ଭୁବନେଶ୍ବର : ଜୁନ୍ ୧୪ତାରିଖରେ ଆସିଲା ଉଦୀୟମାନ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର। ପ୍ରଥମେ ଏହାକୁ କେହି ବିଶ୍ବାସ କରିପାରି ନଥିଲେ। ପରେ ମୁମ୍ବାଇ ପୁଲିସ ଏହି ଖବରର ସତ୍ୟତା ପୁଷ୍ଟି କରିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ସଫଳତା, ପ୍ରସିଦ୍ଧି ଓ ପ୍ରଚୁର ସମ୍ପତ୍ତିର ମାଲିକ ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନର ବୁଢ଼ିଆଣୀ ଜାଲ ବୁଣି ହୋଇଥିଲା। ପରେ ତାଙ୍କ ଆତ୍ମହତ୍ୟାର କାରଣ ‘ମାନସିକ ଅବସାଦ’ ବୋଲି ଜଣାପଡ଼ିଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, ହୁଏତ କରୋନା ମହାମାରୀ ଓ ଲକ୍ଡାଉନ୍ ନ ଥିଲେ ସୁଶାନ୍ତ କାମରେ ବ୍ୟସ୍ତ ରହି ଏହି ମାନସିକ ଅବସାଦରୁ ଦୂରେଇ ପାରିଥା’ନ୍ତେ। ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ହୁଏତ ନେଇ ନଥା’ନ୍ତେ।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ମାନସିକ ଅବସାଦ ନୁହେଁ, ଆତ୍ମହତ୍ୟାର ବିଭିନ୍ନ କାରଣ ରହିଥିବା ବେଳେ ଲକ୍ଡାଉନ୍ ଏ ସବୁକୁ ଇନ୍ଧନ ଯୋଗାଉଛି। ନିକଟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ବାସିନ୍ଦା ରାଜକିଶୋର ଶତପଥୀ ଓ ତାଙ୍କ ପତ୍ନୀ ସୁଲୋଚନାଙ୍କ ଆତ୍ମହତ୍ୟା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କରୋନାରେ ତାଙ୍କ ପୁଅ ସୀମାଞ୍ଚଳଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ବାପା, ମା’ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ଓଏଫ୍ଏସ୍ ଅଫିସର୍ ଅଭିଳାଷ ସ୍ବରୂପ ମହାପାତ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଖବର ବି ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା।
କେବଳ ଓଡ଼ିଶା ନୁହେଁ, ଏହି ଲକ୍ଡାଉନ୍ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା ପ୍ରବଣତା ବଢ଼ିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ଏସବୁ ଆତ୍ମହତ୍ୟାର କାରଣ ଓ ଉପାଦାନ ଅଲଗା ହୋଇପାରେ। କିନ୍ତୁ ଲକ୍ଡାଉନ୍ ଯେ ଏସବୁକୁ ଇନ୍ଧନ ଯୋଗାଇଛି, ତାହା ମାନସିକ ରୋଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଆତ୍ମହତ୍ୟାଜନିତ ମୃତ୍ୟୁ ପ୍ରାୟ ଦ୍ବିଗୁଣିତ ହୋଇଛି। ଅର୍ଥାତ ଗତ ବର୍ଷ ଏହି ସମୟରେ ଆତ୍ମହତ୍ୟା ମାମଲା ୧୫%ରୁ ୨୫% ଥିବା ବେଳେ ଚଳିତ ବର୍ଷ ତାହା ୩୦ରୁ ୪୦% ଯାଏ ବଢ଼ିଥିବା ଦେଖିବାକୁ ମିଳିଛି।
କ’ଣ କହନ୍ତି ବିଶେଷଜ୍ଞ
ଆତ୍ମହତ୍ୟାର ବିଭିନ୍ନ କାରଣ ଅଛି। ବିଶେଷକରି ମାନସିକ ଅବସାଦ, ହଠାତ୍ ଉତ୍ତେଜିତ ହୋଇ ଉଠିବା ଓ ନିଶା ସେବନ ଆଦି ଏହାର ଭିନ୍ନ ଭିନ୍ନ କାରଣ। ଏବେ ଏ ସମସ୍ତ ଉପାଦାନକୁ ଲକ୍ଡାଉନ୍ ଖୋରାକ୍ ଯୋଗାଉଛି। ଲକ୍ଡାଉନ୍ କାରଣରୁ ମାନସିକ ରୋଗୀମାନଙ୍କ ଚିକିତ୍ସା ଓ କାଉନ୍ସେଲିଂ ନିୟମିତ ଭାବେ ହୋଇପାରୁନାହିଁ। ଫଳରେ ଏହି ଅବସାଦ ଉତ୍କଟ ରୂପ ନେବା ସହ ଆତ୍ମହତ୍ୟା କରିବାକୁ ଉସୁକାଉଛି। ଅନ୍ୟପକ୍ଷେ ଲୋକମାନେ ଏବେ ଘରେ ରହୁଛନ୍ତି। ଫଳରେ ମତଭେଦ, ଝଗଡ଼ା ଓ ଘରୋଇ ହିଂସା ଆଦି ବଢ଼ିଛି। ଏହାଦ୍ବାରା ହଠାତ୍ ଉତ୍ତେଜନାବଶତଃ ଆତ୍ମହତ୍ୟା ଅଧିକ ହେଉଥିବା ଏବେ ଦେଖିବାକୁ ମିଳୁଛି। ସେହିପରି ଘରେ ଏବେ ଲୋକମାନେ ଖାଲିରେ ବସି ଥିବାରୁ ଚିନ୍ତାରୁ ମୁକ୍ତି ପାଇଁ ନିଶା ସେବନ ବଢ଼ିଛି। ଏହା ଆତ୍ମହତ୍ୟାର ଆଉ ଏକ କାରଣ ବୋଲି କୁହାଯାଉଛି। ଆମ ସାମାଜିକ-ଅର୍ଥନୈତିକ ଜୀବନଶୈଳୀକୁ ଏବେ ଲକ୍ଡାଉନ୍ ବେଶି ପ୍ରଭାବିତ କରିଛି। ଏହା ମଧ୍ୟ ଅନେକଙ୍କ ଆତ୍ମହତ୍ୟାର କାରଣ ହୋଇଛି। କରୋନା ମହାମାରୀ ସହ ଲଢ଼ିବାକୁ ସାମାଜିକ ଦୂରତା ଓ ଲକ୍ଡାଉନ୍ ଏକମାତ୍ର ଉପାୟ ହୋଇଥିବା ବେଳେ ଏହି ସମୟରେ ଯେମିତି କେହି ଆତ୍ମହତ୍ୟା ଯୋଗୁଁ ପ୍ରାଣ ନ ହରାନ୍ତି, ସେ ନେଇ ଚିନ୍ତା କରିବାକୁ ପଡ଼ିବ। ବିଶେଷକରି ଲୋକମାନେ ନିଃସଙ୍ଗ ଜୀବନ ଅତିବାହିତ ନ କରି ପରିବାର ଓ ସାଙ୍ଗମାନଙ୍କ ସହ ରୁହନ୍ତୁ। ନହେଲେ ଫୋନ୍ରେ ବାର୍ତ୍ତାଳାପ ଓ ଭିଡିଓ କଲ୍ କରି ନିଜକୁ ବ୍ୟସ୍ତ ରଖନ୍ତୁ। ତେବେ ଯାଇ ଆତ୍ମହତ୍ୟା ଭଳି ନକାରାତ୍ମକ ଚିନ୍ତାରୁ ଆମେ ନିଜକୁ ଏବଂ ଆମ ପରିବାରର ଅନ୍ୟମାନଙ୍କୁ ବଞ୍ଚାଇ ପାରିବା।
ଡାକ୍ତର ତନ୍ମୟିନୀ ଦାସ, ସିନିୟର୍ କନ୍ସଲ୍ଟାଣ୍ଟ୍,
ମେଣ୍ଟାଲ୍ ହେଲ୍ଥ ଇନ୍ଷ୍ଟିଚ୍ୟୁଟ୍, ଏସ୍ସିବି ମେଡିକାଲ୍ କଲେଜଲକ୍ଡାଉନ୍ ଆମକୁ ସାମାଜିକ ଜୀବନରୁ ଦୂରେଇ ରଖିଛି। ଫଳରେ ଲୋକମାନେ ନିଃସଙ୍ଗ ଜୀବନ ବିତାଇ ବିତାଇ ମାନସିକସ୍ତରରେ ଦୁର୍ବଳ ହେବାରେ ଲାଗିଛନ୍ତି। ଅନ୍ୟପଟେ ଅନେକ ଲୋକ ଏବେ ବେରୋଜଗାର ହୋଇଯିବା ଫଳରେ ସେମାନଙ୍କ ଉପରେ ମାନସିକ ଚାପ ବଢ଼ିଛି। ସେହିପରି ଲକ୍ଡାଉନ୍ ଆମ ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଜୀବନଶୈଳୀରେ ପରିବର୍ତ୍ତନ ମାନସିକ ସ୍ବାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ଛାଡ଼ିଯାଏ। କିଛି ଲୋକ ଏହା ଯୋଗୁଁ ମାନସିକ ଭାବେ ଅଧିକ ସୁସ୍ଥ ଅନୁଭବ କରନ୍ତି ତ’ ଆଉ କିଛି ଦୁର୍ବଳ ହୋଇଯାଆନ୍ତି। ଏଣୁ ଆମକୁ ଲକ୍ଡାଉନ୍ ସମୟରେ ଆମ ମାନସିକ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ ପଡ଼ିବ। ଏକ ସୁସ୍ଥ ଜୀବନଶୈଳୀ, ନିୟମିତ ଯୋଗ ଓ ପ୍ରାଣାୟାମ କରିବା, ପରିବାର ସହ ସମୟ ବିତାଇବା ଓ ଜୀବନ ପ୍ରତି ଏକ ସକାରାତ୍ମକ ଭାବ ରଖିଲେ, ଆମେ ମାନସିକ ଭାବେ ଦୃଢ଼ ହୋଇପାରିବା। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହାର ଠିକ୍ ବିପରୀତ ଦେଖିବାକୁ ମିଳୁଛି। ଫଳରେ ଏବେ ପ୍ରତିଦିନ ଗୋଟିଏ ଦୁଇଟି ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳୁଛି। ବିଶେଷକରି ୧୫ରୁ ୨୯ବର୍ଷ ବୟସର ଯୁବକଯୁବତୀମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଲକ୍ଡାଉନ୍ ସମୟରେ ଯୁବ ଓ ବୟସ୍କମାନଙ୍କଠାରେ ଏହା ଅଧିକ ଦେଖିବାକୁ ମିଳୁଛି। ଆଗରୁ ମାନସିକ ରୋଗୀମାନଙ୍କ ମଧ୍ୟରୁ ୩୦-୪୦% ରୋଗୀ ଆତ୍ମହତ୍ୟା ପ୍ରବଣତା ରଖନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ରୁ ୧୫%ରୋଗୀ ଆତ୍ମହତ୍ୟା କରୁଥିଲେ। ଏବେ ତାହା ଦ୍ବିଗୁଣିତ ହୋଇଯାଇଛି। ଅର୍ଥାତ୍ ୨୦ରୁ ୩୦% ମାନସିକ ରୋଗୀ ଆତ୍ମହତ୍ୟା କରୁଛନ୍ତି।
ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର, ମାନସିକ ରୋଗ ବିଶେଷଜ୍ଞ,
କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ