ବାହାରେ କଲବଲ ହେଉଛନ୍ତି ଲକ୍ଷାଧିକ ଓଡ଼ିଆ

କେନ୍ଦ୍ରର ହସ୍ତକ୍ଷେପ: ରାସ୍ତାକଡ଼ରେ ସହାୟତା ଶିବିର ଖୋଲି‌ବେ ରାଜ୍ୟ

ସରକାରଙ୍କ କଣ୍ଟ୍ରୋଲ ରୁମ୍‌କୁ ବିରାମ ନାହିଁ, ୬ରାଜ୍ୟରୁ ବେଶି ଫୋନ୍‌
୫୦ହଜାର ଲୋକଙ୍କ ହାତରେ କାମ, ଖାଦ୍ୟ, ରହିବାକୁ ଜାଗା ନାହିଁ
ଓଡ଼ିଆ ସଂଗଠନଙ୍କ ସହଯୋଗ ଲୋଡ଼ିଲେ ନବୀନ

ଭୁବନେଶ୍ବର : କିଏ ଆନ୍ଧ୍ରପ୍ରଦେଶରେ ତ ଆଉ ଉତ୍ତରପ୍ରଦେଶର କେଉଁ ଏକ ଅଜଣା ସ୍ଥାନରେ, ପୁଣି କିଏ ତାମିଲନାଡୁରେ। କର୍ଣ୍ଣାଟକ, ଗୁଜୁରାଟ, କେରଳରେ ଓଡ଼ିଆ ଲୋକ ଚିିତ୍କାର କରୁଛନ୍ତି। କିଏ ଘରୁକୁ ଫେରିବା ଲାଗି ଚାହୁଁଛି, ଆଉ କାହା ପାଖେ ଖାଇବା ଓ ରହିବାକୁ ଜାଗା ନାହିଁ। ଏଭଳି ଲକ୍ଷାଧିକ ଲୋକଙ୍କ ଯନ୍ତ୍ରଣା ବଢାଇ ଦେଇଛି କରୋନା।

ସାରା ଭାରତବର୍ଷରେ ଖେଳେଇ ହୋଇ ରହିଥିବା ଏଭଳି ଓଡ଼ିଆ ଶ୍ରମିକ ଓ ବ୍ୟକ୍ତିବିଶେଷ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଲେଣି। କାମ ବନ୍ଦ ହୋଇଯିବା କାରଣରୁ ଓଡ଼ିଆ ଶ୍ରମିକ, ଡ୍ରାଇଭର ଆଦି ଭାବେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ସ୍ଥିତି ବିପନ୍ନ ହୋଇଗଲାଣି। କେଉଁଠି ଔଷଧ ନାହିଁ, ଆଉ କାହା ପାଖେ ଖାଇବା। କିଏ ମୁଣ୍ଡ ଗୁଞ୍ଜିବାକୁ ରାହା ଟିକେ ପାଉନି।

ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ ରୁମକୁ ଏବେ ଦିନକୁ ହଜାର ହଜାର ଫୋନ୍ ଆସିବାରେ ଲାଗିଛି। ବିରାମ ନାହିଁ। ଦିନ ଯେତିକି ଗଡୁଛି, ଏ ଲୋକମାନେ ସେତିକି ଅସହାୟ ଅନୁଭବ କରୁଛନ୍ତି।

ଏଭଳି ଲୋକଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ତାଙ୍କ ଜିଲ୍ଲାପାଳମାନଙ୍କୁ ହସ୍ତକ୍ଷେପ କରିବା ଲାଗି ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ସେମାନଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ଓଡ଼ିଶା ସରକାର ଦେବେ ବୋଲି ଜଣାଇଥିଲେ। ହେଲେ ଏଦିଗରେ ସହଯୋାଗ ତ ମିଳୁଛି, କିନ୍ତୁ ଏହା ସନ୍ତୁଷ୍ଟ କରିବା ଭଳି ଆଦୌ ନୁହେଁ।

ଫଳରେ ଆଜି ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ନିବେଦନ କରିବାକୁ ପଡିଛି। ଏକ ଭିଡିଓ ଜାରି କରି ନବୀନ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ସଂଗଠନମାନଙ୍କୁ ନିବେଦନ କରିଛନ୍ତି। ଜଣାଇଛନ୍ତି ଯେ ଓଡ଼ିଶାର ଲୋକମାନେ ଯେଉଁମାନେ ଅନ୍ୟ ରାଜ୍ୟରେ ଦୁଃସ୍ଥିତି ମଧ୍ୟରେ ଫସିରହିଛନ୍ତି, ସେମାନଙ୍କ ସହଯୋଗ ଲାଗି ସ୍ଥାନୀୟ ଓଡ଼ିଆ ସଂଗଠନ ଆଗେଇ ଆସନ୍ତୁ। ଏ ଦିଗରେ ହୋଇଥିବା ସମସ୍ତ ଖର୍ଚ୍ଚ ମଧ୍ୟ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ ବୋଲି ଘୋଷଣା କରାଯାଇଛି।

ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଟେଲିଫୋନ ଅହର୍ନିଶି ବାଜିବାରେ ଲାଗିଛି। ବିଶେଷକରି ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ପଶ୍ଚିମବଙ୍ଗରୁ ଫୋନ୍ ଆସୁଛି। ଲୋକ ଦୁଇ ପ୍ରକାର ସହଯୋଗ ମାଗୁଛନ୍ତି। ଗୋଟିଏ ବର୍ଗ ନିବେଦନ କରୁଛନ୍ତି, ଯେଉଁମାନଙ୍କ ସଂଖ୍ୟା ପାଖାପାଖି ୬୦ ପ୍ରତିଶତ ହେବ, ସେମାନଙ୍କୁ ଓଡ଼ିଶା ଫେରିଆସିବା ଦରକାର। କାଳେ ସେଠାରେ ସେମାନଙ୍କୁ କରୋନା ଛୁଇଁବ, ସେ ଚିନ୍ତାରେ ସେମାନେ ଥରିଯାଉଛନ୍ତି। ଏମାନଙ୍କ ପାଇଁ ବିଶେଷ କୌଣସି ସହଯୋଗ ଦିଆଯାଇପାରିବ ନାହିଁ, ଏଇଥିପାଇଁ ଯେ ଏବେ ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍। ନା ବିମାନ ଅଛି ନା ଟ୍ରେନ୍ କି ବସ୍। ସୀମାନ୍ତ ଅଞ୍ଚଳର ହେଲେ, ସେମାନଙ୍କୁ ଅଣାଯାଇପାରନ୍ତା।

ଦ୍ବିତୀୟ ନିବେଦନ ରହୁଛି ଯେ ଲୋକଙ୍କ ହାତରେ କାମ ନାହିଁ, ଖାଇବା ନାହିଁ ଏବଂ ରହିବାକୁ ବି ସ୍ଥାନ ନାହିଁ। ଏଭଳିସ୍ଥଳେ ସ୍ଥାନୀୟ ପ୍ରଶାସନ ଓ ଓଡ଼ିଆ ସଂଗଠନର ସହଯୋଗ ନିଆଯାଉଛି। ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ଅଞ୍ଚଳରେ ଆମ ପ୍ରଶାସନ ସିଧାସଳଖ ହସ୍ତକ୍ଷେପ କରୁଛି। କେବଳ ଗୁଜୁରାଟର ସୁରଟରେ ୩୫ ହଜାର ଲୋକଙ୍କ ପାଇଁ ପୃଥକ୍ ପୃଥକ୍ ଶିବିର ଖୋଲି ଖାଇବାକୁ ଦିଆଯାଉଛି ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ଏହିଭଳି ପ୍ରାୟ ୫୦ ହଜାରରୁ ଅଧିକ େଲାକଙ୍କ ପାଇଁ ଖାଇବା ବ୍ୟବସ୍ଥା ଚାଲିଛି ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି।

ଅନ୍ୟପକ୍ଷରେ ଘଟଣାର ଗମ୍ଭୀରତା ମଧ୍ୟ କେନ୍ଦ୍ରକୁ ବିଚଳିତ କରିଛି। ଲକ୍ ଡାଉନ୍ ସମୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଦିଆଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ନିର୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ଯେ ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଛନ୍ତି ଏବଂ ଏଭଳି ପ୍ରୟାସ ଜାରି ରଖିଛନ୍ତି । ତେଣୁ ସେମାନଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଶିବିର ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଗୃହ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନ ଦ୍ୱାରା ମଧ୍ୟ ପଦକ୍ଷେପ ନିଆଯାଉଛି। ଏନ୍‌ଜିଓ ଏବଂ ଅନ୍ୟାନ୍ୟ ସଂସ୍ଥା ଜରିଆରେ ପ୍ରଯୁକ୍ତିର ଉପଯୋଗ କରି ବ୍ୟାପକ ସଚେତନତା ଏବଂ ପ୍ରଚାର କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ଯେ ରାଜପଥ ଦେଇ ପ୍ରବାସୀ ଶ୍ରମିକମାନେ ଗୃହରାଜ୍ୟ ଅଭିମୁଖେ ଯାତ୍ରା କରୁଥିବାରୁ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଶିବିର ପ୍ରତିଷ୍ଠା ହେବା ଦରକାର। ସେମାନଙ୍କ ରହିବା ପାଇଁ ଟେଣ୍ଟ୍ ଆଦି ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ସେମାନେ ଲକଡାଉନ ଜାରି ହେବା ସମୟରେ ସେଠାରେ ରହିପାରିବେ। ସାମାଜିକ ଦୂରତା, ଯଥେଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱତନ୍ତ୍ର ସଙ୍ଗରୋଧ ଏବଂ ଡାକ୍ତରଖାନାରେ ଭର୍ତି ହେବା ସୁବିଧା ସହିତ ଏସବୁ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ତାଗିଦ୍ କରିଛନ୍ତି। ଏପରି ସହାୟତା ବ୍ୟବସ୍ଥା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କ୍ଷମତା ଦିଆଯାଇଛି । ଏହି ସମସ୍ୟାର ମୁକାବିଲା ନିମନ୍ତେ ଏସବୁ ପଦକ୍ଷେପ ସହାୟକ ହୋଇପାରିବ।

ସମ୍ବନ୍ଧିତ ଖବର