ସଙ୍କଟରେ ପୁରୀର ହୋଟେଲ ଶିଳ୍ପ : ଶତାଧିକ ହୋଟେଲରେ ଝୁଲିଲାଣି ତାଲା, ୨୦ ହଜାର କର୍ମଚାରୀଙ୍କ ଜୀବନଜୀବିକା ବିପନ୍ନ

ମାଲିକ ଦେଇପାରୁ ନାହାନ୍ତି ବ୍ୟାଙ୍କ ଋଣ କିସ୍ତି, କର୍ମଚାରୀ ହାତବାନ୍ଧି ବସିଛନ୍ତିି ଘରେ

ପୁରୀ : ପୁରୀରେ ଆଉ ହୋଟେଲ ଶିଳ୍ପ ଉଧେଇ ପାରିବ ନାହିଁ। ବର୍ଷକ ଭିତରେ ଦୁଇଟି ବିପର୍ଯ୍ୟୟ ମାଡ଼ରେ ପୁରୀର ହୋଟେଲ ଶିଳ୍ପ ପୂରା ଆଣ୍ଠେଇ ପଡ଼ିଛି। ପ୍ରଥମେ ‘ଫନି’ ଓ ଏବେ କରୋନା ହୋଟେଲ୍‌ ମାଲିକଙ୍କ ଅଣ୍ଟାଭାଙ୍ଗି ଦେଇଛି। ସରକାରଙ୍କ ପ୍ରୋତ୍ସାହନ ଅଭାବ ଯୋଗୁ ନିରାଶ ହୋଇ ପୁରୀର ଅନେକ ମାଲିକ ସେମାନଙ୍କ ହେ‌ଟେଲରେ ତାଲା ଝୁଲାଇଲେଣି। କିଛି ବଙ୍ଗୀୟ ମାଲିକ ନିଜ ଅଞ୍ଚଳକୁ ଫେରିଗଲେଣି।

ପୁରୀରେ ରହିଛି ୧୧ଶହରୁ ଅଧିକ ହୋଟେଲ, ଲଜିଂ ଓ ଅତିଥିଗୃହ। ଏଥିରେ ପ୍ରତ୍ୟକ୍ଷ ଭାବେ ୨୦ହଜାର କର୍ମଚାରୀ କାମ କରନ୍ତି। ସଫେଇକର୍ମଚାରୀ, ହାଉସ୍‌କିପିଂ, ୱେଟର୍‌, ‌ରୋଷେୟା, ସକ୍ୟୁରିଟି ଗାର୍ଡ ଓ ହୋଟେଲ ପରିଚାଳନାରେ ଏହି କର୍ମଚାରୀମାନେ କାମ କରନ୍ତି। ଏମାନଙ୍କ ଦରମା ଅତିକମ୍‌ରେ ୩ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ଥାଏ। ସ୍ବଳ୍ପ ଦରମାରେ କାମ କରୁଥିବା ଏହି କର୍ମଚାରୀଙ୍କ ଉପରେ ସେମାନଙ୍କ ପରିବାର ନିର୍ଭର କରନ୍ତି। ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଓ ପର୍ଯ୍ୟାୟକ୍ରମେ ବୃଦ୍ଧି କରିବା ଦ୍ବାରା ଏହି କର୍ମଚାରୀ ଏବେ ଆଶଙ୍କା ଭିତରେ ରହିଛନ୍ତି। ଏଭଳି ସ୍ଥିତିରେ ହୋଟେଲ ମାଲିକମାନେ ସେମାନଙ୍କୁ ଚାକିରିରେ ରଖିବେ କି ନାହିଁ, ଦରମା ଦେବେ କି ନାହିଁ ତାହା ସେ ନେଇ ସନ୍ଦେହରେ ରହିଛନ୍ତି।

କରୋନା ମହାମାରୀ ଯେତେଦିନ ରହିବ, ପୁରୀକୁ ପର୍ଯ୍ୟଟକ ଆସିବେ ନାହିଁ। ଆଉ ଏହି ସଂକଟ ୬ ମାସ ମଧ୍ୟରେ ଟଳୁଥିବାର ସମ୍ଭାବନା ‌ଦିଶୁନାହିଁ। ପୁରୀର ଶତକଡ଼ା ୯୦ ପ୍ରତିଶତ ହୋଟେଲ ସ୍ବଳ୍ପ ଆୟରେ ଚଳନ୍ତି। ବ୍ୟାଙ୍କରୁ ଋଣ କରି ହୋଟେଲ କରିଥିଲେ। ଏବେ ସେମାନେ ବ୍ୟାଙ୍କ କିସ୍ତି ବି ଦେଇପାରୁନାହାନ୍ତି। ଏଭଳି ସ୍ଥିତିରେ ସରକାର ମାଲିକଙ୍କ ଦୁଃଖ ନ ବୁଝିବା ଏକ ଭୟଙ୍କର ସାମାଜିକ ଅସନ୍ତୁଳନ ସୃଷ୍ଟି କରିଛି। କେବଳ ପୁରୀର ହୋଟେଲ ଶିଳ୍ପ ଉପରେ ୨୦ ହଜାର ପରିବାରରେ ଚୁଲି ଜଳେ। ଏବେ ସେମ‌ାନେ କେମିତି ଚଳିବେ? ଜଣେ ମାଲିକ ବସାଇ ସବୁଦିନ ଦରମା ଦେବା ସମ୍ଭବ ନୁହେଁ ବୋଲି ପୁରୀ ହୋଟେଲ ସଂଘର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି। ‌ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ବଡ ପ୍ୟାକେଜ୍‌ର ଆବଶ୍ୟକତା ଥିବା ଶ୍ରୀ ପାତ୍ର କହିଛନ୍ତି।

ଫନି ବାତ୍ୟାପରେ ସର୍ବାଧିକ କ୍ଷତି ସହିଥିଲା ପୁରୀର ହୋଟେଲ ଶିଳ୍ପ। ‘ଫନି’ ମାଡ଼କୁ କରୋନା ଦୁଃଖ ବଳିଯାଇଛି। ହୋଟେଲ ଶିଳ୍ପର ଦୟନୀୟ ସ୍ଥିତି ଯୋଗୁ ଏବେ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୨୦ ହଜାର କର୍ମଚାରୀଙ୍କ ଜୀବନଜୀବିକା ବିପନ୍ନ ହୋଇଛି। ସ୍ବଳ୍ପ ଦରମାରେ କାମ କରୁଥିବା ଏହି ‌ହୋଟେଲ କର୍ମଚାରୀଙ୍କୁ ଦରମା ମିଳିନାହିଁ। କିଛି ହାତଗଣତି ବଡ଼ ହୋଟେଲ ୩୦ରୁ ୪୦ ପ୍ରତିଶତ ଦରମା ଦେଇଛନ୍ତି। କାମ ନଥିବାରୁ କର୍ମଚାରୀ ସବୁ ଘରେ ବସିଛନ୍ତି। ଫନି ବେଳେ ଟଙ୍କାଟିଏ ଆର୍ଥିକ ସହାୟତା ଦେଇନଥିବା ସରକାର ୨୦ ହଜାର ପରିବାରଙ୍କ ଜୀବନଜୀବିକା କଥା ଚିନ୍ତା ନ କଲେ ଏମାନଙ୍କ ପରିବାର ରାସ୍ତାକୁ ଚାଲି ଆସିବେ। ପୁରୀର ହୋଟେଲ ଶିଳ୍ପ ତିଷ୍ଠିବା ପାଇଁ ସରକାରଙ୍କୁ କିଛି ବ୍ୟବସ୍ଥା କରିବ‌ାକୁ ହେବ ବୋଲି ହୋଟେଲ ସଂଘର ସମ୍ପାଦକ ଶ୍ରୀ ପାତ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର