ଭୁବନେଶ୍ବର : ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଗାଡ଼ି ମଟର ଚଳାଚଳ ସାଙ୍ଗକୁ ଦୋକାନ ବଜାର ଖୋଲିବା ଉପରେ କଟକଣା ଲାଗିଛି। ଦୁଗ୍ଧ, ମାଂସ, ମାଛ, ଅଣ୍ଡା, ପନିପରିବା ବ୍ୟବସାୟୀକୁ କଟକଣାରୁ ବାଦ୍‌ ଦିଆଯାଇଛି। ତା' ପରେ ବି ରାଜ୍ୟରେ ଦୁଗ୍ଧ ବିକ୍ରି ହ୍ରାସ ପାଇଛି। ଏବେ ଓମ୍‌ଫେଡ୍‌ ପକ୍ଷରୁ ଦୈନିକ ପ୍ରାୟ ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଥିବାବେଳେ ଦୁଗ୍ଧ ବିକ୍ରି କମିଛି। ପୂର୍ବରୁ ଦୈନିକ ୩.୭୫ଲକ୍ଷ ଲିଟର ବିକ୍ରି ହେଉଥିଲା। ଲକଡାଉନ୍‌ ପାଇଁ ଗତ ଦୁଇ ଦିନ ହେଲା ଦୈନିକ ୧ ଲକ୍ଷ ୭୫ ହଜାର ଲିଟର ଦୁଗ୍ଧ ବିକ୍ରି ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କଠାରୁ ଦୁଗ୍ଧ କ୍ରୟ ଉପରେ ଓମ୍‌ଫେଡ୍‌ କଟକଣା ଲଗାଇଛି। ମେ' ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ୍‌ ପକ୍ଷରୁ କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଜୋନ୍‌, କେନ୍ଦୁଝର, ବାଲେଶ୍ବର-ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ-ଗଜପତି, କେଏମ୍‌ଏନ୍‌ଆର ରିଜିଅନ୍‌, ବିକେଏନ୍‌ ରିଜିଅନ୍‌, ବୌଦ୍ଧ-କନ୍ଧମାଳ ମିଲ୍କ ୟୁନିଅନ୍‌ର ଜେନେରାଲ ମ୍ୟାନେଜରଙ୍କୁ କୁହାଯାଇଛି। ଓମଫେଡ୍‌ର ଏଭଳି ନିଷ୍ପତ୍ତି ଯୋଗୁଁ ଦୁଗ୍ଧ ଚାଷୀମ‌ାନେ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Advertisment

ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି ଯେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ ଲାଗି ଓଡ଼ିଶାରୁ ସଂଗୃ୍ହୀତ ଦୁଗ୍ଧକୁ ବାହାର ରାଜ୍ୟକୁ ପଠାଯାଇଥାଏ। ତେବେ କରୋନା କଟକଣା ଲାଗୁ ହେବାପରେ ବାହାରକୁ ପଠାଯାଇ ପାରୁନାହିଁ। ଗୋଟିଏ ପଟେ ଦୁଗ୍ଧ ରପ୍ତାନି ପ୍ରଭାବିତ ହୋଇଥିବା ବେଳେ ଓମ୍‌ଫେଡ୍‌ ଡେରିରେ ଦୈନିକ ଦୁଗ୍ଧ ଧାରଣ କ୍ଷମତା ବୃଦ୍ଧି ପାଇଛି। ଓମ୍‌ଫେଡ୍‌ ଡେରିଗୁଡ଼ିକର ଦୁଗ୍ଧ ଧାରଣା କ୍ଷମତା ୯.୧ ଲକ୍ଷ ଲିଟର ଥିବାବେଳେ ଏବେ ଦୈନିକ କ୍ଲୋଜିଂ ଷ୍ଟକ୍‌ ପ୍ରାୟ ୮.୫ଲକ୍ଷ ଲିଟର ରହୁଛି। ଏବେ ଦୁଗ୍ଧ ସଂଗ୍ରହରେ ବାଧା ସୃଷ୍ଟି ହେବ ନାହିଁ, ବରଂ ଦୁଗ୍ଧର ଗୁଣବତ୍ତା ନଷ୍ଟ ହେବ। ତେଣୁ ଦୈନିକ ଦୁଗ୍ଧ ସଂଗ୍ରହକୁ କମ୍‌ କରିବାକୁ ୟୁନିଅନଗୁଡ଼ିକୁ କୁହାଯାଇଛିଓମ୍‌ଫେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଗ୍ଧ ସଂଗ୍ରହ ନ କରିବାକୁ କୁହାଯାଇଛି। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କମ୍‌ ଦୁଗ୍ଧ ସଂଗ୍ରହ କରନ୍ତୁ। କିଛି ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବା ପରେ ପୁଣିଥରେ ପୂର୍ଣ୍ଣ ମାତ୍ରାରେ ଦୁଗ୍ଧ ସଂଗ୍ରହ କରାଯିବ। ତେଣୁ ଚାଷୀମାନେ ଏହି ସମୟରେ ଆମକୁ ସହଯୋଗ କରନ୍ତୁ।