ଯଦୁପୁର, ସୁନ୍ଦରପଦାରୁ ସିଲ୍‌ ଖୋଲିଲା, ୭ଦିନ ଯାଏ ହେବ ନମୁନା ଯାଞ୍ଚ

ଭୁବନେଶ୍ବର : କରୋନା ସନ୍ଦିଗ୍ଧ ଥିବା ସନ୍ଦେହରେ ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଘୋଷଣା କରି ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଥିଲା। ଆଜି ଏହି ଦୁଇଟି ଅଞ୍ଚଳରୁ ସଂକ୍ରମିତ ଜୋନ୍‌ ଟ୍ୟାଗ୍ ହଟାଇ ଦିଆଯାଇଛି। ଏହି ଅଞ୍ଚଳର ଯେତେ ଜଣଙ୍କର କୋଭିଡ-୧୯ ପରୀକ୍ଷା ହୋଇଥିଲା ସମସ୍ତଙ୍କର ନେଗେଟିଭ୍ ଆସିବାରୁ ଏହି ଅଞ୍ଚଳକୁ ସିଲ୍‌ ମୁକ୍ତ କରାଯାଇଛି। ଏହାସହିତ ଗତ ୯ଦିନ ହେଲା ସିଲ୍‌ ହୋଇଥିବା ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳରେ ଏବେ କେବଳ ଲକ୍‌ ଡାଉନ୍ ନିୟମ ଲାଗୁ ହେବ। ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ। ଅଙ୍ଗନୱାଡି କର୍ମୀ ଓ ବିଏମ୍‌ସି ଅଧିକାରୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଯାହା ଉପରେ ସନ୍ଦେହ ହେବ ତାଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବେ।

ଯଦୁପୁର ଓ ସୁନ୍ଦରପଦା ନିକଟସ୍ଥ ଆଜାଦ୍‌ ନଗର ଅଞ୍ଚଳରେ କିଛି କରୋନା ସନ୍ଦିଗ୍ଧ ଥିବା ନେଇ ବିଏମ୍‌ସିକୁ ଖବର ମିଳିବା ପରେ ବିଏମ୍‌ସି ଏପ୍ରିଲ ୫ରେ ଏହି ଦୁଇଟି ଅଞ୍ଚଳକୁ ସିଲ୍‌ କରିଥିଲା। ଏଥିରେ ୱାର୍ଡ ୬୪ର ପାଲା ମଣ୍ଡପ ଛକ (ବେଗୁନିଆ)ରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁ, ମୁଖ୍ୟରାସ୍ତା ନିକଟ ଅଟୋଷ୍ଟାଣ୍ଡରୁ ଯଦୁପୁର ଗାଁ, ଆମ୍ବେଦକର ଶିକ୍ଷାକେନ୍ଦ୍ରରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। ସେହିପରି ୱାର୍ଡ ୬୭ରେ ସୁନ୍ଦରପଦା ମ୍ୟୁନିସପାଲଟି ହସ୍ପିଟାଲ ଛକରୁ କାଳୁଆସୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସପାଲଟି ହସ୍ପିଟାଲ ଛକରୁ ସରକନ୍ତରା ନୂଆ କଲଭର୍ଟ(ରେଲଲାଇନ୍ ନିକଟ),କାଳୁଆସୁଣି ମନ୍ଦିରରୁ ଟାଟା ପ୍ରକଳ୍ପ ଏସ୍‌ଇଟିପି, ଟାଟା ପ୍ରକଳ୍ପ ଏସ୍‌ଇଟିପିରୁ ସରକନ୍ତରା ନୂଆ କଲଭର୍ଟ (ରେଳ ଲାଇନ୍ ନିକଟ) ଅଞ୍ଚଳକୁ ସିଲ୍‌ କରାଯାଇଥିଲା। ଆଜି ସିଲ୍‌ ହଟିବା ପରେ ଏଠାରେ ଥିବା ସମସ୍ତ ପ୍ରକାରର ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ମିଳିଛି। ତେବେ ଲକ୍‌ ଡାଉନ୍‌ କଟକଣା ଜାରି ରହିବ।

ଯଦୁପୁର ଅଞ୍ଚଳର ପୂର୍ବତନ କର୍ପୋ‌େରେଟର ମୁଜାହିଦ୍ ହୁସେନ୍ କହିଛନ୍ତି ଯେ କଣ୍ଟେନମେଣ୍ଟ ସମୟରେ ସ୍ଥାନୀୟ ବାସିନ୍ଦା ବିମସି, ପୁଲିସ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଯେପରି ସହଯୋଗ କରିଥିଲେ ସେହିଭଳି ଆଗାମୀ ଦିନରେ ଆକ୍ଟିଭ୍ ସର୍ଭେଲାନ୍ସ ସମୟରେ ମଧ୍ୟ ସହଯୋଗ କରିବେ। ସିଲ୍ ସମୟରେ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ଅତ୍ୟାବଶ୍ୟକ ସେବା ଓ ସୁବିଧା ଯୋଗାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର