ଭୁବନେଶ୍ବର:  ଆଜି ରାଜ୍ୟ ସରକାରଙ୍କ  ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିସନର ନଭେମ୍ବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି ।  କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ୧.୧୧.୨୦୨୦ଠାରୁ  ୩୦.୧୧.୨୦୨୦ ଯାଏ  ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର।

Advertisment

କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ।

କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି  ଜିଲ୍ଲା ପ୍ରଶାସନ ଓ  ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକୁ ଚିହ୍ନଟ କରିବେ। ଏହି କଣ୍ଟେନମେଣ୍ଟ ଜୋନ୍‌ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିବ।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍‌-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍‌ଡାଉନ୍‌ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚୀତ କରିବେ ଓ ଏଥିପାଇଁ ଅନୁମତି ଆଣିବେ।