ସବୁ କ୍ଷମତାଶାଳୀ ଚୁପ୍! ମନ୍ତ୍ରୀମାନଙ୍କୁ ଖୋଜୁଛନ୍ତି ରାଜ୍ୟବାସୀ

ରାଜ୍ୟ ବାହାରେ ୪ଲକ୍ଷ ଲୋକ ଛଟପଟ ହେଉଛନ୍ତି, ଏବେ ବି ଲକ୍ଷେ ଲୋକଙ୍କ ପାଖେ ପହଞ୍ଚିପାରୁନି ପ୍ରଶାସନ

ଜିଲ୍ଲାପାଳଙ୍କୁ କେତେ କ୍ଷମତା ମିଳିଲେ ଲକ୍‌ଡାଉନ୍‌ କଡ଼ାକଡ଼ି ହେବ?

ଭୁବନେଶ୍ବର : କରୋନା ସଙ୍କେତ ମିଳିବା ପରଠାରୁ ରାଜ୍ୟ ପ୍ରଶାସନ ଶହେ ସରିକି ବିଜ୍ଞପ୍ତି ଜାରି କରିସାରିଲେଣି। ଅଧା ଡଜନେ ବିଭାଗ ପ୍ରତିଦିନ ଏକାଧିକ ନିର୍ଦେଶନାମା ଦେଉଛନ୍ତି। କେତେବେେଳ ଲକଡାଉନ କଡ଼ାକଡ଼ି ପାଇଁ ଜିଲ୍ଲାପାଳଙ୍କୁ ଅଖଣ୍ଡ କ୍ଷମତାର ଚାବି ଧରାଇ ଦିଆଯାଇଛି ତ ଆଉ କେତେବେଳେ ସଙ୍ଗରୋଧ ପାଇଁ ପଞ୍ଚାୟତକୁ ଅର୍ଥ ପ୍ରଦାନ ଲାଗି ନିର୍ଦେଶ ମିଳିଛି। ପୁଣି କେତେବେଳେ ଲକ୍ ଡାଉନ୍ ପାଇଁ ନୋଡାଲ୍ ଅଫିସରଙ୍କୁ ଦାୟିତ୍ବ ସଂକ୍ରାନ୍ତ ନିର୍ଦେଶନାମା ପ୍ରକାଶ ପାଇଛି।

ଏସବୁ ନିର୍ଦେଶନାମା କାର୍ଯ୍ୟକାରୀ ହେଉଛି କି? ପଶୁପକ୍ଷୀଙ୍କ ଖାଦ୍ୟ ପ୍ରଦାନ ପାଇଁ ସରକାର ଯେଉଁ ଅନୁଦାନ ପ୍ରଦାନ କରିଛନ୍ତି, ତାହାର ବିନିଯୋଗ ହେଲାଣି କି? ସମସ୍ତ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯିବା ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗ ସରକାରଙ୍କୁ ଜଣାଇ ସାରିଲେଣି? ଯେଉଁ ୨୮୫୬ ଜଣଙ୍କ ସଂପର୍କରେ ସ୍ବାସ୍ଥ୍ୟ ସଚିବ ଦୁଇ ଦିନ ତଳେ ଖୋଳତାଡ଼ କରିଥିଲେ ଯେ ବାହାରୁ ଆସିଛନ୍ତି ଅଥଚ ସରକାରଙ୍କ ପାଖରେ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ କି ଉତ୍ତର େଦଲା? ଏମାନଙ୍କ ମଧ୍ୟରୁ କେତେଜଣଙ୍କ ପତ୍ତା ପ୍ରଶାସନ ପାଇଲେଣି? କାହାକୁ ଲଗାଇ ଜିଲ୍ଲାପାଳ ଏମାନଙ୍କୁ ଖୋଜୁଛନ୍ତି?

ଏମିତି ଶହେ ସରିକି ପ୍ରଶ୍ନ ଏବେ ସମଗ୍ର ରାଜ୍ୟବାସୀଙ୍କ ମନରେ ଉଠୁଛି। ପ୍ରଧାନମନ୍ତ୍ରୀ ବାରମ୍ବାର ଲକଡାଉନକୁ କଡ଼ାକଡ଼ି କରିବା ଲାଗି ତାଗିଦ କରିବାପରେ ଏହା ପାଳନ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଣ ପକାଇ ନିବେଦନ କରିବା ପରେ ବି ଲକଡାଉନ୍ ହୁଗୁଳାପଣ କଥା ଦାଣ୍ଡରେ ପଡି ହାଟରେ ଗଡୁଛି। ସରକାରୀ ଭାବେ କୋଭିଡ୍ ପାଇଁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଜଣାଇଛନ୍ତି ଯେ ୧୦ ପ୍ରତିଶତ ଅମାନିଆଙ୍କ ଲାଗି ବିପଦ ଆସିପାରେ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସୂଚାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ତାଗିଦ୍ ସତ୍ତ୍ବେ ଲକଡାଉନ ଶତ ପ୍ରତିଶତ ପାଳନ ହୋଇପାରୁନାହିଁ।

ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଆଉ କେତେ କ୍ଷମତା ଅଜା଼ଡି ଦେଲେ ତାଙ୍କ ନିଜ ନିର୍ଦେଶନାମା କାର୍ଯ୍ୟକାରୀ ହେବ, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି। ଯେଉଁସବୁ ଅଞ୍ଚଳରେ ଲକଡାଉନ ପାଳନ ହେଉନାହିଁ, ସେସବୁ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଭଲ କାମ ପାଇଁ ସାବାସୀ ନେବାରେ କୁଣ୍ଠାବୋଧ କରୁନାହିଁ, ତେବେ ନିୟମ ଖିଲାପ ବେଳେ ସେମାନେ କାହିଁକି ଦଣ୍ଡିତ ହେବେ ନାହିଁ?

ଅଳ୍ପ କିଛି ଜିଲ୍ଲାପାଳଙ୍କୁ ଛାଡିଦେଲେ, ଅନ୍ୟମାନେ ଗାଁ କଥା ଦୂରେ ଥାଉ ବ୍ଲକସ୍ତରରେ, ଏପରିକି ସଦର ମହକୁମାରେ ଲକଡାଉନ୍ କିଭଳି କାର୍ଯ୍ୟକାରୀ ହେଉଛି, ବ୍ଲକ ଓ ପଞ୍ଚାୟତସ୍ତରରେ ଅଧିକାରୀ ଏଥିପାଇଁ କେତେ ପ୍ରସ୍ତୁତି କରିଛନ୍ତି ତାହା ତଦାରଖ କରୁନଥିବାର ଅଭିଯୋଗ ଆସିବାରେ ଲାଗିଛି। ରାଜ୍ୟ ସରକାର ପ୍ରତି ପଞ୍ଚାୟତ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲାଗି ଅନୁମତି ଦେଇଛନ୍ତି। ଏଥିରେ ସଙ୍ଗରୋଧ କେନ୍ଦ୍ର ଆଦି କରାଯିବ। ଗରିବ ଲୋକଙ୍କୁ ମାଗଣା ଖାଇବାକୁ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଏଭଳି ଶହ ଶହ ପଞ୍ଚାୟତ ଅଛି, ଯେଉଁଠାରେ କୌଣସି ପଦକ୍ଷେପ ନିଆଯାଇନାହିଁ।

ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ କଥା ନ କହିବା ଭଲ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରାଜ୍ୟ ବାହାରେ ଆଜି ଯାଏ ପ୍ରାୟ ୩ଲକ୍ଷ ୭୭ ହଜାର ୩୩୮ ଜଣ ଶ୍ରମିକ ଲକଡାଉନ ଜାଲରେ ଛଟପଟ ହେଉଛନ୍ତି। ଏସଂଖ୍ୟା ଆହୁରି ବଢିବା ସମ୍ଭାବନାକୁ ଏଡାଇ ଦେଉ ନାହିଁ। ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଭୟାନକ ରହିଛି। ଏଠାରେ ହଜାର ହଜାର ଓଡିଆ କଠିନ ପରିସ୍ଥିତି ସାମ୍ନା କରୁଛନ୍ତି। ଲକଡାଉନର ୭ ଦିନ ପରର ସ୍ଥିତି ହେଉଛି, ଏଯାଏ ସେମାନଙ୍କ ମଧ୍ୟରୁ ପାଖାପାଖି ୨ଲକ୍ଷ ୮୭ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଥିବା ଦାବି କରିଛି। ଅର୍ଥାତ୍ ଆଉ ୯୦ ହଜାର ପାଖାପାଖି ଲୋକ କେମିତି ଜୀବନ ଜିଉଁଥିବେ କେଜାଣି?

ସରକାରଙ୍କ କଣ୍ଟ୍ରୋଲ ରୁମକୁ ପ୍ରତ୍ୟହ ୨୫ଶହ ପାଖାପାଖି ଟେଲିଫୋନ୍ ଆସୁଛି। ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟରେ ସଙ୍ଗିନ ସ୍ଥିତିରେ ଥିବା ବେଳେ ରାଜ୍ୟ ସରକାର ଜୟଦେବ ଭବନ ବା ଗୀତ ଗୋବିନ୍ଦ ସଦନ ଭଳି ଖୋଲା ସ୍ଥାନରେ ଏକ ବିଶାଳ କଣ୍ଟ୍ରୋଲ ରୁମ୍ ଖୋଲିବାରେ ଅସୁବିଧା କେଉଁଠି ରହୁଛି? ୧୦ ଜଣ ଅଫିସରଙ୍କ ସ୍ଥାନରେ ୪୦ ଜଣ ଅଫିସରଙ୍କୁ ୪୦୦ ଫୋନ୍ ଧରାଇବାରେ ସମସ୍ୟା ଅଛି? ଆଉ କେତେ ଜରୁରୀ ପରିସ୍ଥିତି ହେଲେ ସରକାର ଏ ଦିଗରେ ବଡ଼ ପଦକ୍ଷେପ ନେବେ ବୋଲି ପ୍ରଶ୍ନ ଉଠିଲାଣି। ଖୋଦ ଶାସକ ଦଳର ବିଧାୟକମାନେ ଅଭିଯୋଗ କଲେଣି ଯେ ବାରମ୍ବାର ଟେଲିଫୋନ କଲେ ବି ତାହା ବ୍ୟସ୍ତ ଥିବା ସୂଚନା ଦେଉଛି। ସେମାନଙ୍କ ନିର୍ବାଚନମଣ୍ଡଳୀ ଲୋକଙ୍କ ସଂପର୍କରେ ସେମାନେ ଖବର ଦେଇପାରୁନାହାନ୍ତି। ହଜାର ହଜାର ଲୋକ ଅସନ୍ତୁଷ୍ଟ ହେଲେଣି। କେନ୍ଦ୍ର ସରକାର ଜଣାଇ ସାରିଛନ୍ତି ଯେ ଏସବୁ ଲୋକଙ୍କ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଏସଡିଆରଏଫରୁ ଦିଆଯିବ। ରାଜ୍ୟ ସରକାର ବି ଖର୍ଚ୍ଚ କରିବା ଲାଗି ଆଦୌ କାର୍ପଣ୍ୟ ପ୍ରକାଶ କରୁନାହାନ୍ତି। ତା ପରେ ବି ନିର୍ଦେଶନାମା କାର୍ଯ୍ୟାନ୍ବୟନରେ ହେଳା କାହିଁକି?

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କିଏ େକଉଁଠି ଅଛି ତାହା ଜାଣିବା ମୁସ୍କିଲ୍। କେନ୍ଦ୍ର ସରକାରଙ୍କର ଜଣେ ପରେ ଜଣେ ମନ୍ତ୍ରୀ ସୂଚନା ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନ କୌଶଳ ଜରିଆରେ ନିଜ ବିଭାଗର ସ୍ଥିତି ସମୀକ୍ଷା କରୁଛନ୍ତି। କିନ୍ତୁ ଏଠି ଲାଗୁଛି ଯେମିତି ଓଡ଼ିଶାରେ କେହି ମନ୍ତ୍ରୀ ନାହାନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମୟ ସମୟରେ ଗଣମାଧ୍ୟମରେ ନିଜ ବିଭାଗ ସଂପର୍କରେ ମତ ରଖୁଛନ୍ତି, ବେଳେବେଳେ ଭିଡିଓ ଜରିଆରେ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବି। ଓଡ଼ିଶାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଇତିମଧ୍ୟରେ ମାତ୍ର ତିନିଥର ନିଜର କାମ ସଂପର୍କରେ ଅବଗତ କରାଇଛନ୍ତି। ରାଜ୍ୟ ଆଉ କେଉଁ ବିପତ୍ତି ସାମ୍ନା କଲେ ସ୍ବାସ୍ଥ୍ୟମନ୍ତ୍ରୀ ସାମ୍ନାକୁ ଆସି କାମ କରିବେ? କେଉଁ ଡାକ୍ତରଖାନା ଏବେ କିଭଳି ସ୍ଥିତିରେ ଅଛି, ସେ ସଂପର୍କରେ ଥରୁଟିଏ ସିଡିଏମ୍ଓଙ୍କ ସହିତ ଭିଡିଓ କନଫରେନ୍ସିଂ କରି ନଥିବା କୁହାଯାଉଛି। ଯଦି ଯାଜପୁର ସିଡିଏମଓ କଥା ମାନିଲେନି ବୋଲି ନିଲମ୍ବିତ ହେଲେ, ଅନ୍ୟମାନେ କିଭଳି କାମ କରୁଛନ୍ତି, ସରକାର ଦେଖିବାର ଆବଶ୍ୟକତା ଅଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିଜ ଘରେ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରିଥିବା ଭିଡିଓ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥା ମାନି ସେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି। ଆଉ କାହାକୁ ନ ହେଲେ ନାହିଁ, ଦଶମ ଶ୍ରେଣୀ ପିଲାଙ୍କୁ କିଭଳି ଅନଲାଇନ୍ ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ, ଯାହା ଦ୍ବାରା ଘରେ ମୋବାଇଲ୍ ଜରିଆରେ ପିଲାମାନେ ପାଠ ପଢିପାରିବେ, ସେକଥା କରିବା ଲାଗି ଆଗ୍ରହ ଦେଖାଇ ନ‌ାହାନ୍ତି। ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାଙ୍କ ସଂପର୍କରେ କେବେ ଚିନ୍ତା କରି‌ବେ? କୃଷି ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ କେଉଁ କେଉଁ ଚାଷ ପ୍ରତି ବିପଦ ହେଲାଣି, ସେ ନେଇ ଚାଷୀମାନଙ୍କ ସହିତ କଥା ହୋଇ ନାହାନ୍ତି। ସବୁ ବଡ଼ ବଡ଼ ଚାଷୀଙ୍କ ନମ୍ବର ସରକାରଙ୍କ ପାଖରେ ଅଛି। ମନ୍ତ୍ରୀଙ୍କ ଠାରୁ ଲୋକମାନେ ଏଭଳି ଆଶା କରିବା ସ୍ବାଭାବିକ।

ରାଜ୍ୟରେ ବୁଣାକାରଙ୍କ ସ୍ଥିତି କଣ ହେଲାଣି, ସେ ନେଇ ବୟନମନ୍ତ୍ରୀ ବୁଝିଲେଣି କି? ରାଜ୍ୟରେ ସବୁକିଛି ଏବେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ନଗରପାଳିକା ଉପରେ ନିର୍ଭର କରୁଛି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଭୂମିକା କଣ ରାଜ୍ୟବାସୀ ଜାଣିପାରୁନାହାନ୍ତି। ଅଙ୍ଗନବାଡି କେନ୍ଦ୍ର, ଗାଁ ଗଣ୍ଡାରେ କାମ କରୁଥିବା ସ୍ବୟଂ ସହାୟିକାମାନେ ଏବେ କିଭଳି ଅଛନ୍ତି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥରୁଟିଏ ଯୋଗାଯୋଗ କରିବାକୁ ଚେଷ୍ଟା କରି ନଥିବା ଅଭିଯୋଗ ହେଲାଣି।

ରାଜନୈତିକ ମହଲର କହିବା କଥା ହେଉଛି, ଯଦି ମୁଖ୍ୟଶାସନ ସଚିବ ଯାଇ ସ୍ଥିତି ଅନୁଧ୍ୟାନ କରିପାରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ପ୍ରମୁଖ ତନାଘନା କରୁଛନ୍ତି, ତେବେ ମନ୍ତ୍ରୀ ସଚିବାଳୟରେ ନିଜ ପ୍ରକୋଷ୍ଠରେ ବା ନିଜ ସଚିବଙ୍କୁ ଧରି ସମ୍ମିଳନୀ କକ୍ଷରେ ସମଗ୍ର ରାଜ୍ୟର ସ୍ଥିତି ବୁଝିପାରିବେନି କାହିଁକି? ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକପ୍ରତିନିଧି ଲୋକଙ୍କ ସମସ୍ୟା ଠାରୁ ଦୂରେଇ ଯିବା ଘଟଣା ସବୁ ମହଲକୁ ଆନ୍ଦୋଳିତ କଲାଣି।

ସମ୍ବନ୍ଧିତ ଖବର