କ୍ଷେତରେ ପାକଳ ହେଲାଣି, ବିକ୍ରି ପାଇଁ ନାହିଁ ବଜାର ସୁବିଧା : ଅଭାବ ବିକ୍ରିର ଶିକାର ଆଖୁ ଚାଷୀ

ରାୟଗଡ଼ା : ରାୟଗଡ଼ା ଆଖୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଚଳିତ ବର୍ଷ ଭଲ ଫସଲ ଦେଖି ଚାଷୀ ଆଶା କରିଥିଲା ବେଶ୍ ଦି ପଇସା ରୋଜଗାର କରିବ। କିନ୍ତୁ କରୋନା ମୁକାବିଲା ପାଇଁ ସରକାରଙ୍କ ଲକଡାଉନ୍ ଘୋଷଣା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିକ୍ରି ପାଇଁ ବଜାର ଅଭାବରୁ ଏକର ଏକର ଜମିରେ ଆଖୁ ପାକଳ ହୋଇ ନଷ୍ଟ ହେବାକୁ ବସିଲାଣି। ସବୁଠୁ ବଡ଼ କଥା ହେଲା ଚାଷୀ ଆଗାମୀ ବର୍ଷ ପାଇଁ ବିହନ ଅମଳ କରିନଥିବାରୁ କିପରି ଭାବେ ଚାଷ ହେବ ତାକୁ ନେଇ ଚିନ୍ତାରେ।

ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ରାୟଗଡ଼ା, କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରି, ଗୁଣପୁର ବ୍ଲକରେ ଆଖୁ ଚାଷ ହେଉଛି। ପୂର୍ବ ଅପେକ୍ଷା ଜିଲ୍ଲାରେ ଆଖୁ ଚାଷ କମିଥିବା ବେଳେ ଯେଉଁ କିଛି ଚାଷୀ କରୁଛନ୍ତି ସେହି ଅନୁଯାୟୀ ଲାଭ ପାଉ ନାହାନ୍ତି। ମୁନିଗୁଡ଼ା ବ୍ଲକ୍ ପାଜିବାଲି ଗାଁର ଚାଷୀ ଅର୍ଜୁନ ନାୟକ। ୧ ଏକର ଜମିରେ ଚଳିତ ବର୍ଷ ଆଖୁ ଚାଷ କରିଥିଲେ। ଚାଷ ପାଇଁ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭଲ ଚାଷ ଯୋଗୁ ଉତ୍ପାଦିତ ହେବାକୁ ଥିବା ଆଖୁ ୧ ଲକ୍ଷ ଟଙ୍କାରେ ବିକ୍ରି ହୁଅନ୍ତା। କିନ୍ତୁ ଲକଡାଉନ୍ ଯୋଗୁ କେହି ବ୍ୟବସାୟୀ କିଣିବାକୁ ଆସୁନଥିବାରୁ ଜମିରେ ଏବେ ପାକଳ ହୋଇ ନଷ୍ଟ ହେବାକୁ ବସିଲାଣି ଆଖୁ। ପୂର୍ବ ବର୍ଷ ଅର୍ଜୁନ ଗୋଟିଏ ଗଛ ପିଛା ବ୍ୟବସାୟୀଙ୍କୁ ୧୦ ଟଙ୍କାରେ ବିକ୍ରି କରିଥିଲେ। ଚଳିତ ବର୍ଷ ବ୍ୟବସାୟୀଙ୍କୁ ଯୋଗାଯୋଗ କରିବା ସତ୍ତ୍ବେ ବେପାର ବନ୍ଦ ଯୋଗୁ କେହି ଆସୁନଥିବାରୁ ଆଖୁ ବିକ୍ରି ହୋଇପାରୁନି। ଅର୍ଜୁନଙ୍କ ଭଳି ଗ୍ରାମରେ ଆଖୁ ଚାଷ କରିଥିବା ଅନ୍ୟ ବ୍ୟବସାୟୀ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୧୫ରୁ ୨୦ ଏକର ଜମିରେ ଆଖୁ ଚାଷ ହୋଇଥିବା ବେଳେ ବିକ୍ରି ପାଇଁ ବଜାର ନଥିବାରୁ ଚାଷୀ ଚିନିକଳକୁ ଆଖୁ ଦେବା ପାଇଁ ଯୋଗାଯୋଗ କରିଥିଲେ। ହେଲେ ଚିନିକଳ ମଧ୍ୟ ବନ୍ଦ ଥିବାରୁ ଚାଷୀ କ୍ଷତିରେ ପଡ଼ିବା ସ୍ପଷ୍ଟ ହୋଇଯାଇଛି। ଆଖୁକୁ ପେଡ଼ି ଗୁଡ଼ ପ୍ରସ୍ତୁତ କରିବା ପାଇଁ ମଧ୍ୟ କୌଣସି ସରଞ୍ଜାମ ନଥିବାରୁ ଚାଷୀ ନିରୁପାୟ ହୋଇ ବସି ରହିଛନ୍ତି। ମୁନିଗୁଡ଼ା ବ୍ଲକ୍ ଭଳି ଅନ୍ୟ ସମସ୍ତ ବ୍ଲକର ଆଖୁ ଚାଷୀଙ୍କ ସମାନ୍ ଅବସ୍ଥା। ବିକ୍ରି ସୁବିଧା ନଥିବାରୁ ଚାଷୀ ଆଖୁ ପାକଳ ପୂର୍ବରୁ କାଟି ପାରି ନାହାନ୍ତି। ଫଳରେ ଆଗାମୀ ବର୍ଷ ପାଇଁ ବିହନ ମଧ୍ୟ ବଞ୍ଚାଇବାରେ ଚାଷୀ ବିଫଳ ହୋଇଛି।

ରାୟଗଡ଼ା ଜିଲ୍ଲାରେ ପୂର୍ବରୁ ଜୟପୁର ସୁଗାର କଂପାନି ଓ ଗୁଡ଼ାରିରେ ଚିନିକଳ ପ୍ରତିଷ୍ଠା ହୋଇଥିଲା। ହଜାର ହଜାର ଏକର ଜମିରେ ଆଖୁ ଚାଷ ହେବା ସହିତ ଚାଷୀ ଭଲ ଲାଭବାନ୍ ହେଉଥିଲେ। ଗତ ଦୁଇ ଦଶନ୍ଧି ହେଲା ଜୟପୁର ସୁଗାର କଂପାନି ବନ୍ଦ ରହିଥିବାରୁ ଚାଷୀ ଆନ୍ଧ୍ର ଚିନିକଳ ଉପରେ ନିର୍ଭର କରି ଆସୁଛନ୍ତି। ବଡ଼ ଚାଷୀମାନେ ଆନ୍ଧ୍ରକୁ ଅମଳ ଆଖୁ ପଠାଉଥିବା ବେଳେ କ୍ଷୁଦ୍ର ଚାଷୀ ମୁନିଗୁଡ଼ା, ରାୟଗଡା, ଗୁଣପୁରରେ ଉତ୍ପାଦିତ ଆଖୁକୁ ବିକ୍ରି କରୁଥିଲେ। ଏହି ସବୁ ସହରରେ ଖରାଦିନରେ ଆଖୁ ରସର ଚାହିଦା ଥିବାରୁ ବେପାରୀ ଗାଁକୁ ଆସି ଆଖୁ କିଣି ନେଉଥିଲେ। ଚଳିତ ବର୍ଷ ଲକଡାଉନ୍ ପ୍ରଭାବରେ ଦୋକାନ, ବଜାର ବନ୍ଦ ଥିବାରୁ ଆଖୁ ରସ ବିକ୍ରି ମଧ୍ୟ ବନ୍ଦ ରହିଛି। ଯାହା ଫଳରେ ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ଚାଷ ପାଇଁ ଖର୍ଚ୍ଚ କରିଥିବା ମୂଳ ଟଙ୍କା ମଧ୍ୟ ପାଇବା ନେଇ ସନ୍ଦିହାନ୍ ହୋଇ ପଡ଼ିଛନ୍ତି। ବିକ୍ରି ସମସ୍ୟା ସାଙ୍ଗକୁ ଆଖୁ ଚାଷ ଦିଗରେ କୃଷି ବିଭାଗ ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଚାଷୀଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି। ଫଳରେ ଅତୀତରେ ଆଖୁ ଚାଷକୁ ନେଇ ବେଶ୍ ନାଁ କମାଇଥିବା ରାୟଗଡ଼ାରେ ଆଖୁ ଚାଷୀଙ୍କ ସଂଖ୍ୟା କମିବା ସହିତ ଆଖୁ ଚାଷ ଇତିହାସ ପାଲଟିବାକୁ ଯାଉଛି।

ସମ୍ବନ୍ଧିତ ଖବର