ପୁରୀ : ‘ସାରେ ଦୁନିଆ କା ବୋଝ୍ ହମ୍ ଉଠାତେ ହେଁ’ କୁଲି ଚଳଚ୍ଚିତ୍ରରେ ଏ ଗୀତ ଏବେ ବି ଲୋକଙ୍କ ମନରେ ଲିଭିନାହିଁ। କୁଲି ଚଳଚ୍ଚିତ୍ରରେ ପ୍ରସିଦ୍ଧ ଡାଏଲଗ୍କୁ ଘୋଷି ହୋଇ କୁଲିମାନେ ଏବେ ବି ଗର୍ବ ଅନୁଭବ କରନ୍ତି। ‘ମଜଦୁର କି ପସିନା ଶୁଖ୍ନେ ସେ ପେହେଲେ, ଉସ୍କି ମଜଦୁରି ମିଲଜାନା ଚାହିଏ’ ବୋଲି ଡାଇଲଗ୍ ଝାଡ଼ି ଦିଅନ୍ତି। ଷ୍ଟେସନରେ କୁଲିଗିରି କରୁଥିବା ଏହି ମେହନତି ମିଣିଷମାନେ ସର୍ବଦା ନିଜ ପରିଶ୍ରମରେ ବିଶ୍ବାସ କରନ୍ତ। ସେମାନେ କାହାର ଦୟାରେ ନୁହେଁ ବରଂ ନିଜ ପରିଶ୍ରମରେ ବଞ୍ଚନ୍ତି। ମାତ୍ର କରୋନା କଟକଣା ଯୋଗୁଁ ଏହି ମେହନତି ମିଣିଷମାନେ ଏବେ ନିରାଶ ହୋଇପଡ଼ିଛନ୍ତି। ରେଳ ଗାଡି ଗଡ଼ୁ ନଥିବାରୁ ଯାତ୍ରୀ ଆସୁନାହାନ୍ତି। ବୋଝ ମିଳୁନାହିଁ। ଗତ ୪୦ ଦିନର ଲକ୍ଡାଉନ୍ ଭିତରେ ସେମାନଙ୍କ ପରିବାର ବଡ଼ ଦୁର୍ଦ୍ଦନରେ ଦିନ କାଟୁଛନ୍ତି ବୋଲି ପୁରୀ ରେଳଷ୍ଟେସନରେନ କୁଲିଗିରି କରି ଚଳୁଥିବା ସୁନିଲ ରାଓ କହିଛନ୍ତି। ଏବେ ତାଙ୍କ ପାଇଁ କେହି ନାହାନ୍ତି ବୋଲି ସେ ମତ ରଖିଛନ୍ତି। ରେଳ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଦୁର୍ଦ୍ଦିନ ସମୟରେ ତାଙ୍କୁ କିଛି ସହଯୋଗ କରୁ ନଥିବା କହିଛନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ମଧ୍ୟ ତାଙ୍କ ଦୁଃଖ କଥା ବୁଝିନାହାନ୍ତି। ଗତ ଫନି ବାତ୍ୟାରେ ୪ ମାସ ପ୍ରଭାବିତ ହୋଇଥିବା ପୁରୀର ଶତାଧିକ କୁଲି ପରିବାର ଏବେ ବଡ଼ କଷ୍ଟରେ ଦିନ କାଟୁଥିବା ଶ୍ରୀ ରାଓ କହିଛନ୍ତି। ସେହିଭଳି ଲକ୍ଡାଉନ୍ ସରିବା ପରେ ରେଳ ଚଳାଚଳ କେବେ ସ୍ବାଭାବିକ ହେବ, ପୁରୀକୁ ଆଗଭଳି ପର୍ଯ୍ୟଟକ ଆସିବେ ସେ ନେଇ ମଧ୍ୟ ଅନିଶ୍ଚିତତା ଭିତରେ ରହିଛନ୍ତି।
ଗହଳ ଚହଳରେ ଫାଟି ପଡୁଥିବା ପୁରୀ ରେଳଷ୍ଟେସନ୍ କରୋନା କଟକଣା ଯୋଗୁ ଏବେ ଖାଁ ଖାଁ। ପ୍ଲାଟଫର୍ମରେ ଯାତ୍ରୀଟିଏ ନାହିଁ। ହେଲେ ନାଲି ପୋଷାକ ଓ ବ୍ୟାଚ୍ ପିନ୍ଧି ଷ୍ଟେସନ୍ କୁଲି ବେଳେ ବେଳେ ନିଜ ଅଲକ୍ଷ୍ୟରେ ପୁରୀ ରେଳଷ୍ଟେସନ୍ ଆଡ଼େ ଚାଲି ଆସୁଛନ୍ତି। ହେଲେ ନିରାଶ ହୋଇ ଫେରୁଛନ୍ତି। ପୁରୀ ରେଳଷ୍ଟେସନ୍ ଉପରେ ନିର୍ଭର କରୁଥିବା ଶତାଧିକ କୁଲି ପରିବାରଙ୍କ ଚୁଲି ଜଳୁନାହିଁ। ବର୍ଷ ବର୍ଷ ଧରି ଯାତ୍ରୀ, ପର୍ଯ୍ୟଟକଙ୍କ ବୋଝ ବୋହୁଥିବା କୁଲି ଏବେ ଏକା ହୋଇଯାଇଛନ୍ତି। ସରକାରଙ୍କ ପିଡିଏସ୍ ସାମଗ୍ରୀ ଏବେ ପରିବାର ଚଳାଇବା ପାଇଁ ସେମାନଙ୍କର ଏକମାତ୍ର ବିକଳ୍ପ। ସୂଚନା ମୁତାବକ, ପୁରୀ ରେଳଷ୍ଟେସନ୍ ଉପରେ ୮୨ଜଣ ପଞ୍ଜୀକୃତ କୁଲି ନିର୍ଭର କରୁଛନ୍ତି। ଏଥି ସହିତ କିଛି ସଫେଇ କର୍ମଚାରୀ ମଧ୍ୟ ଦୈନିକ ମଜୁରି ଉପରେ ନିର୍ଭର କରନ୍ତି। ରେଳ ଚଳାଚଳ ବନ୍ଦ ଯୋଗୁଁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ଏ ନେଇ ସେମାନେ ରେଳ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ ମାତ୍ର କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି।