ତାସ ଖେଳ ଓ ଭୋଜି କରି ଲକ୍‌ଡାଉନ୍‌ ବିତାଉଛନ୍ତି ଅମାନିଆ

ଅମ୍ବାଭୋନା : କରୋନା ମହାମାରୀ ଦ୍ବିତୀୟ ଲହରୀରେ ଅମ୍ବାଭୋନା ବ୍ଲକ୍‌ରେ କରୋନା ସଂକ୍ରମଣ ଦ୍ରୁତଗତି ବଢିବାରେ ଲାଗିଥିବାରୁ ଅଞ୍ଚଳରେ ଚିନ୍ତା କାରଣ ହୋଇଛି। ଅମାନିଆ ଲୋକଙ୍କ ଖାମଖିଆଲି ମନୋଭାବ ରଖି ଲକଡାଉନ୍‌ ସମୟକୁ ବିତାଇବା ପାଇଁ ଗାଁ ଗାଁରେ ଚାଲିଛି ତାସ ଖେଳ ଆସର ଓ ଭୋଜି କରିବା ଯୋଗୁଁ ସଂସ୍ପର୍ଶରେ କରୋନା ଉଗ୍ର ରୂପ ଦେଖିବାକୁ ମିଳିଛି।

ଅମ୍ବାଭୋନା ବ୍ଲକ୍‌ର ୧୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨୯୪ ଜଣ ସଂକ୍ରାମିତ ହୋଇସାରିଛନ୍ତି। କରୋନା ସଂକ୍ରମିତ ହୋଇ କୋଭିଡ ହାସପିଟାଲରେ ଚିକିତ୍ସିତ ଅବସ୍ଥାରେ ବ୍ଲକ୍‌ର ଚଳିତ ବର୍ଷ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଚିନ୍ତା କାରଣ ହୋଇଛି। ଆଜି ଗୁରୁବାର ଅମ୍ବାଭୋନା ବ୍ଳକ ରେ ୩୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୧ଜଣ ମହିଳା ଓ ୨୦ଜଣ ପୁରୁଷ ରହିଛନ୍ତି। ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମରେ ସର୍ବାଧିକ କରୋନା ପ୍ରଣବ ଅଞ୍ଚଳ ଅଟେ। ଛତିଶଗଡ଼ ଲୋକେ ଲୁଚିଛପି ଗଳା ବାଟରେ ଅମ୍ବାଭୋନା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ବିବାହ, ଦଶାହ କାର୍ଯ୍ୟ ଆଦି କାର୍ଯ୍ୟକ୍ରମରେ ‌ସାମିଲ ହେଉଛନ୍ତି। ଅମ୍ବାଭୋନା ବ୍ଲକ୍‌ର ଭୁକ୍ତା, ଅମ୍ବାଭୋନା, ଲଖନପୁର, ଡୁଙ୍ଗୁରୀ ଆଦି ସରକାରୀ ଡାକ୍ତରଖାନା ସମେତ ଭୁକ୍ତା, ପ୍ରକାଶପୁର ଘରୋଇ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଏବେ ଗାଁ ଗାଁରେ ଅଧିକାଂଶ ବ୍ୟକ୍ତିଙ୍କୁ କାଶ, ଜ୍ବର, ଥଣ୍ଡା ହେଉଥିବାରୁ ରକ୍ତ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଭିଡ ହୋଇ ସଂକ୍ରମଣ ଆଂଶକା କରାଯାଉଛି। କରୋନା ସଂକ୍ରମଣ ସନ୍ଦେହ କରି ସରକାରୀ ଡାକ୍ତରଖାନାରେ କରୋନା ଟେଷ୍ଟ କରାଯାଉଛି। ପ୍ରଥମ ଆଣ୍ଟିଜେନ ଟେଷ୍ଟ ସଂଗେ ଜଣାପଡିବା ପଜିଟିଭକୁ ହୋମ୍‌ ଆଇସୋଲେସନ ରହିବାକୁ ପରାମର୍ଶ ଦିଆଯାଉଛି। ଆରଟିପିସିଆର ଟେଷ୍ଟ ଆସିବାରେ ବିଳମ୍ବ ଯୋଗୁଁ ହୋମ ଆଇସୋଲେସନ ନରହିବାରୁ ଅନେକ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହେଉଥିବା ଅଭିଯୋଗ ହେଉଛି।

କରୋନା ସଂପର୍କରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ପ୍ରତ୍ୟେକ ଦିନ କରୋନା ପଜିଟିଭ ରିପୋର୍ଟ ଆସୁନାହିଁ ଏବଂ ଗାଁ ଗାଁରେ କରୋନା ପଜିଟିଭ ସଂପର୍କରେ ବହୁ ବିଳମ୍ବରେ ରିପୋର୍ଟ ଆସୁଥିବା ପ୍ରକାଶ କରିଛନ୍ତି। କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଖୋଲାଖୋଲି ଭାବେ ଦୋକାନ ବଜାରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ସେମାନେ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିଜେ ବାଇକ ଯୋଗେ ଘରୋଇ ଡାକ୍ତରଖାନା ଓ ସରକାରୀ ଡାକ୍ତରଖାନା ଯାଉଛନ୍ତି। ତେଣୁ କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଗାଁର ସ୍କୁଲରେ ହୋମ ଆଇସୋଲେସନ ଓ ପ୍ରତ୍ୟେକ ପଞ୍ଚାୟତରେ କୋଭିଡ୍‌ ମିନି ସେଣ୍ଟର ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର