ଭଦ୍ରକ: ଲକ୍ ଡାଉନର ସପ୍ତମ ଦିନ, ସବୁଠି କଟକଣା କଡାକଡି, ଚୋରା ମଦ କାରବାର ଉପରେ ଚଢାଉ

ସହରର ୪ଟି ସ୍ଥାନରେ ହେବ ପରିବା ହାଟ, ଦୁଃଖରେ ଅଛନ୍ତି ଦିନ ମଜୁରିଆ

ଭଦ୍ରକ : କରୋନା ଭାଇରସର ଆତଙ୍କ ସବୁଠି। ଏହାର ମୁକାବିଲା ପାଇଁ ସାମାଜିକ ସମ ଦୂରତା ରକ୍ଷା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ସବୁଠି କଟକଣା କଡାକଡି। ଭଦ୍ରକ ଜିଲ୍ଲାରେ ଲକ୍ ଡାଉନକୁ ସପ୍ତମ ଦିନ ଛୁଇଁଛି। ଗାଁରୁ ସହର ସବୁଠି ଶୂନ୍ ଶୂନ୍। ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠି କଡାକଡି ଭାବେ ଜଗି ରହିଛନ୍ତି। ଜନ ଗହଳି କରିବାକୁ ଦିଆଯାଉ ନାହିଁ। ଭଦ୍ରକର ଜନ ଗହଳିପୂର୍ଣ୍ଣ କଚେରୀ ମାର୍କେଟକୁ ଗତ ଦୁଇ ଦିନ ହେଲା ଉଠାଇ ଦିଆଯାଇଛି। ସହର ଭିତରକୁ ସାଧାରଣ ଲୋକଙ୍କୁ ଛଡାଯାଉ ନାହିଁ। ସେଥିପାଇଁ ସାରା ସହର ହୋଇଛି ଶୂନ୍ ଶାନ୍ । କେବଳ ମେଡିକାଲ କେସ୍ରେ ଲୋକମାନଙ୍କୁ ଔଷଧ ଦୋକାନ ଓ ମେଡିକାଲ ଭିତରକୁ ଛଡାଯାଇଛି। ସାମାଜିକ ମିଳାମିଶାକୁ ବନ୍ଦ କରାଯାଉଛି। ଲୋକମାନେ ଏକତ୍ରିତ ହୋଇ ଠିଆ ହେବାକୁ ମନା କରାଯାଉଛି।

ଏଇ ନିୟମକୁ ଅଧିକ କଡା କଡି କରିବାକୁ ଯାଇ ଭଦ୍ରକ ଜିଳ୍ଲାପାଳ ଜ୍ଞାନ ଦାସ ଗତ ଦୁଇ ଦିନ ହେଲା କଚେରୀ ରୋଡ ପରିବା ମାର୍କେଟକୁ ଅସ୍ଥାୟୀ ଭାବେ ସହର ବାହାରେ ଥିବା ୧୬ ନମ୍ବର ଏନଏଚ କଡର ନେହେରୁ ‌ଷ୍ଟାଡିୟମକୁ ଉଠାଇ ନେଇଥିଲେ। ଏଇଠାରେ ସବୁ ପରିବା ଦୋକାନୀମାନେ ସେମାନଙ୍କର ପରିବା ବିକ୍ରୀ କରୁଥିବା ବେଳେ ସକାଳ ୬ରୁ ସକାଳ ୯ ପର୍ଯନ୍ତ ପରିବା ବିକ୍ରି କରାଯାଉଥିଲା। ଏଠାରେ ମଧ୍ୟ ଲୋକ ଗହଳି ଅଧିକ ହେବାରୁ ଆଜି ଜିଲ୍ଲାପାଳ ଭଦ୍ରକର ଏଇ ପରିବା ହାଟକୁ ଗୋଟିଏ ସ୍ଥାନ‌ରେ ନରଖି ଏହାକୁ ସହରର ଚାରି ପାର୍ଶ୍ବ‌ରେ ୪ ଭାଗ କରି ଦେଇଛନ୍ତି। ସବୁ ଲୋକ ଯେଭଳି ଗୋଟିଏ ସ୍ଥାନରେ ଗହଳି ନକରିବେ। ତାହା ଉପରେ ପ୍ରଶାସନ ଓ ପୁଲିସ ଗୁରୁତ୍ବ ଦେଇଛି। ଲୋକେ ସେମାନଙ୍କର ଗ୍ରୋସରୀ ଦ୍ରବ୍ୟ କିଣିବା ସହ ପରିବା ପତ୍ର କିଣାକିଣି କରି ଯଥାଶୀଘ୍ର ଘରକୁ ପଳାଇ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଯଥା ବାହାରେ ବୁଲିଲେ ପୁଲିସ ଗିରଫ କରିବ ବୋଲି କଡା ନିର୍ଦ୍ଦେଶ ରହିଛି। ଏଥିପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ଅଧିକ ପନି ପରିବା ବିକଳରେ କିଣିବାର ଆବଶ୍ୟକ ନାହିଁ। ଦୋକାନୀମାନେ ଯେଭଳି ଅଧିକ ମୂଲ୍ୟରେ ସାମଗ୍ରୀ ନକିଣିବେ ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି। ପୁଲିସ ପ୍ରତି ମୁହୂର୍ତ୍ତରେ ମାଇକ୍ ରେ ଆନାଉନସ୍ କରୁଛି। ଯିଏ ଅଧିକ ମୂଲ୍ୟରେ ପନି ପରିବା ଓ ଗ୍ରୋସରୀ ସାମଗ୍ରୀ ବିକ୍ରୀ କରିବ । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯୋଗାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଏଇ ଚଢାଉ କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସେହିପରି ହୋଡିଂ କରି ଅତ୍ୟାବଶ୍ୟକ ସାମଗ୍ରୀ ନରଖିବାକୁ ଦୋକାନୀମାନଙ୍କୁ କଡା ତାଗିଦ୍ କରାଯାଛି। ଯେଉଁମାନେ ହୋଡିଂ କରିବେ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସମ୍ବାଦକୁ କହିଛନ୍ତି। ଏପରି ଜାତୀୟ ବିପତ୍ତି ବେଳେ ଆମେ ସମସ୍ତେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସେହିପରି ସହର ଭିତରୁ ଗହଳି କମାଇବା ଓ ସହର ଭିତରେ ପରିଷ୍କାର ପରିଚ୍ଛନ୍ନତା ଅଧିକ ରଖିବା ପାଇଁ ଯୋଜନା କରି ମାଛ, ଚିକେନ୍ ଓ ଅଣ୍ଡା ଦୋକାନକୁ ଆରଏମସି ମାର୍କେଟ କମ୍ପ୍ଲେକ୍ସ ବାଇପାସ୍ ନିକଟକୁ ଅସ୍ଥାୟୀ ଭାବେ ଉଠାଇ ଦିଆଯାଇଛି। ଯେଉଁ ଲୋକମାନେ ମାଛ କିମ୍ବା ମାଂଶ କିଣିବାକୁ ଚାହୁଁଛନ୍ତି। ସେମାନଙ୍କୁ ବାଇପାସ୍ଥିତ ଆରଏମସି ମାର୍କେଟକୁ ଯିବାକୁ ପଡୁଛି। ଏଠାରେ ମଧ୍ୟ ଅଧିକ ଲୋକଙ୍କର ଗହଳି ହେବାରୁ ଏଠାରେ ସମ ଦୂରତା ରକ୍ଷା କରିବା ଦିଗରେ ପୁଲିସକୁ କଡା ପହରା ଦେବାକୁ କୁହାଯାଇଛି। ଯେଉଁମାନେ ସମ ଦୂରତା ରକ୍ଷା କରୁ ନାହାନ୍ତି ସେମାନଙ୍କ ଉପରେ କଠୋର ଦଣ୍ଡ ବିଧାନ କରାଯାଉଛି। ଆଜି ସୁଦ୍ଧା ନିୟମ କାନୁନ୍ ନମାନି ସହରରେ ଗାଡି ଚାଳନ ଓ ଦୋକାନ ବଜାର ଖୋଲା ମାମଲାରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଉପ‌ରେ ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି।

ସେହିପରି ଚୋରାରେ ମଦ ବିକ୍ରୀ କରୁଥିବା ଅଭିଯୋଗ ଅନୁଯାୟୀ ଜିଲ୍ଲାରେ ଆଜି ସୁଦ୍ଧା ୧୪ ଜଣଙ୍କୁ ଗିରଫ କରାଯାଇଛି। ବ୍ୟାପକ ମଦ ଜବତ କରାଯାଇଛି। ମଦ ଦୋକାନ ସଂପୂର୍ଣ ବନ୍ଦ ହୋଇଯାଇଥିବା‌ ବେଳେ ଚୋରା ମଦ ‌ବେପାରୀମାନେ ନିଜର ଚୋରା କାରବାର ଚଳାଇ ଲକ୍ଷ ଲକ୍ଷ ଟଙ୍କାର ମୁନାଫା ଉଠାଇବାକୁ ଯୋଜନା କରି ଚୋରାରେ ମଦ କାରବାର କରୁଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ତିହିଡି, ଧାମନଗର, ବନ୍ତ, ଭଣ୍ଡାରିପୋଖରୀ, ଭଦ୍ରକ ଆଦି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ଚଢାଉ ଆରମ୍ଭ କରିଛି। ଭଦ୍ରକ ସହରାଞ୍ଚଳରେ ଚଢାଉ କରାଯାଇ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଭଦ୍ରକର ରଣୀତାଲ ନିକଟସ୍ଥ ବଜରଙ୍ଗ ଢାବାରୁ ଚଢାଉ କରାଯାଇ ୫ ପେଟି ମଦ ଜବତ କରାଯାଇଛି। ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଆଜି ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଭଦ୍ରକର କାଉପର ନିକଟସ୍ଥ ବାଣିତିଆ ପଞ୍ଚାୟତର ତିଜିରିଆ ଗ୍ରାମରେ ପୁଲିସ ଚଢାଉ କରି ବ୍ୟାପକ ଚୋରା ମଦ ଜବତ କରିଛି। ଯାହାର ମୂଲ୍ୟ ୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ହେବ। ଏଇ ଚଢାଉ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ‌ହୋଇଯାଇଛନ୍ତି। ବାଣିତିଆରୁ ୩୪ ବସ୍ତା ପାଉଚ ମଦ ଯାହା ପାଖାପାଖି ୨ ହଜାର ଲିଟର ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏଇ ଚଢାଉବେଳେ ଜଣେ ବ୍ୟକ୍ତିଙ୍କ କୁଟା ବଦାଡି ମୂଳେ ଓ ଖତ ଗଡିଆ ଭିତରେ ବିଦୋଶୀ ମଦ ବୋତଲ ସବୁ ପୋତି ରଖାଯାଇଥିଲା। ପୁଲିସ ସେଇସବୁ ମଦ ଜବତ କରିଛି। ସେହିପରି ଆଜି ରାନ୍ଦିଆ ପଞ୍ଚାୟତରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯାଇଛି। ଏଇ ଚୋରା ମଦ କାରବାରରେ ପୁଲିସି ଚଢାଉ ଜାରି ରଖିଛି। ଅନ୍ୟପକ୍ଷରେ ଚୋରା ମଦ କାରବାର ଉପରେ ବ୍ୟାପକ ଚଢାଉ କରାଯାଉଥିବା ବେଳେ ମଦ ମାଫିଆଙ୍କ ମୁଣ୍ଡରେ ଚଡକ ପଡିଛି। ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ପାଉ ନଥିବା ବେଳେ ମଦ ମାଫିଆମାନେ ଚୋରା ମଦ ବିକ୍ରୀ କରି ମାଲେ ମାଲ ହେଉଛନ୍ତି। ତେଣୁ ଏଭଳି ଜାତୀୟ ବିପତ୍ତି ବେଳେ ମଦ ମାଫିଆଙ୍କ ଉପରେ ଚଢାଉ କରାଯାଇ ସେମାନଙ୍କର ସବୁ ଚୋରା ମଦ ଡିପୋ ସିଲ୍ କରାଯିବାକୁ ଯୋଜନା ଚାଲିଛି।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସାମାଜିକ ମିଳା ମିଶା ଉପରେ କଟକଣା କରାଯାଇଥିବାରୁ ଲୋକମାନଙ୍କୁ କାମ ଧନ୍ଦା କରିବାକୁ ମଧ୍ୟ ବାରଣ କରାଯାଇଛି। ଏପରିସ୍ଥଳେ ଜିଲ୍ଲାର ହଜାର ହଜାର ଦିନ ମଜୁରିଆ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଏଇ ଦିନ ମଜୁରିଆ ମାନେ କଣ କରିବେ ବୋଲି ଚିନ୍ତାରେ ଅଛନ୍ତି। ଏମାନଙ୍କ ପାଇଁ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ୧୫ ଶହ ଟଙ୍କା ଓ ସାଧାରଣ ଶ୍ରମିକଙ୍କ ପାଇଁ ଏକ ହଜାର ଟଙ୍କା ମାସିକ ଦେବାକୁ ଘୋଷଣା କରିଛନ୍ତି। ଏଇ ଟଙ୍କା କେବେ ମିଳିବ ତାହାକୁ ନେଇ ଶ୍ରମିକମାନେ ଚିନ୍ତାରେ ଅଛନ୍ତି। ଏଇ ଦିନ ମଜୁରିଆଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଯାହା ସଂଚୟ ରଖିଥିଲେ। ସେ ସବୁ ଶେଷ ହୋଇ ଆସିଲାଣି। ଆଗାମୀ ଦିନରେ କିଭଳି ଚଳିବେ ଏଇ ଚିନ୍ତା‌ରେ ପଡିଛନ୍ତି। ଜିଲ୍ଲାର ହଜାର ହାଜର ଦିନ ମଜୁରିଆ।

ସମ୍ବନ୍ଧିତ ଖବର