ଆହୁରି କଠୋର ହେଲା କଟକଣା: ଜୁନ୍ ୧ ଯାଏ ବଢ଼ିଲା ଲକ୍‌ଡାଉନ୍, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦିନକୁ ୪ ଘଣ୍ଟା କୋହଳ

ସବୁ ପ୍ରକାର ଯାତ୍ରୀବସ୍‌ ଚଳାଚଳ ବାତିଲ, ବିବାହ, ଶୁଦ୍ଧି ପାଇଁ କଟକଣା ବଢ଼ିଲା, ଭୋଜିଭାତ ବନ୍ଦ

ଭୁବନେଶ୍ବର: କୋଭିଡ୍‌ ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଆହୁରି ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। ମେ‘ ୫ରୁ ଆରମ୍ଭ ହୋଇଥିବା ଏହି ଲକ୍‌ଡାଉନ୍ ଜୁନ୍ ୧ ଯାଏ ବଳବତ୍ତର ରହିବ। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଠାରୁ ଏଥର କଟକଣାକୁ ଅଧିକ କଠୋର କରାଯାଇଛି। କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଜାରି ରହିବ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ଲକ୍‌ଡାଉନ୍‌ରେ ଥିବା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ସରକାର ସ୍ଥିର କରିଛନ୍ତି। ପ୍ରଥମ ଦଫାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସୋମବାରରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ୧୨ ଯାଏ ଅନୁମତି ଥିଲା। ଦ୍ବିତୀୟ ଦଫାରେ ଏହି ସମୟସୀମା କମାଇ ଦିଆଯାଇଛି ଅର୍ଥାତ ସକାଳ ୭ରୁ ୧୧ଟା ଯାଏ ଦୋକାନ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ।
ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା କଟକଣାକୁ ଆହୁରି ବଢ଼ାଇ ଦିଆଯାଇଛି। ବିବାହ ପାଇଁ ପୂର୍ବରୁ ୫୦ ଜଣଙ୍କୁ ଅନୁମତି ମିଳୁଥିଲା ବେଳେ ଏବେ ଏହି ସଂଖ୍ୟାକୁ ୨୫କୁ ଖସାଇ ଦିଆଯାଇଛି। ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ କୌଣସି ପରିସ୍ଥିତିରେ ବି ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ।

ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପ୍ରକାର ଯାତ୍ରବାହୀ ବସ୍‌ ଚଳାଚଳ ବାତିଲ କରାଯାଇଛି। ରାଜ୍ୟ ଭିତରେ କିମ୍ବା ବାହାରକୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ମୋଟର୍‌ ସାଇକେଲ୍‌ରେ କେବଳ ଚାଳକ ହିଁ ଯାଇପାରିବେ। ପଛରେ ବସିବାକୁ ଅନୁମତି ନାହିଁ। ସେହିପରି କାର୍‌ରେ ଡ୍ରାଇଭର୍‌ଙ୍କ ବାଦ୍ ଆଉ ଦୁଇ ଜଣ ଯାତ୍ରୀ ଯାଇପାରିବେ।

ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ।
ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ସର୍ବନିମ୍ନ କର୍ମଚାରୀରେ ଚାଲିବ। ଅତ୍ୟାବଶ୍ୟକ ସେବା ଯୋଗାଉ ନ ଥିବା ସବୁ ସରକାରୀ କାର୍ଯ୍ୟାଳୟ ୧୦ ପ୍ରତିଶତ କର୍ମଚାରୀରେ ଚାଲିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ। ତେବେ ସେମାନଙ୍କ କର୍ପୋରେଟ୍‌ ଅଫିସ୍‌ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଏହି କର୍ମଚାରୀଙ୍କ ତାଲିକା ଓ ଗାଡ଼ି ନମ୍ବରକୁ ସଂସ୍ଥା ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର୍‌ଙ୍କୁ ଦେବାକୁ ପଡ଼ିବ। ଅନ୍ୟ ବେସରକାର କାର୍ଯ୍ୟାଳୟଗୁଡ଼ିକ ସର୍ବାଧିକ ୩୩% କର୍ମଚାରୀଙ୍କୁ ନେଇ କାମ କରିବେ। ସବୁ କାର୍ଯ୍ୟାଳୟରେ କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ। ଯେଉଁସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲାଗୁ କରାଯାଇଥିଲା ତାହା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ବଳବତ୍ତର ରହିବ। ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିପାରିବେ।

ଲକ୍‌ଡାଉନ୍ ସମ୍ପ୍ରସାରଣ ନେଇ ମୁଖ୍ୟ ଶାସନ ସଚିବ ଯୁକ୍ତି ବାଢ଼ିଛନ୍ତି ଯେ ପ୍ରଥମ ଲକ୍‌ଡାଉନ୍‌ରେ ସୁଫଳ ମିଳିଛି। ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି। ଗତ ୧୫ ଦିନ ହେବ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହିଛି। ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛି। ତଥାପି ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍ ଅବଧି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି, ଲୋକମାନେ ଘରେ ରହିବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ। ନିହାତି ଆବଶ୍ୟକ ନ ଥିଲେ କେହି ଘରୁ ନ ବାହାରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର