ଜୁନ୍‌କୁ ଭୟ : କଠୋର ହେଲା କଟକଣା

ସନ୍ଧ୍ୟା ୭ରୁ ଭୋର୍‌ ୫ଟା କର୍ଫ୍ୟୁ

୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
ଜୁନ୍ ୩୦ ଯାଏ ଖୋଲିବନି ଧର୍ମାନୁଷ୍ଠାନ, ସପିଂ ମଲ୍‌
ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ
ଚତୁର୍ଥ ପର୍ଯ୍ୟାୟର ସବୁ କଟକଣା ପଞ୍ଚମ ପର୍ଯ୍ୟାୟରେ ରହିଲା

ଭୁବନେଶ୍ବର : କରୋନା ଲକ୍‌ଡାଉନ୍‌ରେ କେନ୍ଦ୍ର ସରକାର ଜୁନ୍ ମାସରୁ କିଛିଟା କୋହଳ କରିଛନ୍ତି। କିନ୍ତୁ ଆକ୍ରାନ୍ତ ସଂଖ୍ୟା ବଢ଼ିଚାଲିଥିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ‌କେନ୍ଦ୍ରର ଅଧିକାଂଶ ଗାଇଡ୍‌ଲାଇନ୍‌କୁ ରାଜ୍ୟ ସରକାର ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ଘୋଷଣା କରିଥିଲା। ସେହି ଅନୁଯାୟୀ ଓଡ଼ିଶା ସରକାର ନିଜ କ୍ଷମତା ପ୍ର‌ୟୋଗ କରି କିଛିଟା କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟା‌ୟରେ ଯାହା ଯାହା କଟକଣା ରହିଥିଲା ପଞ୍ଚମ ପର୍ଯ୍ୟାୟରେ ତାହା ଆପାତତଃ ବଳବତ୍ତର ରହିଛି। ଏହାସହିତ ୧୧ଟି ଉପକୂଳ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ୪୮ ଘଣ୍ଟିଆ ସଟ୍ ଡାଉନ୍ ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ସତ, କିନ୍ତୁ ଜୁନ୍ ମାସ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଯାତାୟତ ସଂଖ୍ୟା ବଢ଼ିବାକୁ ଯାଉଥିବାରୁ ଆଗାମୀ ଦିନରେ ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ପାଇଁ ପର୍ଯ୍ୟାପ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ତେଣୁ ଜୀବନ ଓ ଜୀବିକା ମଧ୍ୟରେ ଯୋଜନାବଦ୍ଧ ଭାବେ ସନ୍ତୁଳନ ରକ୍ଷା କରି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ରାତ୍ରିକାଳୀନ କର୍ଫ୍ୟୁ: ସନ୍ଧ୍ୟା ୭ରୁ ସକାଳ ୫
ବାଦ୍ ପଡ଼ିବ: ଅତ୍ୟାବଶ୍ୟକ ସେବା, ନିର୍ମାଣ କାର୍ଯ୍ୟ, ରେଳ ଷ୍ଟେସନ୍, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡ୍‌କୁ ଯା’ଆସ କରୁଥିବା ଗାଡ଼ି ଓ ଟ୍ୟାକ୍ସି। ଆଇଟି ଓ ଟିଇ କମ୍ପାନିର କର୍ମଚାରୀ, ବିଭିନ୍ନ ଶିଳ୍ପ ସଂସ୍ଥାର କର୍ମଚାରୀ (ପରିଚୟ ପତ୍ର ଦେଖା‌ଇବେ)।

ସଟ୍‌ଡାଉନ୍‌: ଶନିବାର ଓ ରବିବାର
ବାଦ୍ ପଡ଼ିବେ: ଅତ୍ୟାବଶ୍ୟକ ସେବା, ପେଟ୍ରୋଲ୍‌ ପମ୍ପ୍, ଟେଲିକମ୍ ସର୍ଭିସ୍, ଗଣମାଧ୍ୟମ ପ୍ରତିନିଧି, ଜାତୀୟ ରାଜପଥରେ ସାମଗ୍ରୀ ପରିବହନ, ଯାତ୍ରୀ ପରିବହନ, ସେବା ଯୋଗାଉଥିବା ଶିଳ୍ପ, ନିର୍ମାଣ କାର୍ଯ୍ୟ, ରେଳ ଷ୍ଟେସନ୍, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡ୍‌କୁ ଯା’ଆସକରୁଥିବା ଗାଡ଼ି ଓ ଟ୍ୟାକ୍ସି।

ଲକ୍‌ଡାଉନ୍‌ ପଞ୍ଚମ ପର୍ଯ୍ୟାୟ: ଜୁନ୍ ୧ରୁ ୩୦
ବନ୍ଦ ରହିବ: ଧାର୍ମିକ ଅନୁଷ୍ଠାନ, ପୂଜାସ୍ଥଳୀ, ସପିଂ ମଲ୍, ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଥିଏଟର୍‌, ବାର୍, ଅଡିଟୋରିୟମ୍, ସାମାଜିକ, ରାଜନୈତିକ ସାଂସ୍କୃତିକ, କ୍ରୀଡ଼ା, ଧାର୍ମିକ, ମନୋରଞ୍ଜନ ଭିତ୍ତିକ ସମାବେଶ

ଅନୁମତି ମିଳିଲା: ହୋଟେଲ୍‌(୩୦% କ୍ଷମତା ସହ), ରେସ୍ତୋଁରା(କେବଳ ହୋମ୍‌ ଡେଲିଭରି), ସେଲୁନ୍, ସ୍ପା, ବିଉଟି ପାର୍ଲର୍‌, ବିବାହ(ସର୍ବାଧିକ ୫୦ ଲୋକ), ଅନ୍ତ୍ୟେଷ୍ଟି କ୍ରିୟା(ସର୍ବାଧିକ ୨୦ ଲୋକ)

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏଥିରେ କରାଯାଇଥିବା କଟକଣା ଓ କୋହଳ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ ଯେ ପୂର୍ବରୁ ଲକ୍‌ଡାଉନ୍‌ରେ ଥିବା ସମସ୍ତ କଟକଣା ପୂର୍ବ ପରି ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜ୍ୟର ସବୁ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଧାର୍ମିକ ଅନୁଷ୍ଠାନ, ପୂଜାସ୍ଥଳୀ, ସପିଂ ମଲ୍, ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଥିଏଟର୍‌, ବାର୍, ଅଡିଟୋରିୟମ୍, ସମ୍ମିଳନୀ ସ୍ଥଳ ଆଦି ବନ୍ଦ ରହିବ। ହୋଟେଲ୍‌ଗୁଡ଼ିକୁ ୩୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି। ଏହି ହୋଟେଲ୍‌ଗୁଡ଼ିକରେ କେବଳ ରହୁଥିବା ଲୋକଙ୍କ ପାଇଁ ରେସ୍ତୋରାଁ ସେବା ଉପଲବ୍ଧ ହେବ। ଅନ୍ୟ ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି କରିପାରିବେ। ୧୧ଟି ଅଧିକ ପ୍ରଭାବିତ ଜିଲ୍ଲାରେ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍ ରଖାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ନୟାଗଡ଼ ଓ ବଲାଙ୍ଗୀର। ସବୁ କଟକଣା ଜୁନ୍ ୩୦ ଯାଏ ଥିଲା ବେଳେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ତଥା ୧୦ ବର୍ଷରୁ କମ୍ ବୟସ୍କ ପିଲା ଓ ଗର୍ଭବତୀ ମହିଳାମାନେ ବାହାରକୁ ଯିବା ଉପରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ତେବେ ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟ ତଥା ଅନ୍ୟ ଜରୁରୀ କାର୍ଯ୍ୟରେ କଟକଣା କୋହଳ କରାଯିବ। ଆନ୍ତଃରାଜ୍ୟ ଯାତ୍ରୀ ଓ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ପାଇଁ କୌଣସି ଅନୁମତି ନେବାର ଆବଶ୍ୟକତା‌ ନାହିଁ।

ଶ୍ରୀ ତ୍ରିପାଠୀ ଆହୁରି ସୂଚନା ‌ଦେଇଥିଲେ ଯେ ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍ ଅନୁଯାୟୀ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ମାନେ ନିଜ ନିଜ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଚିହ୍ନଟ କରିବେ। ଏହି ଜୋନ୍‌ରେ କେବଳ ଅତ୍ୟାବଶ୍ୟକ ସେବା କାରବାରକୁ ଅନୁମତି ମିଳିବ।

ସଙ୍ଗରୋଧ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଗ୍ରାମାଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନେ ସାତ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଯଦି କିଛି ଲକ୍ଷଣ ନ ଥିବ, ତେବେ ଆଉ ସାତ ଦିନ ନିଜ ଘରେ ସଙ୍ଗରୋଧରେ ରହିବେ। କିନ୍ତୁ ଯଦି ସାତ ଦିନ ସରକାରୀ ସଙ୍ଗରୋଧରେ ରହିଲା ବେଳେ ଲକ୍ଷଣ ଦେଖିବାକୁ ମିଳେ, ତେବେ ସେମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର୍ କିମ୍ବା କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ। ସହରାଞ୍ଚଳରେ ଫେରୁଥିବା ପ୍ରବାସୀମାନେ ୧୪ ଦିନ ନିଜ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟ। ୭୨ ଘଣ୍ଟା ପାଇଁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।

ମୁଖ୍ୟ ଶାସନ ସଚିବ ଆହୁରି କହିଲେ ଯେ କୋଭିଡ୍‌ ମୁକାବିଲାରେ ଓଡ଼ିଶା ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ଭଲ ସ୍ଥିତିରେ ରହିଛି। ଏଥି ପାଇଁ ଚଳିତ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ପ୍ରବାସୀ ଫେରି ଆସିଲେଣି। ସେମାନେ ସମସ୍ତେ ସଙ୍ଗରୋଧରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଙ୍ଗରୋଧ ଅବଧି ମଧ୍ୟ ଶେଷ ହେଲାଣି। ଏହି ସମୟ ମଧ୍ୟରେ ରାଜ୍ୟରେ ‌କରୋନା ରୋଗୀ ସଂଖ୍ୟା ବଢ଼ିଛି। କିନ୍ତୁ ଆଶ୍ବାସନାର ବିଷୟ ଏହି ଯେ ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ସଙ୍ଗରୋଧରେ ରହୁଛନ୍ତି। ତେଣୁ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ସମ୍ବନ୍ଧିତ ଖବର