ସାରା ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି କେନ୍ଦ୍ର ସରକାର ତାଲାବନ୍ଦ ଅବଧିକୁ ଚଳିତ ମାସ ୧୭ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପରିବର୍ଦ୍ଧିତ ତାଲାବନ୍ଦ ଅବଧିରେ ଜନସାଧାରଣଙ୍କ ସୁବିଧା ପାଇଁ ଗ୍ରିନ୍, ରେଡ୍, ଅରେଞ୍ଜ୍ ଓ ସଂକ୍ରମଣ ଜନିତ ନିଷିଦ୍ଧାଞ୍ଚଳ ପାଇଁ କିଛିଟା କଟକଣା କୋହଳ କରାଯାଇଛି। ଯାହାକୁ ଆଧାର କରି ଓଡ଼ିଶା ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ବି ବ୍ୟକ୍ତିବିଶେଷଙ୍କୁ ଅଣଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ସନ୍ଧ୍ୟା ୭ଟା ପରଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ଆସିବାର ଅନୁମତି ମିଳିବ ନାହିଁ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ, ପୁଲିସ କମିସନର, ମହାନଗର ନିଗମ କମିସନର ସିଆର୍ପିସିର ଧାରା ୧୪୪ର ଉପଯୋଗ କରିପାରିବେ। ଆସନ୍ତାକାଲିଠାରୁ ଦୁଇ ସପ୍ତାହ ପାଇଁ ଏହି ନୂତନ ନିୟମାବଳୀ ବଳବତ୍ତର ରହିବ। କିନ୍ତୁ ସଂକ୍ରମଣ ପ୍ରତିହତ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ କଟକଣା ଜାରି କରିପାରିବେ ବୋଲି ସରକାର ଦର୍ଶାଇଛନ୍ତି।
ସମସ୍ତ ଅଞ୍ଚଳ ପାଇଁ ବାରଣ
୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲା ସ୍ବାସ୍ଥ୍ୟଗତ କାରଣ ବିନା ବାହାରକୁ ବାହାରିବେ ନାହିଁ।
ସଂକ୍ରମଣ ଜନିତ ନିଷିଦ୍ଧାଞ୍ଚଳର କୌଣସି ଓପିଡି ସେବା, ମେଡିକାଲ୍ କ୍ଲିନିକ୍ ଖୋଲିବାକୁ ଅନୁମତି ମିଳିବ ନାହିଁ।
ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ଯାତ୍ରୀ ବିମାନସେବା ବନ୍ଦ ରହିବ।
କେବଳ ସ୍ବାସ୍ଥ୍ୟ ସେବା, ଏୟାର୍ ଆମ୍ବୁଲାନ୍ସ୍, ସୁରକ୍ଷା ଉଦ୍ଦେଶ୍ୟରେ ବିମାନସେବା ଜାରି ରହିବ।
ସୁରକ୍ଷାକର୍ମୀଙ୍କ ପରିବହନ ବ୍ୟତୀତ ଯାତ୍ରୀଙ୍କ ପାଇଁ ସମସ୍ତ ବସ୍, ଟ୍ରେନ୍ ପରିବହନ ସେବା ପୂର୍ବପରି ବନ୍ଦ ରହିବ।
ସର୍ତ୍ତମୂଳକ ଭାବେ ପାସ୍ ପାଇଥିବା ଆନ୍ତଃରାଜ୍ୟ ବସ୍ ଚଳାଚଳ କରିପାରିବ।
ସ୍ବାସ୍ଥ୍ୟଗତ କାରଣରୁ ସର୍ତ୍ତମୂଳକ ଭାବେ ବ୍ୟକ୍ତିବିଶେଷଙ୍କୁ ଆନ୍ତଃରାଜ୍ୟ ଗସ୍ତର ଅନୁମତି ପ୍ରଦାନ କରାଯିବ।
ସମସ୍ତ ସ୍କୁଲ୍, କଲେଜ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଅନ୍ଲାଇନ୍ ପାଠପଢ଼ା ଓ ଦୂର ଶିକ୍ଷା ବ୍ୟବସ୍ଥା ଜାରି ରହିବ।
ପୁଲିସ, ସ୍ବାସ୍ଥ୍ୟ କର୍ମୀ ଓ ଫସି ରହିଥିବା ପର୍ଯ୍ୟଟକମାନଙ୍କ ଆବଶ୍ୟକତା ବ୍ୟତୀତ ରାଜ୍ୟରେ ସମସ୍ତ ହୋଟେଲ୍ ରହଣି ବ୍ୟବସ୍ଥାକୁ ବାରଣ କରାଯାଇଛି।
ସିନେମା ହଲ୍, ସପିଂ ମଲ୍, ଜିମ୍ନାସିୟମ୍, ସ୍ପୋର୍ଟ୍ସ୍ କମ୍ପ୍ଲେକ୍ସ୍, ସୁଇମିଂ ପୁଲ୍ସ୍, ପାର୍କ, ଥିଏଟର୍, ବାର୍, ଅଡିଟୋରିୟମ୍, ଏକାଠି ହେବା ସ୍ଥଳକୁ ନିଷିଦ୍ଧ କରାଯାଇଛି।
ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସଭା, ଖେଲକୁଦ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ହେବ ନାହିଁ।
ଧାର୍ମିକ କ୍ଷେତ୍ରରେ ପୂଜା ଓ ସମ୍ମିଳନୀକୁ ବି ବାରଣ କରାଯାଇଛି।
ରେଡ୍ ଜୋନ୍(ହଟ୍ସ୍ପଟ୍) (ସଂକ୍ରମଣ ଜନିତ ନିଷିଦ୍ଧାଞ୍ଚଳ ବାହାରେ)
କ’ଣ ମନା
ସମସ୍ତ ଅଞ୍ଚଳ ପାଇଁ ଯାହାସବୁ ବାରଣ କରାଯାଇଛି, ସେସବୁ ଏହି ଅଞ୍ଚଳ ପାଇଁ ବଳବତ୍ତର ରହିବ।
ସମସ୍ତ ମଲ୍, ମାର୍କେଟ୍ କମ୍ପ୍ଲେକ୍ସ୍, ମହାନଗର ନିଗମ ଓ ପୌରାଞ୍ଚଳ ଅଧୀନରେ ଆସୁଥିବା ସହରାଞ୍ଚଳ ମାର୍କେଟ୍ଗୁଡ଼ିକ ବନ୍ଦ ରହିବ।
ଏହି ଜୋନ୍ରେ ସାଇକେଲ ରିକ୍ସା ଓ ଅଟୋ ରିକ୍ସା ବି ଚାଲିପାରିବ ନାହିଁ।
ସେହିପରି ଟାକ୍ସି, କ୍ୟାବ୍ ସେବା (କେବଳ ସ୍ବାସ୍ଥ୍ୟ କର୍ମୀଙ୍କ ପରିବହନ ବ୍ୟତୀତ) ମିଳିବ ନାହିଁ।
ଆନ୍ତଃଜିଲ୍ଲା ଓ ଜିଲ୍ଲା ଭିତରେ ବି ଯାତ୍ରୀବାହୀ ବସ୍ସେବା ବନ୍ଦ ରହିବ।
ଭଣ୍ଡାରି ଦୋକାନ, ସ୍ପା ଓ ସେଲୁନ୍ ଖୋଲିବ ନାହିଁ।
କ’ଣ ଚାଲିବ
ସ୍ବାସ୍ଥ୍ୟ ସେବା ପାଇଁ ସମସ୍ତ ଓପିଡି ଓ ମେଡିକାଲ୍ କ୍ଲିନିକ୍ ଖୋଲା ରହିବ।
ବ୍ୟକ୍ତିବିଶେଷଙ୍କ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିବ।
ଚାରିଚକିଆ ଯାନରେ ଡ୍ରାଇଭର ବ୍ୟତୀତ ସର୍ବାଧିକ ଦୁଇଜଣ ଯାତ୍ରୀ ଯାଇପାରିବେ।
ଦୁଇଚକିଆ ଯାନରେ କେହି ପଛରେ ବସିପାରିବେ ନାହିଁ।
ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପରିବହନ ବିଭାଗଠାରୁ ଅନୁମତି ପାଇଥିବା ଓଲା ଏବଂ ଉବେର୍ ଗାଡ଼ି ଚାଲିପାରିବ।
ସହରାଞ୍ଚଳରେ ଥିବା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍, ରପ୍ତାନି ଭିତ୍ତିକ ୟୁନିଟ୍, ମେଡିକାଲ ଉପକରଣ ପ୍ରସ୍ତୁତ କରୁଥିବା ମାନୁଫାକ୍ଚରିଂ ୟୁନିଟ୍, ଔଷଧ ଶିଳ୍ପ, ଅତ୍ୟାବଶ୍ୟକ ଦ୍ରବ୍ୟ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ଚାଲିପାରିବ।
ଏହାସହିତ ଆଇଟି, ଝୋଟ ଶିଳ୍ପଗୁଡ଼ିକ ସାମାଜିକ ଦୂରତା ରକ୍ଷା କରି ଉତ୍ପାଦନ କରିବେ।
ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ଶିଳ୍ପ ଉତ୍ପାଦନକୁ ଅନୁମତି ମିଳିବ।
ବାହାର ଅଞ୍ଚଳରୁ ଶ୍ରମିକ ନ ଆଣି ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିବ। ଏହାସହିତ ଅକ୍ଷୟ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ।
ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ।
ଅତ୍ୟାବଶ୍ୟକ ଦ୍ରବ୍ୟ ବିକ୍ରି ହେଉଥିବା ମାର୍କେଟ୍ ଓ ମାର୍କେଟ୍ କମ୍ପ୍ଲେକ୍ସ୍ ଖୋଲା ରହିବ।
ସହରାଞ୍ଚଳରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକୁଟିଆ ଦୋକାନ, ପଡ଼ିଶା କଲୋନୀରେ ଥିବା ଦୋକାନ ଓ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ୍ଗୁଡ଼ିକ ଖୋଲା ରହିବ।
ଗ୍ରାମାଞ୍ଚଳରେ ବି ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ବିକ୍ରି କରୁଥିବା ଦୋକାନ ଖୋଲା ରହିବ।
କିନ୍ତୁ ଗ୍ରାମାଞ୍ଚଳରେ ଥିବା କୌଣସି ସପିଂ ମଲ୍କୁ ଖୋଲିବାକୁ ଅନୁମତି ମିଳିବନି।
ସବୁ ଦୋକାନରେ ଦୋକାନୀ ଓ ଗରାଖଙ୍କ ଭିତରେ ଅନ୍ୟୁନ ସାମାଜିକ ଦୂରତା ପାଇଁ ୬ ଫୁଟ ବ୍ୟବଧାନ ରଖିବା ବାଞ୍ଛନୀୟ।
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ବ୍ୟବସାୟକୁ ଅନୁମତି ମିଳିବ।
ଘରୋଇ କମ୍ପାନିଗୁଡ଼ିକ ସର୍ବାଧିକ ୩୩% କର୍ମଚାରୀରେ ଅଫିସ୍ ଖୋଲିପାରିବେ। ବାକି କର୍ମଚାରୀମାନେ ଘରୁ କାର୍ଯ୍ୟ କରିବେ।
ଏହି ଜୋନ୍ରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସରେ ଉପ ସଚିବ ପାହ୍ୟାରୁ ତଦୁର୍ଦ୍ଧ ବର୍ଗର ସମସ୍ତ ଅଧିକାରୀ ନିୟମିତ ଅଫିସ ଆସିପାରିବେ। ଆବଶ୍ୟକ କର୍ମଚାରୀଙ୍କ ସଂଖ୍ୟା ୩୩% ଭିତରେ ସୀମିତ ରହିବ।
ପ୍ରତିରକ୍ଷା ଓ ସୁରକ୍ଷା ସେବା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୁଲିସ୍, ଜେଲ୍, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା, ଅଗ୍ନିଶମ ଓ ଜରୁରୀକାଳୀନ ସେବା, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା ସେଣ୍ଟର୍, ସୀମାଶୁଳ୍କ, ଏଫ୍ସିଆଇ, ଏନ୍ସିସି, ଏନ୍ଓ୍ବାଇକେ ଓ ପୌର ସେବାଗୁଡ଼ିକ ବିନା କଟକଣାରେ ଚାଲୁ ରହିବ।
ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ଗୁଡ଼ିକ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଆଧାରରେ କାର୍ଯ୍ୟ କରିବେ।
ଅରେଞ୍ଜ୍ ଜୋନ୍ (ସଂକ୍ରମଣ ଜନିତ ନିଷିଦ୍ଧାଞ୍ଚଳ ବାହାରେ)
କ’ଣ ମନା
ସମସ୍ତ ଅଞ୍ଚଳ ପାଇଁ ଯାହାସବୁ ବାରଣ କରାଯାଇଛି, ସେସବୁ ଏହି ଅଞ୍ଚଳ ପାଇଁ ବି ବଳବତ୍ତର ରହିବ।
ଆନ୍ତଃଜିଲ୍ଲା ଓ ଜିଲ୍ଲା ଭିତରେ ଯାତ୍ରୀବାହୀ ବସ୍ସେବା ଚାଲିବ ନାହିଁ।
କ’ଣ ଚାଲିବ
ସ୍ବାସ୍ଥ୍ୟ ସେବା ପାଇଁ ସମସ୍ତ ଓପିଡି ଓ ମେଡିକାଲ୍ କ୍ଲିନିକ୍ ଖୋଲା ରହିବ।
ଟାକ୍ସି ଓ କ୍ୟାବ୍ରେ ଡ୍ରାଇଭର୍ ସମେତ ମାତ୍ର ୩ ଜଣ ଯାତ୍ରା କରିପାରିବେ।
ନିର୍ଦ୍ଦିଷ୍ଟ କେତୋଟି ଜରୁରୀ କାର୍ଯ୍ୟ ପାଇଁ ବ୍ୟକ୍ତିବିଶେଷ ଆନ୍ତଃଜିଲ୍ଲା ଗସ୍ତ କରିପାରିବେ। ତାଙ୍କୁ ଗାଡ଼ି ଚଲାଇ ଯିବାର ଅନୁମତି ମିଳିବ।
ଚାରିଚକିଆ ଯାନରେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯାତ୍ରୀ ଯାତାୟତ କରିପାରିବେ।
ଏହାବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ବାରଣ ନାହିଁ।
ଗ୍ରିନ୍ ଜୋନ୍
କ’ଣ ମନା
ସମସ୍ତ ଅଞ୍ଚଳ ପାଇଁ ଯାହାସବୁ ବାରଣ କରାଯାଇଛି, ସେସବୁ ଏହି ଅଞ୍ଚଳ ପାଇଁ ବି ବଳବତ୍ତର ରହିବ।
ଆନ୍ତଃଜିଲ୍ଲା, ଜିଲ୍ଲା ଭିତରେ ଯାତ୍ରୀବାହୀ ବସ୍ସେବା ଚାଲିବ ନାହିଁ।
କ’ଣ ଖୋଲିବ
ସମସ୍ତ ଓପିଡି ଓ ମେଡିକାଲ୍ କ୍ଲିନିକ୍ ଖୋଲା ରହିବ।
ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ କଟକଣା ନାହିଁ।
ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ସମସ୍ତ କାର୍ଗୋ, ଗାଡ଼ି ଓ ଖାଲି ଗାଡ଼ିଗୁଡ଼ିକୁ ଆନ୍ତଃରାଜ୍ୟ ପରିବହନ ଅନୁମତି ଜାରି ରହିବ।