ରାଜ୍ୟରେ ୨୦୧୨ ଶିବିରରେ ଅଟକି ରହିଛନ୍ତି ବିଭିନ୍ନ ରାଜ୍ୟର ୭୦ ହଜାର ଅତିଥି ଶ୍ରମିକ

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ଓଡ଼ିଶା‌ରେ ବିଭିନ୍ନ ରାଜ୍ୟର ୭୦ ହଜାର ଅତିଥି ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ ୨୦୧୨ଟି ଶିବିରରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର୍‌ ଟୋଲ-ଫ୍ରି’ ୧୮୦୦୩୪୫୬୭୦୩ ଜାରି କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବ୍ରହ୍ମପୁରଠାରେ ଟାଟା ଷ୍ଟିଲ ସହାୟତାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିଛି। ଫଳରେ ରାଜ୍ୟରେ ୧୭୯୭ ଶଯ୍ୟା ବିଶିଷ୍ଟ ୯ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟ କରୁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି।

ରାଜ୍ୟରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା ପାଇଁ ଆଇସିଏମ୍‌ଆରର ଅନୁମୋଦନ ମିଳିଛି। ଏସ୍‌ସିବି ମେଡିକାଲ କଲେଜ ପରେ ଏହା ହେଉଛି ରାଜ୍ୟର ଦ୍ବିତୀୟ ସରକାରୀ ମେଡିକାଲ କଲେଜ। ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ କୋଭିଡ୍‌ ପରୀକ୍ଷା ସୁବିଧା ମିଳିବ। ଆଜି ରାଜ୍ୟର ୫୩୮୫ ପଞ୍ଚାୟତରେ ୩,୩୧, ୮୫୯ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ଟି ପୌରାଞ୍ଚଳରେ ୩୧,୮୩୨ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଫ୍ଲୁ’ ଲକ୍ଷଣ ଥିବା ଲୋକମାନଙ୍କ ପାଇଁ ରାଜଧାନୀରେ ୧୭ଟି ଫିଭର କ୍ଲିନିକ୍ ଘୋଷଣା କରାଯାଇଛି। ଏହାବଦ୍ ମଧ୍ୟ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ରାଉରକେଲା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୨୪୯ ନମୁନା ପରୀକ୍ଷା ହୋଇଥିବା ବେଳେ ୪୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ଜଣ ଚିକିତ୍ସିତ ହେଉଛନ୍ତି। କରୋନା ସନ୍ଦେହରେ ୧୧୩ଜଣ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ରହିଛନ୍ତି। ରାଜ୍ୟରେ ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର