ଲକ୍‌ଡାଉନ୍‌ରେ ଦାଦନ ଦୁଃଖ

ଭୁବନେଶ୍ବର, (ମହମ୍ମଦ ହିଫ୍‌ଜୁର୍‌ ରହେମାନ୍‌): ‘ତୁମେ ଯଦି ଆମକୁ ଦୁଇ ପଟ ରୁଟି ଦେଇପାରିବ ନାହିଁ, ତାହାହେଲେ ପିଟୁଛ କାହିଁକି? ଦେଖ ଏ ପୁଲିସ ବାଲା ଲାଠିରେ କେତେ ପିଟିଛନ୍ତି ଯେ ପିଠି ଓ ଅଣ୍ଟା ଯନ୍ତ୍ରଣାରେ ଫାଟି ପଡ଼ୁଛି। ଆମକୁ କଣ ଖୁସି ଲାଗୁଛି ଘରକୁ ଚାଲି ଚାଲି ଯିବାକୁ। କଂଟ୍ରାକଟର ପଇସା ଦେଲାନି, ଘରୁ ବାହାର କରିଦେଲା। କେହି ଆମ କଥା ବୁଝିଲେନି। ଭୋକ ଦାଉରୁ ରକ୍ଷା ପାଇବା ଲାଗି ଚାଲି ଚାଲି ଘରକୁ ଯାଉଛୁ। ଦେଢ଼ ଶହ କିଲୋମିଟର ଚାଲିଲୁଣି। ଦେଖନ୍ତୁ ପାଦ ଖଣ୍ଡିଆ ହୋଇଗଲାଣି। ପୁଲିସ ଶୁଣିଲାନି ପଶୁ ଭଳି ପିଟି ପକାଇଲା। ଶେ‌ାଷ ଲାଗୁଛି। ଯଦି ପାଣି ଟୋପାଏ ଦେଇପାରୁନ, ତାହାହେଲେ ପିଟିବାର ମଧ୍ୟ ତମର ଅଧିକାର ନାହିଁ। ଆମେ କଣ ମଣିଷ ନୁ‌ହେଁ।’ ଏ ହେଉଛି ଭୋକ ଉପାସରେ ଘରକୁ ଫେରୁଥିବା ଜଣେ ଦାଦନ ଶ୍ରମିକର କୋହ।

କେବଳ ଇଏ ନୁହନ୍ତି, ମହାରା‌ଷ୍ଟ୍ରରେ ରେଳ ଧାରଣା ଉପରେ କଟି ପଡ଼ିଥିବା ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ଏଭଳି କିଛି ଦୁଃଖଭରା କାହାଣୀ ବର୍ଣ୍ଣନା କରୁଛି। ଭୋକ ଉପାସରେ ଥିବା ଏହି ଶ୍ରମିକମାନେ ଘରକୁ ଫେରିବା ଲାଗି ସଡ଼କ ବଦଳରେ ରେଳ ଲାଇନ ଉପରେ ଯିବାକୁ ଏଇଥିପାଇଁ ସ୍ଥିର କଲେ ଯେ ରାସ୍ତା ଉପରେ ପୁଲିସ ମାଡ଼ର ଭୟ ରହିଛି। ତେଣୁ‌ ସେମାନେ ରେଳ ଧାରଣର ଉପରେ ଚାଲିଚାଲି ଯାଉଥିଲେ। ଥକି ଯାଇ ରେଳ ଧାରଣା ଉପରେ ଶୋଇ ପଡ଼ିଲେ। ଭାବିଥିଲେ ଟ୍ରେନ ତ ଚାଲୁନି। ଘରକୁ ଫେରିବାର ସ୍ବପ୍ନ ଦେଖୁଥିବା ବେଳେ ସେମାନଙ୍କ ଉପରେ ମାଡ଼ିଯାଇଥିଲା ମାଲଗାଡ଼ି। ଖାଲି ସ୍ବପ୍ନ ନୁ‌େହଁ, ସେମାନଙ୍କ ଶରୀର ମଧ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ସେମାନଙ୍କ ଆଖିରେ ସ୍ବପ୍ନ ଏବଂ ହୃଦୟରେ ଯେ କେତେ ଯନ୍ତ୍ରଣା ଥିଲା ତାହାର ସାକ୍ଷୀ ହୋଇ ରହିଗଲା ସେହି ରେଳ ଧାରଣା। ଏହାକୁ ଏକ ସାଧାରଣ ଦୁର୍ଘଟଣା ବୋଲି କୁହାଯାଇପାରିବ ନାହିଁ। ଏହା ଏକ ମାନବୀୟ ସଙ୍କଟ। କରୋନା ମୁକାବିଲା ଲାଗି ଦେଶରେ ଲକଡାଉନ୍ ଆରମ୍ଭ ହେବା ଦିନ ଠାରୁ ଏଭଳି ଦୁର୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି ଦାଦନ ଶ୍ରମିକ। ଆମ ଦେଶରେ ରହିଛନ୍ତି ଏଭଳି ୪ କୋଟି ପ୍ରବାସୀ ଶ୍ରମିକ, ଯେଉଁମାନେ କି ଗୋଟିଏ ରାଜ୍ୟରୁ ଯାଇ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ଦେଶର ବିକାଶକୁ ନୂଆ ରୂପ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବା ଏହି ଶ୍ରମିକ ସବୁଠାରୁ ବଡ଼ ଶିକାର ହେଲେ ଏହି ଲକ୍ ଡାଉନର। ‌େସମାନେ ଏଭଳି ଦୁର୍ଦଶାର ଶିକାର ହେବେ ବୋଲି କେହି କେବେ କଳ୍ପନା କରିନଥିଲେ। ସରକାରଙ୍କ ପରାମର୍ଶ ସତ୍ତ୍ବେ ମାଲିକମାନେ ସେମାନଙ୍କୁ ମଜୁରି ଦେଲେ ନାହିଁ। ପଇସା ଅଭାବରୁ ସେମାନେ ଭଡ଼ା ଘରୁ ମଧ୍ୟ ତଡ଼ା ଖାଇଲେ। ଅନ୍ୟ ଉପାୟ ନ ପାଇ ସେମାନେ ନିଜ ଘରକୁ ଫେରିବା ଲାଗି ବାଧ୍ୟ ‌େହଲେ। ଲକ୍ ଡାଉନ ଯୋଗୁଁ ବସ ଟ୍ରେନ ସେବା ବନ୍ଦ ହୋଇଯିବାରୁ ସେମାନେ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ଲାଗିଲେ। ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ଛୋଟ ଛୋଟ ପିଲାଙ୍କୁ ଧରି ଚାଲି ଚାଲି ଯାଉଥିବାର ହୃଦୟବିଦାରକ ଦୃଶ୍ୟ ଏବେ ବି ଦେଖିବାକୁ ମିଳୁଛି।

ସ୍ବାଧୀନ ଭାରତ ଇତିହାସରେ ଏଭଳି ଅଭାବନୀୟ ଦୃ୍ଶ୍ୟ କେବେ ଦେଖିବାକୁ ମିଳିନଥିଲା। ଚାଲିବା ସମୟରେ କେତେ ଲୋକ ହୃଦଘାତରେ ଟଳି ପଡ଼ିଲେ ତ କିଏ ଦୁର୍ଘଟଣାର ଶିକାର ହେଲେ। କେତେକ ସ୍ଥାନରେ ସେମାନଙ୍କ ଉପରକୁ କାର ଓ ଟ୍ରକ ମାଡ଼ିବାର ମଧ୍ୟ ଖବର ମିଳିଛି। କେବଳ ସେତିକି ନୁହେଁ ସେମାନଙ୍କୁ ଅଟକାଇବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଜଗିବାରୁ ଅନେକ ଶ୍ରମିକ ଘରକୁ ଫେରିବା ଲାଗି ଅବାଟ ଆପଣାଇଥିଲେ। କିଏ କଣ୍ଟେନରରେ ଲୁଚି ଫେରିବାକୁ ଉଦ୍ୟମ କଲେ ତ ଅନେକ ଆମ୍ବ ଟ୍ରକ ଏବଂ କଂକ୍ରିଟ ମିକ୍ସଚର ଗାଡ଼ି‌େର ଲୁଚି ପଳାଇବାକୁ ପ୍ରୟାସ କରିଥିଲେ। ଏହି କାରଣରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଶିକାର ‌େହାଇ ପାଖାପାଖି ଶହେ ଜଣ ପ୍ରାଣ ହରାଇଥିବା କୁହାଯାଉଛି। ସେମାନଙ୍କର ଦୁଃଖ ଏଇଠି ସରିନାହିଁ। ଯେଉଁମାନେ ନିରାପଦରେ ଚାଲି ଚାଲି ହେଉ କି ଅନ୍ୟ କୌଣସି ଉପାୟରେ ଘରକୁ ଫେରିଲେ ସେମାନଙ୍କୁ ଗାଁରେ ପୂରାଇ ଦିଆଯାଉ ନାହିଁ। କରୋନା ଭୟରେ ସେମାନଙ୍କୁ ନିଜ ପରିବାର ଲୋକ ମଧ୍ୟ ଆପଣାଇବାକୁ ପ୍ରସ୍ତୁତ ନୁହନ୍ତି। ପେଟ ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ଏହି ଶ୍ରମିକଙ୍କୁ ଲକ୍ ଡାଉନ୍ ଯୋଗୁ ମଜୁରି ମିଳିଲା ନାହିଁ। ଘର ମାଲିକମାନେ ମଧ୍ୟ ସେମାନଙ୍କୁ ବାହାର କରିଦେଲେ। ଭୋକ ଉପାସରୁ ରକ୍ଷା ପାଇବା ଲାଗି ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରିବା ବାଟରେ କିଏ ପୁଲିସ ଲାଠି ପ୍ରହାର ଖାଇଲେ ତ କିଏ ଦୁର୍ଘଟଣାର ଶିକାର ହେଲେ। ବାଟରେ କେତେ ଯେ ଯନ୍ତ୍ରଣା ସହି ଖରାବର୍ଷାରେ ସେମାନେ ଘରେ ପହଂଚିଲା ବେଳକୁ ସେମାନଙ୍କୁ ଗାଁ‌େର ପୂରାଇ ଦିଆଯାଉ ନାହିଁ। ସଂଗରୋଧ ବା କ୍ବାରାଣ୍ଟାଇନରେ ରହିବା ପରେ ମଧ୍ୟ ସେମାନେ ଅଛୁଆଁ ହୋଇ ପଡ଼ିଛନ୍ତି। ଘର ଲୋକ ମଧ୍ୟ ସେମାନଙ୍କୁ ଗ୍ରହଣ କରିବାକୁ ନାରାଜ। ଏଭଳି ଅନେକ ଖବର ଦେଶର ବିଭିନ୍ନ ଭାଗରୁ ଆସୁଛି। ତ୍ରିପୁରାର ‌ଜଣେ ବ୍ୟକ୍ତି ନିଜ ପରିବାରକୁ ଭେଟିବା ଲାଗି ଆସାମରୁ ୩୦ ହଜାର ଟଙ୍କା ଭଡ଼ାଦେଇ କାରରେ ଫେରିଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ଘ‌େର ପୂରାଇ ଦେଲେନାହିଁ।

ଏଭଳି ମାନବୀୟ ସଙ୍କଟ ପାଇଁ ଦାୟୀ କିଏ? ଲକ୍ ଡାଉନ୍ ପୂର୍ବରୁ ସରକାର ‌ଦାଦନ ଶ୍ରମିକଙ୍କ ସଂପର୍କରେ ଟିକିଏ ଚିନ୍ତା କରିଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି କୁହାଯାଉଛି। ଏହାଛଡ଼ା ଏଭଳି ଶ୍ରମିକଙ୍କ ପାଇଁ ସରକାରୀ ପ୍ୟାକେଜ ଘୋଷଣା ଏବଂ ‌େଟ୍ରନ ଓ ବସ୍ ସେବା ଆରମ୍ଭ ଭଳି ପଦକ୍ଷେପ ବହୁତ ବିଳମ୍ବରେ ନିଆଯାଇଛି। ଏଭଳି ପଦକ୍ଷେପ ଲକ୍ ଡାଉନ ପରେ ପରେ ଘୋଷଣା ହୋଇଥିଲେ ପ୍ରବାସୀମାନେ ଏଭଳି ଘରମୁହାଁ ହୋଇନଥାନ୍ତେ। ଆଉ ପ୍ରବ‌ାସୀ ଥରେ‌ ଘର ମୁହ‌ାଁ ହେଲେ ‌େସମାନଙ୍କୁ ଅଟକାଇବା ସହଜ ନୁହେଁ। ଆଜି ଦେଶକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର