ଲକଡାଉନ ବାହାଘର : ବର ଘରକୁ ଗଲେ କନିଆ, ଭିଡିଓ କଲ୍‌ରେ ବିବାହ ଦେଖିଲେ ମା’

ସମ୍ବଲପୁର : କରୋନା ଲକଡାଉନରେ ବିବାହ ପାଇଁ ପୁଅ ଘରକୁ ଗଲେ ସମ୍ବଲପୁର ସହର ମୁଦିପଡ଼ାର ପୂଜା ଠାକୁର। ଭିଡିଓ କଲରେ ଝିଅ ବାହାଘର ଦେଖିଲେ ମା ସୁକନ୍ୟା ଦେବୀଙ୍କ ସମେତ ତାଙ୍କ ପରିବାର। ଏଭଳି ଘଟଣା ଆଜି ସମ୍ବଲପୁରରେ ଆଲୋଡ଼ନ ସୃଷ୍ଟି କରିଛି।

ଝିଅ ବାହାଘର ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ମା। ବାପା ନଥିବାରୁ ଝିଅ ବିବାହର ଦାୟିତ୍ବ ଅଧିକ ଥିଲା ମା ଉପରେ। କିନ୍ତୁ ଲକଡାଉନ ସବୁ କିଛି ଓଲଟପାଲଟ କରି ଦେଇଥିଲା। ବାରମ୍ବାର ଝିଅ ବିବାହକୁ ଘୁଞ୍ଚାଇବା ଅପେକ୍ଷା ଭିନ୍ନ ପରମ୍ପରାରେ ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ନିଷ୍ପତ୍ତି ନେଇଥିଲେ ଉଭୟ ପରିବାର। ସୂଚନା ଅନୁଯାୟୀ, ମୁଦିପଡ଼ାର ସୁକନ୍ୟା ଦେବୀଙ୍କ ଝିଅ ପୂଜା ଠାକୁରଙ୍କ ବିବାହ ଝାରଖଣ୍ଡ ଜାମସେଦପୁରର ବ୍ୟବସାୟୀ ଆକାଶ କୁମାରଙ୍କ ସହିତ ଠିକ ହୋଇଥିଲା। ଏଥିପାଇଁ ଜାନୁଆରି ମାସରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏପ୍ରିଲ ୨୬ ତାରିଖରେ ବିବାହ ପାଇଁ ତାରିଖ ସ୍ଥିର କରାଯାଇଥିଲା। ଲକଡାଉନ ଯୋଗୁଁ ନିର୍ଧାରିତ ସମୟରେ ବିବାହ ସମ୍ପନ୍ନ ହେବା ସମ୍ଭବ ନଥିଲା। ତେଣୁ ମେ ୮ ତାରିଖରେ ବିବାହକୁ ଘୁଞ୍ଚାଇ ଦିଆଯାଇ ଥିଲା। ଏଣେ ଲକଡାଉନ ଅବଧି ପୁନର୍ବାର ବୃଦ୍ଧି କରାଯାଇଥିଲା। ସୁକନ୍ୟା କହିଛନ୍ତି, ଉଭୟ ପରିବାର ଜ୍ୟୋତିଷ ଶାସ୍ତ୍ରକୁ ଖୁବ ମାନନ୍ତି। ଦ୍ବିତୀୟ ଥର ପାଇଁ ବିବାହ ଘୁଞ୍ଚାଇବା ଠିକ ହେବ ନାହିଁ ନିଷ୍ପତ୍ତି ହୋଇଥିଲା। ବିଧି ବ୍ୟବସ୍ଥା ମଧ୍ୟରେ ବିବାହ ହୋଇଥିଲେ ବରାତିରେ ଓଡ଼ିଶା ଆସିଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଥାଆନ୍ତା। ଏଣେ ଝିଅର ପରିବାର ଜାମସେଦପୁର ଯାଇ ଫେରିଲେ ତାଙ୍କୁ କରୋନା ସନ୍ଦିଗ୍ଧ ଭାବରେ ବିବେଚନା କରାଯାଇ ଥାଆନ୍ତା। ଅଯଥା ମାନସିକ ଚାପ ସୃଷ୍ଟିର ଆଶଙ୍କା ରହିଥିଲା। ତେଣୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଥିଲା। ବିବାହ କରୁଥିବା ଆକାଶ କୁମାର ଏକ କାର ଓଡ଼ିଶା-ଝାରଖଣ୍ଡ ସୀମାନ୍ତକୁ ଆସିଲେ। ଏଠୁ ପୂଜା ବଧୂ ବେଶରେ ତାଙ୍କର ସମ୍ପର୍କୀୟ ଭାଉଜ ସାଲୁ ଚଣ୍ଡେଲଙ୍କ ସହିତ ସେଠାକୁ ପହଞ୍ଚିଥିଲେ। ପୂଜା ଆକାଶ ସହିତ କାରରେ ଯାଇ ଜାମସେଦପୁରରେ ପହଞ୍ଚିଥିଲେ। ସେଠାରେ ଆକାଶଙ୍କ ଘରେ ସେମାନଙ୍କ ବିବାହ ହୋଇଥିଲା। ଏହାକୁ ଭିଡିଓ କଲରେ ପୂଜାଙ୍କ ମା, ଭାଇ, ଭଉଜ ଦେଖିଥିଲେ।

ସମ୍ବନ୍ଧିତ ଖବର