ଗ୍ରାମର ଉଚ୍ଚଶିକ୍ଷିତ ଯୁବକ ତୁଷାରକାନ୍ତ ପରିଡ଼ା। ନିଜ ଉଦ୍ୟମରେ ପୁଞ୍ଜି ଖଟାଇ ସେ ୪/୫ ବର୍ଷ ହେବ ଗୋପାଳନ ଆରମ୍ଭ କରିଛନ୍ତି। ତାଙ୍କ ପାଖରେ ୫ ଟି ଗାଈ ଓ ୬ ଟି ବାଛୁରି ଅଛନ୍ତି। ଗାଈଗୁଡ଼ିକ ଜର୍ସି, ହଲିଷ୍ଟିନ, ସିନ୍ଧ୍ରି ଓ ରାଜସ୍ଥାନୀ ଜାତୀୟ। ଦିନକୁ ପ୍ରାୟ ୬୦ ଲିଟ କ୍ଷୀର ସେ ପାଉଥିଲେ। ତାକୁ ଓମଫେଡ ମାଧ୍ୟମରେ ବିକ୍ରି କରୁଥିଲେ। ମିଳୁଥିବା ଅର୍ଥ‌ରେ ଗାଈକୁ ଦାନା ଦେବା ସହ ପରିବାର ଚଳାଉଥିଲେ। କିଛି ସମସ୍ୟା ନଥିଲା। ତାଲା ବନ୍ଦ ପରେ ୩/୪ ଦିନ ହେବ ଓମଫେଡ୍‌ କ୍ଷୀର ନେବା ବନ୍ଦ କରି ଦେଇଛି। ଏତେ କ୍ଷୀର ବା ନେବ କିଏ। ବାଣ୍ଟିଲେ ବି ବଳି ଯାଉଛି। ଅର୍ଥ ଅଭାବରୁ ଗୋଖାଦ୍ୟ କିଣି ପାରୁନାହାନ୍ତି। ଏବେ ୪୦ ଲିଟର କ୍ଷୀର ହେଉଛି। ତାକୁ ବିକିବା ମୁସ୍କିଲ ହୋଇଯାଉଛି। ବରପଦା ଗ୍ରାମର ଚାଷୀ ଖଗେଶ୍ବର ଦାସ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ଗୋପାଳନ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କର ୪ ଟି ଗାଈ ଓ ୪ ବାଛୁରି ଅଛନ୍ତି। ପ୍ରତିଦିନ ଦୁଇଓଳିରେ ୬୦ ଲିଟର କ୍ଷୀର ହୋଇଥାଏ। ସେଥିରୁ ଛେନା ମାରି ମିଠା ଦୋକାନରେ ବିକ୍ରି କରିଥାନ୍ତି। ଦୋକାନବଜାର ବନ୍ଦ ପରେ ଛେନା ବା କିଣିବ କିଏ ବୋଲି ସେ କହନ୍ତି। ଗୋଖାଦ୍ୟ କିଣି ହେଉନି କି ଋଣ କିସ୍ତି ଦେଇ ପାରୁନଥିବା ସେ କହିଛନ୍ତି।

ନାରାୟଣପୁର ଗ୍ରାମର ଭରତ ଚନ୍ଦ୍ର ଦାସଙ୍କ ସମାନ ସମସ୍ୟା। ସେ ମଧ୍ୟ ଛେନା ବ୍ୟବସାୟ କରି ଚଳୁଥିଲେ। ବର୍ତ୍ତମାନ ସ୍ଥିତିରେ ସେ ପାଳିଥିବା ୫ ଟି ଗାଈଙ୍କୁ ଦାନା ଦେଇ ପାରୁନାହାନ୍ତି। ନିଆଳି ଗ୍ରାମର ରାଜୁ ଦାସ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କ ଉତ୍ପାଦିତ ୮୦ ଲିଟର କ୍ଷୀରରୁ ସେ ଛେନା କାଟି ମିଠା ଓ ପନିର କରିଥାନ୍ତି। ଗାଁ ଗାଁରେ ସେ ବିକ୍ରି କରିଥାନ୍ତି। ବାରିପଦାକୁ ମଧ୍ୟ ଛେନା ପଠାଇଥାନ୍ତି। ତାଲାବନ୍ଦ ଯୋଗୁଁ ତାଙ୍କ ହାତ ବନ୍ଦ ହୋଇଯାଇଛି। ସେହି ଗ୍ରାମର ପିଣ୍ଟୁ ଧଳ, ଟିକୁ ସାମଲଙ୍କ ସହ ଅ‌ନେକେ ଗୋଚାଷୀ ଏବେ ଏଭଳି ସଙ୍କଟକୁ ସାମନା କରୁଛନ୍ତି।

ସମ୍ବନ୍ଧିତ ଖବର