ଯୁଯୁମୁରା : କରୋନା ଅନେକ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ସତ୍ତ୍ବେ ଅନେକ ଯୁବକ ଯୁବତୀ ବେକାର। ଏପରି ଏକ ସଂକଟ ସମୟରେ କିଛି ଭିନ୍ନ କରି ଦେଖାଇଛନ୍ତି ମାତ୍ର ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଈଶାକ୍ ମୁଣ୍ଡା (୩୫)। ଯେଉଁଠି ଉଚ୍ଚ ଶିକ୍ଷିତ ରୋଜଗାରର ରାହା ପାଉ ନାହାନ୍ତି, ସେଠି ଈଶାକ୍ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଦିନେ ପାହାଡ଼ରେ ପଥର କାଟିବା, ନିର୍ମାଣ ଶ୍ରମିକ ଭାବେ କାମ କରି ଅଳ୍ପ କିଛି ରୋଜଗାର କରି ପରିବାର ଚଳାଉଥିବା ଯୁବକ ଏବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସମ୍ବଲପୁର ସହରଠାରୁ ଜାତୀୟ ରାଜପଥ ୫୫ରେ କଟକ ଦିଗରେ ୧୬ କିଲୋମିଟର ଦୂର ଗଲେ ପଡ଼େ ଯୁଯୁମୁରା ବ୍ଲକ୍ ଭବାନୀପାଲି। ସେଠାରୁ ୨ କିଲୋମିଟର ଦୂର ଗଲେ ପଡ଼େ ବାବୁପାଲି ଗ୍ରାମ। ଏହି ଗ୍ରାମର ଈଶାନ ଦିନେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ବର୍ଷ କରୋନା ପାଇଁ ଲକ୍ଡାଉନ୍ ସମୟରେ ତାଙ୍କୁ କାମ ଧନ୍ଦା ମିଳି ନଥିଲା। ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଥିଲା। ସେତେବେଳେ ତାଙ୍କ ନିକଟରେ ଏକ କମ୍ ମୂଲ୍ୟର ଫୋନ୍ ଥିଲା। କାମ ନଥିବାରୁ ଘରେ ବସି ମୋବାଇଲ୍ରେ ୟୁଟ୍ୟୁବ୍ରେ ଭିଡିଓ ଦେଖି ସମୟ କାଟୁଥିଲେ। ତେବେ ଭିଡିଓ ଦେଖୁ ଦେଖୁ ଏମିତି ଏକ ଭିଡିଓ ଦେଖିଥିଲେ ଯେ ସେଥିରେ ୟୁଟ୍ୟୁବ୍ରେ ଭିଡିଓ ଅପଲୋଡ୍ କଲେ ଦି ପଇସା ରୋଜଗାର କରି ହେବ ବୋଲି ଜାଣିବାକୁ ପାଇଥିଲେ। ହେଲେ ଛୋଟ ମୋବାଇଲ ଥିବାରୁ ଭିଡିଓ ତିଆରି କରିବା ସମ୍ଭବ ନଥିଲା। ସଞ୍ଚିତ ୩ ହଜାର ଟଙ୍କା ଏବଂ ଏକ ଅର୍ଥ ଲଗାଣକାରୀ ସଂସ୍ଥା ସହାୟତାରେ ସ୍ମାର୍ଟ ଫୋନ୍ କିଣିଥିଲେ। ସେହି ଫୋନ୍ରେ ୟୁଟ୍ୟୁବ୍ରେ ଆଇଡି ଖୋଲି ‘ଈଶାକ୍ ମୁଣ୍ଡା ଇଟିଂ ନାମରେ ଏକ ଚ୍ୟାନେଲ୍ ଖୋଲିଥିଲେ। ଈଶାକ କେମିତି ଖାଏ ଓ କଣ ଖାଏ ତାହାର ଭିଡିଓ ସେହି ଚ୍ୟାନେଲ୍ରେ ଛାଡ଼ିବା ଥିବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ।
‘ଓଡ଼ିଶା ବାସିପଖାଳ ଶୀର୍ଷକରେ ସେ ତାଙ୍କର ସେ ପ୍ରଥମ ଭିଡିଓ ଅପଲୋଡ୍ କରିଥିଲେ। ୨୦୨୦ ମାର୍ଚ୍ଚ ୨୫ ତାରିଖରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ୩୨୯କେ ଅର୍ଥାତ ୩ ଲକ୍ଷ ୨୯ ହଜାର ଦର୍ଶକ ଦେଖିସାରିଛନ୍ତି। ଏହି ଭିଡିଓ ସେତେବେଳ ଏତେ ଭାଇରାଲ୍ ହେଇଥିଲା ଯେ ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ବାସି ପଖାଳ, ଲଙ୍କା ଓ ପିଆଜ ଖାଇବାର ତାଙ୍କ ଏହି ଭିଡିଓ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ପସନ୍ଦ ହୋଇଥିଲା। ଆମେରିକା, ବ୍ରାଜିଲ, ଇଣ୍ଡୋନେସିଆ, ଜାପାନ୍, ନ୍ୟୁଜିଲାଣ୍ଡ, ସୁଇଜର୍ଲାଣ୍ଡ, ନାଇଜେରିଆ ଆଦି ୫୫ ଦେଶରୁ ତାଙ୍କ ଭିଡିଓ ପାଇଁ ଲାଇକ୍ ଏବଂ କମେଣ୍ଟ୍ ଆସୁଥିବା ଈଶାକ କହିଛନ୍ତି। ଭିଡିଓଗୁଡ଼ିକରେ ତାଙ୍କ ସମ୍ପ୍ରଦାୟର ପରମ୍ପରା, ଖାଦ୍ୟ ପେୟ, ଚାଲିଚଳଣି ସଂପର୍କରେ ଚିତ୍ର ରହିଛି। ଶାଗଭଜା, ଚିକେନ୍ ତରକାରୀ, ଛତୁ, କରଡ଼ି, କୁଲେର ଶାଗ,
ମାମେର ଶାଗକୁ ପ୍ରସ୍ତୁତ କରିବା ଓ ଖାଇବା ଆଦିର ଭିଡିଓ ଅପଲୋଡ୍ କରି ସେ ଏହି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲ୍କୁ ୭୨୭କେ ଦର୍ଶକ ସବ୍ସ୍କ୍ରାଇବ୍ କରିଛନ୍ତି।
ପତ୍ନୀ ସବିତା, ବଡ଼ ଝିଅ ମନିକା (୮), ପୁଅ ପବିତ୍ର (୬), ତୃତୀୟ ଝିଅ ମହିମା (୫), ସାନ ଝିଅ ମନୀଷ (୩)କୁ ନେଇ ଈଶାକଙ୍କ ସଂସାର। ପୂରା ପରିବାରକୁ ସେ ତାଙ୍କ ଭିଡିଓରେ ପ୍ରଦର୍ଶିତ କରିଛନ୍ତି। ୟୁଟ୍ୟୁବ୍ରେ ଭିଡିଓ ଅପଲୋଡ୍ କରିବା ପରେ ତାଙ୍କର ଚଳଣି ଓ ରୋଜଗାରରେ ଆଶାତୀତ ସଫଳତା ମିଳିଛି। କରାମାଡ଼ରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ଏହି ଭିଡିଓ ଅପଲୋଡ୍ କରିବା ପରେ ଭୁବନେଶ୍ବରର ଏକ ସଂସ୍ଥା ପକ୍ଷରୁ ପଙ୍କଜ ମୋଟ୍ୱାନି ତାଙ୍କୁ ପକ୍କାଘର ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଈଶାକ କୁହନ୍ତି ଯେ ଭିଡିଓ ଅପଲୋଡ୍ କରିବାର ୩ ମାସ ପରେ ଅର୍ଥାତ ଜୁନ୍ ମାସରେ ତାଙ୍କୁ ଆକାଉଣ୍ଟ୍କୁ ପ୍ରଥମେ ୩୭ ହଜାର ଟଙ୍କା ଆସିଥିଲା। ଗତ ବର୍ଷ ଜୁଲାଇ ମାସରେ ୫ ଲକ୍ଷ ଟଙ୍କା ଆସିଥିଲା। ଜୁନ୍ ମାସ ୨୨ ତାରିଖରେ ତାଙ୍କ ଆକାଉଣ୍ଟ୍କୁ ୮୩ ହଜାର ଟଙ୍କା ଆସିଛି। ଛତିଶଗଡ଼ର ଜଣେ ୟୁଟ୍ୟୁବର୍ଙ୍କ ଭିଡିଓଗୁଡ଼ିକ ଦେଖିବା ପରେ ସେ ଏଥିରୁ ଉତ୍ସାହିତ ହୋଇ ଏପରି ଭିଡିଓ ତିଆରି କରିଥିବା କହିଛନ୍ତି। ଈଶାକ ଅଦ୍ୟାବଧି ୨୫୮ଟି ଭିଡିଓ ଅପଲୋଡ୍ କରିଥିବା କହିଛନ୍ତି। ସରଳ ହିନ୍ଦୀ ଭାଷାରେ ପ୍ରସ୍ତୁତ ହେଉଥିବା ଈଶାକଙ୍କ ଭିଡିଓ ଏତେ ସଫଳତା ଅର୍ଜନ କରିବା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ। ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ବୋଲି କୁହାଯାଉଛି।