ସେପ୍ଟମ୍ବେର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍; ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ ଓ ସଭାସମିତି ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ସେପ୍ଟମ୍ବେର ମାସ  ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ  ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ।  କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ କଟକଣା କୋହଳ କରାଯିବା ସହ ନିର୍ଦ୍ଦିଷ୍ଟ କଟକଣା ବଳବତ୍ତର ରହିବ । ସେପ୍ଟେମ୍ବର୧ ତାରିଖଠାରୁ ୩୦ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରୁ ପ୍ରବେଶ-ପ୍ରସ୍ଥାନ ଉପରେ ପୂରା କଟକଣା ରହିବ। ଏଠାରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ( ଜିଲ୍ଲା ପ୍ରଶାସନ / ପୌର ପ୍ରଶାସନ) କରୋନା ସଂକ୍ରମଣକୁ ବିଚାରକୁ ନେଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ। ତେବେ ଏଥିଲାଗି ସେମାନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡଲାଇନର ଅନୁସରଣ କରିବାକୁ ପଡ଼ିବ। ଏଥିସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସଂପର୍କିତ ନିଷ୍ପତ୍ତି ମନ୍ତ୍ରାଳୟକୁ ଜଣାଇବେ ଏବଂ ସେମାନଙ୍କର ୱେବସାଇଟରେ ବିଜ୍ଞାପିତ କରିବେ।

ଆସନ୍ତାକାଲି ଠାରୁ ୩୦ ତାରିଖ ଯାଏଁ ଧାର୍ମାନୁଷ୍ଠାନରେ ନୀତି ଚାଲିବ କିନ୍ତୁ ସାଧାରଣ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଅନ୍ତର୍ଜାତୀୟ ବିମାନ ମଧ୍ୟ ଚଳାଚଳ କରିବ ନାହିଁ। ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସଭା, ଖେଳକୁଦ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ । ସେହିପରି ପୂଜା ଛୁଟି ଯାଏଁ ସ୍କୁଲ ଓ କଲେଜ ଏବଂ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିବ । କିନ୍ତୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରାଯିବା ସହ ଖାତା ଦେଖାଯାଇପାରିବ। ଅନଲାଇନ୍ ଶିକ୍ଷାଦାନ ଓ ଦୂରଶିକ୍ଷା ବ୍ୟବସ୍ଥା ଚାଲୁ ରହି।

ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ । ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ । ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ଗାଇଡଲାଇନ ଜାରି ହୋଇଛି । କାର୍ଯ୍ୟାଳୟରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି କାମ କରିବାକୁ ହେବ । ନିୟମ ବିରୋଧରେ ଗଲେ ଅଫିସର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧିତ ଖବର