କରୋନା କଟକଣା ଦେଉଛି ଯାତନା : କୁମ୍ଭକାରଙ୍କ ଦୁର୍ଦ୍ଦଶାର ଶେ‌ଷ ନାହିଁ

ପୁରୀ : ଫନିରେ ଭାଂଗିଥିବା ଘର ଏ ଯାଏ ନିର୍ମାଣ ହୋଇନି। ଭାଂଗିଥିବା ଶାଳ, କୁମ୍ଭାର ଚକ ବି ତିଆରି ହୋଇନି। ସରକାର ଘୋଷଣା କରିଥିବା ଫନି ସହାୟତା ମିଳିନି। ବର୍ଷେ ହେଲା ପଲିଥିନ ତଳେ ମୁଣ୍ଡ ଗୁଂଜି ରହୁଛୁ। ପୁରୀ ପ୍ରଶାସନ ଘର ଭଂଗା ସହାୟତା ଦେଇ ନାହିଁ, ପୂର୍ବରୁ ଫନି ମାଡ ଖାଇ ଦଶ‌ା ଭୋଗୁଥିଲୁ, ଏବେ ପୁଣି କରୋନା ଆମକୁ ଯାତନା ଦେଉଛି। ଜୀବିକା ବିପନ୍ନ ହେଲାଣି। କେମିତି ଚଳିବୁ, ଏବେ ତ ମହାପ୍ରଭୁଙ୍କ ରୋଷଘର ଚୁଲି ଜଳୁନି, ଅବଢ଼ା ବିକ୍ରି ହେଉ ନାହିଁ। ଆମେ ତିଆରି କରିଥିବା ହାଣ୍ଡି କୁଡୁଆ କିଏ କିଣିବ ବୋଲି କହିଛନ୍ତି କୁମ୍ଭାରପଡ଼ାର ପ୍ରଫୁଲ୍ଲ ବିଷୋୟୀ, ନନ୍ଦ ବିଷୋୟୀ, ବିଶ୍ବନାଥ ବିଷୋୟୀ ଓ ବନଲତା ଦାସ। ଦୁଃଖ ବଢୁଛି ପଛେ ସରୁନି, ଯଦି ସରକାର ଆମ କଥା କିଛି ନ ବୁଝନ୍ତି, ତେବେ ବାଧ୍ୟ ହୋଇ କୁମ୍ଭକାର ବୃତ୍ତି ଛାଡି ଦାଦନ ଖଟିବାକୁ ବାହାରକୁ ଯିବୁ ବୋଲି ଏହି ସବୁ ପରିବାର କ୍ଷୋଭର ସହ କହିଛନ୍ତି।

ପୁରୀ ଶ୍ରୀମନ୍ଦିର ଉପରେ ନିର୍ଭର କରନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ୪୦୦ରୁ ଅଧିକ କୁମ୍ଭକାର ପରିବାର। ପ୍ରତିଦିନ ଶ୍ରୀମନ୍ଦିରରେ ଅବଢ଼ା ପାଇଁ ଆବଶ୍ୟକ ପଡ଼ୁଥିବା ହାଣ୍ଡି କୁଡ଼ୁଆ ମନ୍ଦିରକୁ ‌ଯୋଗାଇଥାନ୍ତି। ଶ୍ରୀମନ୍ଦିର ସେବା ସହିତ ସଂପୃକ୍ତ ଥିବାରୁ ଏମା‌ନେ ଶ୍ରୀମନ୍ଦିର ସେବକ ଆଖ୍ୟା ପାଇଛନ୍ତି। ସେଥିପାଇଁ ଏମାନଙ୍କର ସ୍ବତନ୍ତ୍ର କୁମ୍ଭକାର ନିଯୋଗ ମଧ୍ୟ ରହିଛି। ଏବେ କରୋନା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଭକ୍ତ ଶ୍ରୀମନ୍ଦିରକୁ ଯାଉନଥିବାରୁ ରୋ‌ଷ ଘର ଚୁଲି ଜଳୁନାହିଁ। ମହାପ୍ରସାଦ ବିକ୍ରି ହେଉନାହିଁ। ତେଣୁ ସୁଆରମାନେ ଆଉ ହାଣ୍ଡି କୁଡୁଆ ନେଉନାହାନ୍ତି। ଫଳରେ ପୁରୀ କୁମ୍ଭାରପଡା, ଟିକରପଡା, ନୂଆସାହି ଓ ବାଡ଼ାସାହିରେ ରହୁଥିବା ୪୦୦ରୁ ଅଧିକ ପରିବାର ଏବେ ରୋଜଗାର ହରାଇଛନ୍ତି। ସେମାନଙ୍କ ଜୀବନଜୀବିକା ବିପନ୍ନ ହୋଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ୨୧ ଦିନ ଅର୍ଥାତ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ସେମାନେ କେମିତି ଚଳିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ମନ୍ଦିର ପ୍ରଶାସନ ମଧ୍ୟ ସେମାନଙ୍କ ଦୁଃଖ କଥା କେବେ ବିଚାର କରୁନାହିଁ। ଅନ୍ୟ ପକ୍ଷରେ ଫନି ବାତ୍ୟାରେ ୪୦୦ ପରିବାର ସେମାନଙ୍କ ଜୀବିକା ହରାଇଥିଲ। ଘର, ଶାଳ ଓ ଚକ ମାଟିରେ ମିଶିଥିଲା। ପ୍ରଶାସନ କୁମ୍ଭକାରମାନଙ୍କ ଶାଳ ପାଇଁ ୮ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଥିଲା। ମାତ୍ର ଏ ଯାଏ ଶତକଡା ୪୦ ପ୍ରତିଶତ ଲୋକ ଏହି ସହାୟତା ପାଇପାରିନାହାନ୍ତି। ସେହିଭଳି ଫନି ସହାୟତା ମଧ୍ୟ ମିଳିନାହିଁ। ସରକାରଙ୍କ ଘର ଭଂଗା ସହାୟତାରୁ ଶତାଧିକ ପରିବାର ବଂଚିତ ରହିଛନ୍ତି। ସେମାନଙ୍କୁ ପ୍ରଶାସନ ଘର ଭଂଗା ସହାୟତା ଦେଇନଥିବାରୁ ପଲିଥିନ ତ‌‌ଳେ ରହୁଛନ୍ତି। ଫନି ଯାତନା ପରେ ଏବେ କରୋନା ମାଡ଼, ଆଗକୁ ବର୍ଷା ଦିନ ଆସୁଥିବାରୁ ପୁରୀର କୁମ୍ଭକାର ପରିବାର କଥା ସରକାର ଚିନ୍ତା କରିବାକୁ ଦାବି ହୋଇଛି।

କୁମ୍ଭକାର ସେବା ପୁରୀ ଶ୍ରୀମନ୍ଦିରର ଏକ ଗୁରୁତ୍ବପୂର୍ଣ୍ଣ ସେବା। ମାତ୍ର ସବୁବେଳେ ସେମାନଙ୍କୁ ଅଣଦେଖା କରାଯାଉଛି। ଫନି ସହାୟତା ଏ ଯାଏ ମିଳି ପାରିନାହିଁ। କୁମ୍ଭକାର ପରିବାରକୁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ କୁରାଳ ମହାସଂଘର ସଭାପତି ସରୋଜ କୁମାର ବେହେରା କହିଛନ୍ତି। ଏଥିସହିତ ହଜାର ହଜାର କୁମ୍ଭକାରମାନେ ମହାପ୍ରଭୁ ତଥା ବିଭିନ୍ନ ପୂଜା ପା‌ଇଁ କୁଡ଼ୁଆ ଗଢ଼ୁଥିବାରୁ ଏହି କଳାକୁ ଐତିହ୍ୟ କଳାର ମାନ୍ୟତା ଦେବାକୁ ଦାବି କରିଛନ୍ତି। ଏ ସଂପରରେ କୁମ୍ଭକାର ନିଯୋଗ ସଂପାଦକ ମହେନ୍ଦ୍ର ବିଶୋଇ କହିଛନ୍ତି, ଅନ୍ୟ ସେବକଙ୍କ ସହିତ ତୁଳନା କଲେ କୁମ୍ଭକାରମାନେ ବଡ ଦୁର୍ଦିନରେ ଦିନ କାଟୁଛନ୍ତି। ଶତକଡା ଶହେ ବିପିଏଲ ତାଲିକା‌ରେ ରହିଛନ୍ତି। ଫନି ଘର ସଜଡା ହୋଇନଥିବାରୁ ଜରି ଟାଙ୍ଗି ରହୁଛନ୍ତି। ଏମାନଙ୍କ ଦାୟିତ୍ବ ସରକାର ନେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର