ଭୁବନେଶ୍ବର : ଗତବର୍ଷ ଖରିଫ୍ ଋୁତୁରେ ‘ଫନି’ ବାତ୍ୟା ଉପକୂଳ ସମେତ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା। ଏବେସୁଦ୍ଧା ବି ସେସବୁ ଜିଲ୍ଲାର ଚାଷୀଙ୍କ କ୍ଷତିଭରଣା ପୂରା ହୋଇପାରିନି। ଚଳିତବର୍ଷ ଖରିଫ୍ ଆରମ୍ଭ ବେଳକୁ ମହାମାରୀ କରୋନା ଦୁର୍ବିପାକ ଚାଷୀଙ୍କ ମନୋବଳକୁ ଆହୁରି ଭାଙ୍ଗି ଦେଲାଣି। ବିହନ ନାହିଁ କି ସାର ନାହିଁ। ସରକାର ତାଲାବନ୍ଦ କଟକଣା କୋହଳ କରିଥିଲେ ବି କ୍ଷେତରେ କାମ କରିବାକୁ ଲୋକ ମିଳୁନାହାନ୍ତି। ଏଭଳି ସ୍ଥିତିରେ ସରକାର ଚଳିତ ବର୍ଷ ଖରିଫ୍ ପାଇଁ ଯେଉଁ ୭ ହଜାର ୫୦୦ କୋଟି ଟଙ୍କା ସମବାୟ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି ତାହା ପର୍ଯ୍ୟାପ୍ତ ହେବନି। ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ ତଥା କଂଗ୍ରେସ ନେତା ରବୀନ୍ଦ୍ର କୁମାର ସେଠୀ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏବର୍ଷ ସରକାର ଚାଷୀଙ୍କୁ ମାଗଣାରେ ସାର, ବିହନ ଓ କୀଟନାଶକ ଆଦି ଯୋଗାଇ ଦିଅନ୍ତୁ। ତେବେ ସରକାରଙ୍କ କହିବା କଥା, ପୂର୍ବବର୍ଷ ଋଣ ପରିମାଣ ଠାରୁ ୧୭୦ କୋଟି ଅଧିକ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଯଦି ଅଧିକ ଋଣ ଆବଶ୍ୟକ ପଡ଼େ, ତାହେଲେ ସମବାୟ ବ୍ୟାଙ୍କ ଜରିଆରେ ଯୋଗାଇ ଦିଆଯିବ।
ସମବାୟ ବିଭାଗର ତଥ୍ୟ ଅନୁସାରେ ଅର୍ବାନ୍ କୋପରେଟିଭ୍ ବ୍ୟାଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ ଫେବ୍ରୁଆରି ଶେଷସୁଦ୍ଧା ଶେଷ ହୋଇଛି। ସେସବୁ ବ୍ୟାଙ୍କ ପ୍ରଶାସକ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ମଧ୍ୟରୁ ଏବେସୁଦ୍ଧା ୫ଟିରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେଗୁଡ଼ିକ ହେଲା ଭବାନୀପାଟଣା, କେନ୍ଦୁଝର, କଟକ ଓ ଆସ୍କା। ଏସବୁ ଡିସିସିବିରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଶାସକ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ୨ ହଜାର ୭୦୮ଟି ପ୍ରାଥମିକ ସମବାୟ ସମିତି (ପାକ୍ସ୍) ଓ ବହୁମୁଖୀ ବିବିଧ ସମବାୟ ସମିତି (ଲାମ୍ପ୍ସ୍)ରେ ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରିବା ପରେ ସେଠାରେ ଏଆର୍ସିଏସ୍, ଏସ୍ଏଆର୍ସିଏସ୍ ଓ ସମବାୟ ବିଭାଗର ଇନିସ୍ପେକ୍ଟରମାନଙ୍କୁ ଇନ୍ଚାର୍ଜ ଦାୟିତ୍ବ ମିଳିଛି। ସମବାୟ ନିର୍ବାଚନ କରିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି।
ପୂର୍ବତନ ମନ୍ତ୍ରୀ ଶ୍ରୀ ସେଠୀ ଅଭିଯୋଗ କରିଥିଲେ, କରୋନା ମହାମାରୀ ଆସିବା ଯଥେଷ୍ଟ ପୂର୍ବରୁ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ପୂରିଥିଲେ ବି ନିର୍ବାଚନ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ବାସ୍ତବରେ ଚାଷୀମାନେ ସରକାରଙ୍କ ଉପରେ ଘୋର ଅସନ୍ତୁଷ୍ଟ ଅଛନ୍ତି। ସେଥିପାଇଁ ନିର୍ବାଚନ ଫଳାଫଳକୁ ସରକାର ଭୟ କରୁଛନ୍ତି।
କରୋନା ମହାମାରୀ ସମୟରେ ସମବାୟ ଋଣ ପ୍ରଦାନରେ ଅସୁବିଧା ହେବନି। ବର୍ତ୍ତମାନ ପରିସ୍ଥିତିରେ ଚାଷୀକୁ ଋଣ ବଦଳରେ ସହାୟତା ଦେବାର ଆବଶ୍ୟକତା ରହିଛି। ଅତୀତରେ କଂଗ୍ରେସ ସରକାର ସମୟରେ ସମ୍ବଳର ଅଭାବ ଥିଲେ ବି ସମବାୟ ଋଣ ଉପରେ ୧୫୬ କୋଟି ଟଙ୍କାର ସୁଧ ଛାଡ଼ କରାଯାଇଥିଲା। ଚାଷୀଙ୍କ ସହାୟତା ପାଇଁ ପୂର୍ବ ବର୍ଷର ସମବାୟ ଋଣକୁ ଛାଡ଼ କରନ୍ତୁ, ନଚେତ୍ ଆଗାମୀ ବର୍ଷକ ପାଇଁ ଋଣ କିସ୍ତି ଆଦାୟ ବନ୍ଦ ରଖନ୍ତୁ ବୋଲି ଶ୍ରୀ ସେଠୀ ଦାବି କରିଥିଲେ।
ତାଲାବନ୍ଦ ଚାଲିଥିବାରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବାକୁ ବିଜେପି ମନା କରିଦେଇଛି। ଅନ୍ୟପଟେ ଶ୍ରୀ ସେଠୀଙ୍କ ଅଭିଯୋଗ ଉପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍ ଉଠାଇ ନଥିଲେ।
ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା କହିଥିଲେ, ଗତ ବର୍ଷ ୧୭ ଲକ୍ଷ ୯୧ ହଜାର ୮୯୮ ଜଣ ଚାଷୀଙ୍କୁ ୭ ହଜାର ୩୩୦ କୋଟି ୫୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏବର୍ଷ ୭ ହଜାର ୫୦୦ କୋଟି ଟଙ୍କା ଋଣ ଆବଣ୍ଟନ ନେଇ ଆକଳନ ହୋଇଛି। ଯଦି ଅଧିକ ଆବଶ୍ୟକ ପଡ଼ିବ, ତାହେଲେ ଋଣ ପରିମାଣ ବୃଦ୍ଧି କରିବାରେ ଅସୁବିଧା ନାହିଁ। ଗତବର୍ଷ ଖରିଫ୍ ଋତୁର ପ୍ରଥମ ତିନିମାସରେ ୪ ହଜାର ୧୫୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଏହି ସମୟରେ ୫ ହଜାର କୋଟି ଟଙ୍କା ଋଣ ଆବଣ୍ଟନ ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ୯୦% କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେମାନଙ୍କ ପାଇଁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ମାତ୍ର ୧୦% ଚାଷୀ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥାନ୍ତି। ଯେହେତୁ ଚାଷୀଙ୍କୁ ଗୋଟିଏ ବର୍ଷ ପାଇଁ ସମବାୟ ଋଣ ପ୍ରଦାନ କରାଯାଏ, ସେଥିପାଇଁ ଋଣ ପରିଶୋଧ ମଧ୍ୟ ବର୍ଷକ ଭିତରେ କରିବାକୁ ପଡ଼ିଥାଏ। କରୋନାକୁ ଦୃଷ୍ଟିରେ ରଖି ଋଣ କିସ୍ତି ଆଦାୟ ନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମସ୍ତ ଋଣ ଉପରେ ୩ ମାସର ମୋରାଟୋରିୟମ୍ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ।