ବ୍ୟାସନଗର : ବ୍ୟାସନଗର ସହରରେ ଲକ୍‌ଡାଉନ୍‌ କଟକଣାର ଖୋଲା ଉଲ୍ଲଂଘନ। ଖୋଲୁଛି ଲୁଗା ଦୋକାନ। ସେଥିରେ ପୁଣି ଭିଡ଼ କାହିଁରେ କେତେ। ଏଭଳି ଅମାନିଆଙ୍କ ଉପରେ ବୁଧବାର ଯାଜପୁରରୋଡ୍‌ ପୁଲିସ ଚଢ଼ଉ କରି ଲୁଗା ଦୋକାନ ସିଲ୍‌ କରିଛି।

Advertisment

ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବାର ନିୟମ ରହିଥିଲେ ବି ଏହାକୁ ଅନେକ ମାନୁନାହାନ୍ତି। ଷ୍ଟେସନାରିଠାରୁ ଆରମ୍ଭ କରି ଲୁଗା ଦୋକାନ ଆଦି ଖୋଲାଯାଉଛି। ମାଛ ବଜାର ଓ ପରିବାର ବଜାରରେ ଗହଳି ହାଟକୁ ଟପିଯାଉଛି। ବୁଧବାର ଯାଜପୁରରୋଡ୍‌ ପୁଲିସ ମାଛ ମାର୍କେଟରେ ପହଞ୍ଚି ବେପାରୀ ଓ ଖାଉଟିଙ୍କୁ ତଡ଼ିଥିଲା। ସେହିପରି ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ମଧ୍ୟ ନିୟମ ଉଲ୍ଲଂଘନ ହେଉଥିବାର ବାରମ୍ବାର ଖେିବାକୁ ମିଳୁଛି। ଏଠି ଆହାର ପାଇଁ ଆସୁଥିବା ଲୋକେ ସାମାଜିକ ଦୂରତା ରଖୁ ନାହାହନ୍ତି। ଭାତ ଡାଲମା ପାଇଁ ଲୋକେ ଲମ୍ବାଧାଡ଼ି ଲଗାଉଛନ୍ତି। ସେଥିରୁ ଅନେକେ ମାସ୍କ ପିନ୍ଧୁ ନାହାନ୍ତି। ଦୁଇଗଜ ଦୂରତାରେ ଧାଡ଼ି କରିବାର ନିୟମ ଏଠି ପାଳନ ହେଉନି। ସେହିପରି ଗୋପବନ୍ଧୁନଗରରେ ଥିବା ବାହେତି ବ୍ରଦର୍ସ ଲୁଗାଦୋକାନ ଆଗ ବନ୍ଦ, କିନ୍ତୁ ପଛ ଖୋଲା କରି ବେପାର ଚାଲିଥିଲା। ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ପ୍ରଶାସନ ସେଠାରେ ଚଢ଼ଉ କରି ଦୋକାନ ସିଲ୍ କରିଥିଲା। ମାଲିକ ସୁନୀଲ ବାହେତିଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ।

ଲକଡାଉନ୍‌ ସମୟରେ ଶହଶହ ଗ୍ରାହକଙ୍କୁ ଘର ଭିତରେ ପୂରାଇ ବେପାର ଚାଲିଥିଲା। ଖବର ପାଇ ତହସିଲାରଙ୍କ ନେତୃତ୍ବରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ଯାଜପୁର ରୋଡ଼୍‌ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ସବ ଇନସପେକ୍ଟର ଏଆରସେଠୀ, ପୌର କର୍ମଚାରୀ ଅମିତ ପୁରୋହିତ, କାହ୍ନୁ ବାରିକ ଚଢ଼ଉରେ ସାମିଲ ଥିଲେ। ପ୍ରଶାସନର ଚଢ଼ଉ ବେଳେ ଦୋକାନ ଆଗରେ ତାଲା ପଡ଼ିଥିଲେ ହେଁ ପଛବାଟରେ ବେପାର ଚାଲିଥିଲା। ଅଧିକାରୀମାନେ ଗଳି ରାସ୍ତାରେ ଘର ଭିତରକୁ ପ୍ରବେଶ କରିଥିଲେ। ଦୋକାନ ଭିତରେ ପ୍ରବଳ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ପୁଲିସ ଗ୍ରାହକଙ୍କୁ ଅଟକାଇ ନିୟମ ଉଲ୍ଲଂଘନ ଅଭିଯୋଗରେ ୭୭୦୦ ଟଙ୍କା ଜରିମାନା ଆଦାୟ କରିଥିଲା। ମାଲିକଙ୍କ ନାଁରେ ତହସିଲଦାର ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କରୋନା କଟକଣାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାର ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଭିତରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଉଛନ୍ତି। ଅନେକ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି। କାର୍ଯ୍ୟାଳୟ ବାହାରେ ସାନିଟାଇଜର ରଖିବା ପରିବର୍ତ୍ତେ ବାଲଟିଏ ପାଣି ରଖି ଦିଆଯାଉଛି।