ଭୁବନେଶ୍ବର : ଲକ୍ଡାଉନ୍ କଟକଣା କୋହଳରୁ ବାଦ୍ ପଡ଼ିଛି ରାଜଧାନୀ। ହଟ୍ସ୍ପଟ୍ରେ ଭୁବନେଶ୍ୱର ସ୍ଥାନ ପାଇଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆସନ୍ତାକାଲି (ସୋମବାର) ଅଯଥାରେ ଉତ୍ସାହିତ ହୋଇ ଘରୁ ବାହାରନ୍ତୁ ନାହିଁ ବୋଲି ଟ୍ବିଟ୍ କରି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତାଲାବନ୍ଦ ପ୍ରକ୍ରିୟାରେ ଭୁବନେଶ୍ୱରବାସୀ ପୂର୍ବରୁ ସହଯୋଗ କରି ଆସିଛନ୍ତି, ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ତେବେ ଯିଏ ଲକ୍ଡାଉନ୍ ଉଲ୍ଲଙ୍ଘନ କରିବ, ଆଇନ ଅନୁଯାୟୀ ପୂର୍ବବତ୍ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଅଫିସ୍ ଯାଇପାରିବେ। ତେବେ ସେ ଡ୍ୟୁଟିରେ ଅଛନ୍ତି ବୋଲି ଅଫିସ୍ ମୁଖ୍ୟଙ୍କଠାରୁ ଏକ ସ୍ବୀକୃତିପତ୍ର ଦେଖାଇବାକୁ ପଡ଼ିବ। ଦୁଇଚକିଆ କିମ୍ବା ୪ ଚକିଆ ଗାଡ଼ି ପାଇଁ ପାସ୍ର ଆବଶ୍ୟକତା ନାହିଁ। କିନ୍ତୁ ଡ୍ୟୁଟିରେ ନଥାଇ ପରିଚୟପତ୍ର ବଳରେ ସେ ଏଣେତେଣେ ବୁଲି ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ଅଧିକାରୀ (ଡେପୁଟି ସେକ୍ରେଟାରି ବା ଉପର ପାହ୍ୟା)ମାନେ କେବଳ ପରିଚୟପତ୍ର ଦେଖାଇ ଅଫିସ୍ ଯାଇପାରିବେ। ସେମାନଙ୍କୁ ଗାଡ଼ି ପାସ୍ର ଆବଶ୍ୟକତା ନାହିଁ। ଅଫିସର ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ୩୦ପ୍ରତିଶତରେ ସୀମିତ ରହିବ।
ଆଇଟି କମ୍ପାନି କର୍ମଚାରୀମାନେ ‘ୱାର୍କ ଫ୍ରମ୍ ହୋମ୍’ ପ୍ରକ୍ରିୟା ବଜାୟ ରଖିବେ। ସର୍ବାଧିକ ୨୫ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ। ସେମାନେ କମ୍ପାନିର ପରିଚୟପତ୍ର ଦେଖାଇବେ। ତା’ସହ ଅଫିସ୍ ଆସିବା ପାଇଁ ସ୍ବୀକୃତି ପାଇଥିବା ୨୫ପ୍ରତିଶତ କର୍ମଚାରୀଙ୍କ ମଧ୍ୟରେ ସେମାନେ ସାମିଲ ଅଛନ୍ତି ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଇ-ମେଲ୍ ଦେଖାଇବେ।
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ କି ରାଜଧାନୀରେ କୌଣସି ପ୍ରକାରର ନିର୍ମାଣ କାମ ହୋଇପାରିବ ନାହିଁ। ତେବେ ଏସି, ଫ୍ରିଜ୍ ପ୍ରଭୃତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମରାମତି ପାଇଁ ‘୧୦୦’କୁ ଡାଏଲ କରିବାକୁ ପଡ଼ିବ। ପୁଲିସ ସହାୟତା କେନ୍ଦ୍ରରୁ ଆସୁଥିବା ସୂଚନାକୁ ଆଧାର କରି ଗ୍ରାହକ କାମ କରିବେ। ଆବଶ୍ୟକସ୍ଥଳେ ସ୍ବତନ୍ତ୍ର ପାସ୍ ବଳରେ ମେକାନିକ୍ ଆସି ଘରେ କାମ କରିବ।
ତେବେ ଟ୍ବିଟ୍ ଜରିଆରେ ଲୋକମାନେ ଆଜି ପୁଲିସକୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଗାଡ଼ି ଖରାପ ହୋଇଯାଉଥିବାରୁ ଗ୍ୟାରେଜ୍ ଓ ପାର୍ଟସ୍ ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। କିନ୍ତୁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏହା ସମ୍ଭବ ହେଉନଥିବାରୁ ସହଯୋଗ କରିବା ପାଇଁ କମିସନର୍ ଲୋକମାନଙ୍କୁ ପାଲଟା ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/road-3f.jpg)