ଜୁନ୍ ୧୭ ଯାଏ ବଢ଼ିଲା ଲକ୍‌ଡାଉନ୍

ସବୁ କଟକଣା ବଳବତ୍ତର ରହିଲା, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ଜିଲ୍ଲାରେ ସାମାନ୍ୟ କୋହଳ

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲା
ଦୈନିକ ଓ ସାପ୍ତାହିକ ହାଟ ବନ୍ଦ
ଶନିବାର ଓ ରବିବାର ସଟ୍‌ଡାଉନ୍ କେବଳ ଔଷଧ ଦୋକାନ ଖୋଲା
ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’କୁ ଅନୁମତି
ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ କଟକଣା ରହିବ
ବିବାହ ପାଇଁ ୨୫, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ୨୦ ଜଣଙ୍କୁ ଅନୁମତି
ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ
ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ
ସବୁ ପ୍ରକାର ଯାତ୍ରୀବାହୀ ବସ୍‌ ଚଳାଚଳ ବାତିଲ

ଭୁବନେଶ୍ବର : ରାଜ୍ୟରେ ପୁଣି ଲକ୍‌ଡାଉନ୍ ଅବଧି ବଢ଼ିଛି। ଜୁନ୍ ୧ ତାରିଖରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍ ସମୟସୀମାକୁ ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ବଢ଼ାଇ ଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଥିବା ସବୁ କଟକଣା ତୃତୀୟ ପର୍ଯ୍ୟାୟରେ ବଳବତ୍ତର ରହିବ। କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଜାରି ରହିବ। ସାବିତ୍ରୀ ଓ ରଜ ପାଇଁ ବଜାର ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ତେବେ ତିନିଟି ଜିଲ୍ଲା ପାଇଁ ଲକ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି। ଏଠାରେ ଦୋକାନବଜାର ସୋମବାରରୁ ଶୁକ୍ରବାର ଯାଏ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଖୋଲିପାରିବ। ତେବେ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ସାପ୍ତାହିକ ହାଟ, ସେଲୁନ୍, ସ୍ପା ଓ ବିଉଟି ପାର୍ଲର୍‌ ଖୋଲିପାରିବ ନାହିଁ। ଏଠାରେ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ। ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଯଦି ଏଠାରେ ସଂକ୍ରମଣ ପୁଣି ବଢ଼ିବା ପରିଲକ୍ଷିତ ହୁଏ, ତେବେ ଏହି କୋହଳ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି।

Tathya.in

ରବିବାର ସନ୍ଧ୍ୟାରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଥିବା ସବୁ କଟକଣା ଏଥର ବି ଜାରି ରହିବ। ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ। ସବୁ ପ୍ରକାର ଯାତ୍ରବାହୀ ବସ୍‌ ଚଳାଚଳ ବାତିଲ କରାଯାଇଛି। ରାଜ୍ୟ ଭିତରେ କିମ୍ବା ବାହାରକୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ। ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିପାରିବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ।

ଲକ୍‌ଡାଉନ୍ ସମ୍ପ୍ରସାରଣ ନେଇ ମୁଖ୍ୟ ଶାସନ ସଚିବ ଯୁକ୍ତି ବାଢ଼ିଛନ୍ତି ଯେ ଗତ ୨୫ ଦିନ ଭିତରେ ଆମେ ଲକ୍‌ଡାଉନ୍‌ର ସୁଫଳ ପାଇଛୁ। ୨୫ ଦିନ ତଳେ ରାଜ୍ୟରେ କେସ୍‌ ପଜିଟିଭିଟି ପ୍ରାୟ ୨୫% ଥିଲା ବେଳେ ଏବେ ତାହା ୧୫%ରେ ପହଞ୍ଚିଛି। ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି। ତଥାପି ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ହାର ୨୦-୨୫%ରୁ ଅଧିକ ରହିଛି। ନିକଟରେ ବାତ୍ୟା ଯୋଗୁ ବହୁ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଦିଓ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରାଯାଇଥିଲା, ତେବେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ହଜାର ହଜାର ସଂଖ୍ୟାରେ କର୍ମଚାରୀ ମଧ୍ୟ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବି ବିପଜ୍ଜନକ ଅବସ୍ଥାରେ ଅଛି। ପଜିଟିଭିଟି ୧୦% ତଳକୁ ଆସି ନାହିଁ। ସେଥି ପାଇଁ ଆଉ ୧୬ ଦିନ ଲକ୍‌ଡାଉନ୍ ବୃଦ୍ଧି କରାଗଲା। ଯଦି ଲକ୍‌ଡାଉନ୍‌ର ଶେଷ ଆଡ଼କୁ ତିନିଟି ଜିଲ୍ଲା ପରି ଅନ୍ୟ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଏ, ତେବେ ଲକ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇପାରେ ବୋଲି ଶ୍ରୀ ମହାପାତ୍ର ଆଶା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର