କଳାସଂସ୍କୃତିର ପ୍ରାଣକେନ୍ଦ୍ରରେ ଫଟୋଗ୍ରାଫରଙ୍କ ଲେନ୍ସ ଖାଲି : ରୋଜଗାର ଋତୁରେ ୪ଶହରୁ ଊର୍ଦ୍ଧ୍ୱ ଷ୍ଟୁଡିଓରେ ତାଲାବନ୍ଦ ସ୍ଥିତି

ଆର୍ଥିକ ସଙ୍କଟରେ ୨ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ

ବାରିପଦା : କଳାସଂସ୍କୃତିର ଜିଲ୍ଲା ମୟୂରଭଞ୍ଜରେ ଫଟୋଗ୍ରାଫରମାନଙ୍କର ଏକ ପ୍ରମୁଖ ଭୂମିକା ରହିଆସିଛି। ରାଜାରାଜୁଡ଼ା ଅମଳରୁ ଏହିମାନେ ହିଁ ଜିଲ୍ଲାର ଗୌରବମୟ ଐତିହ୍ୟକୁ ସେମାନଙ୍କର କ୍ୟାମେରା ଲେନ୍ସରେ ବାନ୍ଧି ରଖିଛନ୍ତି। ମାତ୍ର କରୋନା କାରଣରୁ ଏମାନଙ୍କର ବୃତ୍ତି ଉପରେ ବିପଦ ମାଡ଼ିଆସିଛି। ମୟୂରଭଞ୍ଜରେ ଛୋଟବଡ଼ ମିଶାଇ ପ୍ରାୟ ୪ଶହରୁ ୫ଶହ ଷ୍ଟୁଡିଓ ରହିଛି। ଏହି କ୍ଷେତ୍ର ଉପରେ ନିର୍ଭର କରି ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ସେମାନଙ୍କର ଜୀବିକା ଅର୍ଜନ କରିଥାଆନ୍ତି। ମାତ୍ର କରୋନା ଜନିତ ଲକ୍‌ଡାଉନ ସେମାନଙ୍କର ରୋଜଗାର ଛଡ଼େଇ ନେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିବାହ ଋତୁରେ ଲକ୍‌ଡାଉନ କାରଣରୁ ଏମାନେ ସମସ୍ତେ ହାତବାନ୍ଧି ବସିଛନ୍ତି। ସେହିପରି କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମ ମଧ୍ୟ ହେଉନାହିଁ। ତେଣୁ ଏମାନଙ୍କର ରୋଜଗାର ଏକାବେଳେ ଠପ୍ ହୋଇଯାଇଛି।

ସେହିପରି ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଋତୁକୁ ଲକ୍ଷ୍ୟକରି କ୍ୟାମେରା ଆଦି ବିଭିନ୍ନ ଯନ୍ତ୍ରପାତି କିଣିଥିବା ଫଟୋ ଷ୍ଟୁଡିଓ ମାଲିକମାନେ ମଧ୍ୟ ମାସିକ କିସ୍ତି ଦେବାକୁ ସକ୍ଷମ ହେଉନାହାନ୍ତି। ଏହା ବାଦ୍ ରହିଛି ଘରଭଡ଼ା ଆଦି ସମସ୍ୟା। ଦିନେ ସବୁ କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ ପ୍ରଥମେ ଖୋଜାଯାଉଥିଲା, ଆଜି ସେମାନଙ୍କୁ ସମସ୍ତେ ଭୁଲିଗଲେଣି କହିଲେ ଚଳିବ। ବୃତ୍ତିକୁ ଛାଡ଼ିପାରୁନାହାନ୍ତି କିମ୍ବା ଦାନା ଯୋଗାଡ଼ କରିପାରୁନାହାନ୍ତି। ଯାହାକି ସେମାନଙ୍କୁ ଏକ ଦୋଛକିରେ ଛିଡ଼ାକରିଦେଇଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ତ’ ବୃତ୍ତି ଛାଡ଼ି ଅନ୍ୟ କାମ କରିବାକୁ ଲାଗିଲେଣି। ତେଣୁ ସରକାର ଅନ୍ତତଃ ଏହି କ୍ଷେତ୍ର ପ୍ରତି ଟିକେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଲକ୍‌ଡାଉନ ଚାଲିଥିବାରୁ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମ ହେଉନାହିଁ। ମୋବାଇଲ୍‌ର ବହୁଳ ବ୍ୟବହାର ଦିନରୁ ପାସ୍‌ପୋର୍ଟ ଫଟୋରୁ ବିଶେଷ ରୋଜଗାର ହେଉନାହିଁ। ବର୍ଷରେ ପ୍ରାୟ ୩୦ରୁ ୩୫ ଦିନ ବିବାହ ଲଗ୍ନ ରହୁଛି। ଉକ୍ତ ଦିନଗୁଡ଼ିକରେ ହିଁ ଫଟୋଗ୍ରାଫରମାନେ ବର୍ଷକର ରୋଜଗାର କରିଥାଆନ୍ତି। ମାତ୍ର ଲକ୍‌ଡାଉନ ଫଳରେ ବିବାହ ଋତୁ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି। ଯାହାଫଳରେ ଫଟୋଗ୍ରାଫରମାନେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତିକରୁଛନ୍ତି। ତେଣୁ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ କିଛି ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଗଲେ ଭଲହୁଅନ୍ତା।
ସଞ୍ଜିବ ଦ୍ୱିବେଦୀ, ସଭାପତି, ମୟୁରଭଞ୍ଜ ଫଟୋ ଓ ଭିଡିଓଗ୍ରାଫର ସଂଘ

ଲକ୍‌ଡାଉନ ଫଟୋଗ୍ରାଫି କ୍ଷେତ୍ରକୁ ଗଭୀର ପ୍ରଭାବିତ କରିଛି। ବିବାହ ଋତୁରେ ବର୍ଷଯାକର ରୋଜଗାର ହୋଇଥାଏ। ଦୀର୍ଘ ୨୦ବର୍ଷ ହେବ ଏହି କ୍ଷେତ୍ରରେ ଥିଲେ ମଧ୍ୟ ଏପରି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ଅତ୍ୟାବଶ୍ୟକ କ୍ଷେତ୍ରରେ ଯାଉନାହିଁ। ତେଣୁ କାହାର ଆମ ଉପରେ ନଜର ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫଟୋଗ୍ରାଫର ମାନଙ୍କ ସମସ୍ୟା ସମ୍ପର୍କରେ ଭାବିବା ଆବଶ୍ୟକ।
ଜିତେନ୍ଦ୍ର କୁମାର ପଟ୍ଟନାୟକ, ଷ୍ଟୁଡିଓ ମାଲିକ

ଗୋଟିଏ ବିବାହ ଫଟୋଗ୍ରାଫିରେ ପ୍ରାୟ ୩ଟି ପରିବାର ଚଳନ୍ତି। ମାତ୍ର ଲକ୍‌ଡାଉନ ସମସ୍ତଙ୍କର ଜୀବିକା ଛଡ଼େଇ ନେଇଛି। ସେହିପରି ଷ୍ଟୁଡିଓ ପାଇଁ ନୂଆ କ୍ୟାମେରା ଓ ଉପକରଣ କିଣିଥିବାରୁ ଏହାପାଇଁ ମାସିକ କିସ୍ତି ମଧ୍ୟ ଦେଇହେଉନାହିଁ। କର୍ମଚାରୀମାନେ ଏହି ଲାଇନ୍ ଛାଡ଼ିବାକୁ ସ୍ଥିର କଲେଣି।
ଅଜିତ କଲିଆ, ଷ୍ଟୁଡିଓ ମାଲିକ

ସବୁ କାମରେ ଫଟୋଗ୍ରାଫରଙ୍କୁ ପ୍ରଥମେ ଖୋଜା ପଡ଼ିଥାଏ। ମାତ୍ର କରୋନରେ ସମସ୍ତେ ଆମକୁ ଭୁଲିଯାଇଛନ୍ତି। କ୍ଷୁଦ୍ର ବ୍ୟବସାୟୀ ହୋଇଥିବାରୁ କେହି ନଜର ଦେଉନାହାନ୍ତି। ସରକାର ଏନେଇ ଚିନ୍ତା କରିବା ଆବଶ୍ୟକ।
ଭବାନୀ ଶଙ୍କର ରାମ, ଷ୍ଟୁଡିଓ ମାଲିକ

ସମ୍ବନ୍ଧିତ ଖବର