ଲକ୍‌ଡାଉନ୍‌ ନେଲା ମୁଣ୍ଡ! ବାପାଙ୍କ ଔଷଧ କିଣି ନପାରି ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର: ଲକ୍‌ଡାଉନ୍‌ ଯୋଗୁ ରୋଜଗାର ଚାଲିଗଲା। ଘରେ ଶଯ୍ୟାଶାୟୀ ରୋଗୀଣା ବାପାଙ୍କ ପାଇଁ ଔଷଧ କିଣିବା ପାଇଁ ବି ଟଙ୍କା ଯୋଗାଡ଼ ହୋଇ ପାରିଲାନି। ଖାଇବା କଥା ତ ନକହିଲେ ଭଲ। ଦଶମରେ ପଢ଼ୁଥିବା ଭାଇର ଟ୍ୟୁସନ ଫି’ ବାକି ପଡ଼ିଥିଲା। ମାନସିକ ଚାପ ଅସହ୍ୟ ହେବାରୁ ଶେଷରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଲେ ଘରର ଏକମାତ୍ର ରୋଜଗାରକ୍ଷମ ଯୁବକ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ।

ପଡ଼ୋଶୀଙ୍କ କହିବା ଅନୁସାରେ କ୍ଷେତରାଜପୁର ଥାନା ବଡ଼ବଜାର କୁଷ୍ଟାପଡ଼ାର ସୁନୀଲ ସାହୁ(୨୫) ସହରର ଏକ ଲୁଗା ଦୋକାନରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ହୋଇଥିଲା। ଦୋକାନ ଖୋଲିବା ପରେ ମଧ୍ୟ ସେଠା‌ରେ ତାଙ୍କୁ ଆଉ କାମ ମିଳିଲାନି। ରୋଜଗାର ଚାଲିଯିବା ଘଟଣାକୁ ନେଇ ସେ ଭାଙ୍ଗିପଡ଼ିଥିଲେ। ଅନ୍ୟ କେଉଁଠାରୁ କିଛି ସହାୟତା ମିଳିବାର ବି ସୁଯୋଗ ନଥିଲା। ସୋମବାର ସନ୍ଧ୍ୟାରେ ପକ୍ଷାଘାତ ରୋଗରେ ପଡ଼ିଥିବା ବାପାଙ୍କ ଔଷଧ କିଣିବା ପାଇଁ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ ତାକୁ ନେଇ ମନଦୁଃଖରେ ଥିଲେ। ରାତି ୯ଟାରେ ସେ ଘରୁ ବାହାରି କୁଆଡ଼େ ଗଲେ ଓ ରାତିରେ ଫେରିଲେନି। ମଙ୍ଗଳବାର ସକାଳୁ ମହାନଦୀର ବଡ଼ବଜାର ସଡ଼କ ଘାଟ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ଦଉଡ଼ିରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର