କଟକଣା ଆଉ ଟିକେ କୋହଳ, ସାରା ରାଜ୍ୟରେ ବସ୍ ଚାଲିବ

ଜିମ୍‌, ବିଉଟି ପାର୍ଲର୍‌, ସ୍ପା ଖୋଲିବାକୁ ଅନୁମତି, ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି

ଭୁବନେଶ୍ବର : ୨୦ ଜିଲ୍ଲାରେ ରାତି ୮ଟା ଯାଏ ସବୁ ଦୋକାନ ଖୋଲିବ। ୧୦ ଜିଲ୍ଲାରେ ଏହି ସମୟସୀମା ସନ୍ଧ୍ୟା ୫ଟା ଯାଏ। ସବୁ ଜିଲ୍ଲାରେ ଜିମ୍, ବିଉଟି ପାର୍ଲର୍‌, ସ୍ପା ଖୋଲିବାକୁ ଅନୁମତି ମିଳିଲା। ସାରା ରାଜ୍ୟରେ ବସ୍‌ ଚଳାଚଳ ବି ଆରମ୍ଭ କରିବାକୁ ଘୋଷଣା କରାଗଲା। ଜୁଲାଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ମୋଟାମୋଟି ଭାବେ କୋଭିଡ୍‌ କଟକଣାରେ ଏତିକି କୋହଳ ହୋଇଛି।

ଜୁଲାଇ ୧ ତାରିଖରୁ ସରକାର କଟକଣାଯୁକ୍ତ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ। ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ରହୁଛି। ତେଣୁ ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି। ଜୁଲାଇ ମାସର ଶେଷାର୍ଦ୍ଧରେ ମଧ୍ୟ ପୂର୍ବ ପରି କଟକଣାଯୁକ୍ତ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରଖିଛନ୍ତି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟବସାୟିକ କାରବାର ଅନୁମତି ମିଳିଛି ଓ ସମୟସୀମା ବଢ଼ିଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

New Indian Express

ବିଭିନ୍ନ ଜିଲ୍ଲା‌ରେ କରୋନା ସଂକ୍ରମଣ ହାରକୁ ଦେଖି ପୂର୍ବରୁ ୩୦ଟି ଜିଲ୍ଲାକୁ ଦୁଇଟି ଭାଗ କରାଯାଇଥିଲା। ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକୁ ‘କାଟାଗୋରି-ଏ’ରେ ରଖାଯାଇଥିଲା। ଏଥିରେ ମୁଖ୍ୟତଃ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୋଟ୍‌ ୨୦ଟି ଜିଲ୍ଲା ରହିଥିଲା। ୫% ଉପରେ ସଂକ୍ରମଣ ହାର ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ‘କାଟାଗୋରି-ବି’ରେ ରଖାଯାଇଥିଲା। ଗତ କିଛି ଦିନ ମଧ୍ୟରେ ‘କାଟାଗୋରି-ବି’ରେ ଥିବା କିଛି ଜିଲ୍ଲାରେ ସଂକ୍ରମଣ ହାର କମିଥିଲେ ବି ସେଗୁଡ଼ିକୁ ‘କାଟାଗୋରି-ଏ’କୁ ନିଆଯାଇନାହିଁ। ପୂର୍ବ ପରି ସେମାନେ ‘କାଟାଗୋରି-ବି’ରେ ଅଛନ୍ତି ଓ ସେଠାରେ ଅନ୍ୟ ଜିଲ୍ଲାଗୁଡ଼ିକ ଅପେକ୍ଷା କଟକଣା ଅଧିକ ରହିବ। ରାତ୍ରିକାଳୀନ କର୍ଫ୍ୟୁ ସବୁ ଜିଲ୍ଲାରେ ଲାଗୁ ହେବ।

‘କାଟାଗୋରି-ଏ’ରେ ଥିବା ୨୦ଟି ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ସପିଙ୍ଗ୍‌ ମଲ୍ ଖୋଲିପାରିବ ନାହିଁ। ଏଠାରେ ସପ୍ତାହାନ୍ତ ସଟ୍‌ଡାଉନ୍ ହେବ ନାହିଁ। ଏହି ଜିଲ୍ଲାଗୁଡ଼ିକରେ ସାପ୍ତାହିକ ହାଟ, ବଜାର ଖୋଲିବ।

‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ କଟକଣା ଅପେକ୍ଷାକୃତ ଅଧିକ ରହିବ। ଏଠାରେ ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଥିବା ସମସ୍ତ କଟକଣା ଏଥର ବି ଲାଗୁ ହେବ। ଏଠାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ସାପ୍ତାହିକ ଓ ଦୈନିକ ହାଟ ପୂର୍ବ ପରି ବନ୍ଦ ରହିବ।

ପୂର୍ବରୁ କେବଳ କାଟାଗୋରି-ଏରେ ଥିବା ଜିଲ୍ଲାରେ ସାଧାରଣ ଯାତ୍ରୀ ବସ୍‌ ଚଳାଚଳ କରୁଥିଲା ବେଳେ ଆଜିଠାରୁ ସାରା ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି। କିନ୍ତୁ ବସ୍‌ରେ ସିଟ୍‌ ଅନୁସାରେ ଲୋକ ଯାତ୍ରା କରିବେ। ନାଇଟ୍‌ କର୍ଫ୍ୟୁ ସମୟରେ ବସ୍ ସେବା ବାଧାପ୍ରାପ୍ତ ହେବ ନାହିଁ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୫ ତାରିଖ ପରେ ପୁରୀରେ ବସ୍ ଚଳାଚଳ କରିବ। ଆନ୍ତଃରାଜ୍ୟ ବସ୍ ଚଳଚଳକୁ ଅନୁମତି ଦିଆଯାଇନାହିଁ। ଅଟୋ, ଟ୍ୟାକ୍ସି ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ଇନ୍‌ଡୋର୍‌ ଓ ଆଉଟ୍‌ଡୋର୍‌ ସୁଟିଂ ମଧ୍ୟ ସବୁଠି କରାଯାଇପାରିବ। ବିନା ଦର୍ଶକରେ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇପାରିବ। ପର୍ଯ୍ୟଟକଙ୍କ ପାଇଁ ହୋଟେଲ, ଲଜ ଓ ମୋଟେଲ ଆଦି କୋଭିଡ୍ ନିୟମ ଅନୁପାଳନ ସହ ଖୋଲା ହୋଇପାରିବ।

ଜୁଲାଇ ୩୧ ତାରିଖ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌, ପ୍ରଦର୍ଶନୀ, ମେଳା, ସିନେମା ହଲ୍‌, ପାର୍କ, ଯାତ୍ରା, ଅଡିଟୋରିୟମ୍‌, ସାମାଜିକ, ଧାର୍ମିକ ଓ ରାଜନୈତିକ ସଭାସମିତିକୁ ବାରଣ କରାଯାଇଛି। ୧୦୦ ଜଣ ଲୋକଙ୍କୁ ନେଇ ଅଫିସିଆଲ୍‌ ବୈଠକ ଓ ତାଲିମ କାର୍ଯ୍ୟକ୍ରମ କରାଯାଇପାରିବ। ମନ୍ଦିର ଓ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପୂଜକଙ୍କୁ ନେଇ ସେଠାରେ ଦୈନିକ ରୀତିନୀତି ଚାଲିବ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍‌ ଡେଲିଭରି ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ।

HW English

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥାରୀତି ଜାରି ରଖିବେ। ମିଠା ଦୋକାନୀ, ଠେଲାଗାଡ଼ି ଓ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ। ତେବେ ଗ୍ରାହକମାନେ କେବଳ ଖାଦ୍ୟ କିଣି ଘରକୁ ନେଇପାରିବେ। କେହି ଦୋକାନରେ ବସି କିମ୍ବା ସେଠାରେ ‌ଠିଆ ହୋଇ ଖାଇପାରିବେ ନାହିଁ। କଟକଣା କୋହଳ ସମୟରେ ଦୋକାନଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ଦୂରତା ବଜାୟ ରଖିବା, ଦୋକାନରେ ଭିଡ଼ ନ ହେବା ଆଦିକୁ ସଂପୃକ୍ତ ଦୋ‌କାନୀ ଓ ବଜାର କମିଟି ନିଶ୍ଚିତ କରାଇବେ। ନିୟମ ଖିଲାପ କଲେ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ। ଉଭୟ ଦୋକାନୀ ଓ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଓ ଠିକ୍ ଭାବେ ମାସ୍କ ପିନ୍ଧିବେ। ଏଥିରେ ଅବହେଳା କଲେ ସଂପୃକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ପ୍ରଭାବିତ ହେବ‌ନାହିଁ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଲକ୍‌ଡାଉନ ଓ ସଟ୍‌ଡାଉନ ଆଦିରେ ଜନସାଧାରଣ ସହଯୋଗ କରିଥିବାରୁ ରାଜ୍ୟରେ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିପଦ ଟଳି ନାହିଁ। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସରକାର କଟକଣାକୁ ବୃଦ୍ଧି କରିଛନ୍ତି। କରୋନାର ଡବଲ ଡୋଜ୍‌ ଟିକା ନେଲା ପରେ ମଧ୍ୟ ପଜିଟିଭ ବାହାରୁଛନ୍ତି। ବିଶେଷ କରି ଭୁବନେଶ୍ୱରରେ ଡବଲ ଡୋଜ ପରେ ପଜିଟିଭ ବାହାରୁଛି। ସେମାନେ ଗୁରୁତର ହେଉ ନ ଥିଲେ ମଧ୍ୟ ଅନ୍ୟଙ୍କୁ ସଂକ୍ରମିତ କରିପାରିବେ। ତେଣୁ ଏଯାଏ ବିପଦ ଯାଇନି। ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା ସହ ନିୟମ ମାନିବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର