୫ରୁ ସାରା ରାଜ୍ୟରେ ଲକ୍‌ଡାଉନ୍

କଠୋର ନିଷ୍ପତ୍ତି ନେଲେ ସରକାର
ଟିକାକରଣ, ଟେଷ୍ଟିଂ ଜାରି ରହିବ
ନିର୍ବାଚନ ପାଇଁ ଲକ୍‌ଡାଉନ୍‌ କଟକଣାରେ କୋହଳ
ସକାଳ ୬ରୁ ୧୨ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ଧୀରେଧୀରେ ଭୟଙ୍କର ରୂପ ନେଉଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶେଷରେ ରାଜ୍ୟ ସରକାର ଚରମ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ଏହି ୧୫ ଦିନ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ।

ରବିବାର ପୂର୍ବାହ୍ନରେ ଲକ୍‌ଡାଉନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଥିଲେ। ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ଓ ସମୟୋପଯୋଗୀ ବୋଲି ଦର୍ଶାଇବାକୁ ଯାଇ ସେ କହିଥିଲେ ଯେ ଲକ୍‌ଡାଉନ୍‌ର ମୁଖ୍ୟ ଉଦ୍ଦେଶ୍ୟ ‌ହେଲା ଯାତାୟାତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା। ଏହି ସମୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୌଣସି ପ୍ରକାର ମାଲ୍‌ ପରିବହନ, କୃଷି, ଆନୁଷଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ଯୋଗାଣକୁ ଏହି ଲକ୍‌ଡାଉନ୍‌ ପ୍ରଭାବିତ କରିବ ନାହିଁ। ଲକ୍‌ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ ବ୍ୟାଙ୍କ, ଏଟିଏମ୍‌ଏ ବୀମା, ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କ କାର୍ଯ୍ୟ ଚାଲୁ ରଖିପାରିବେ।

ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟର୍‌ନେଟ୍‌ ସେବା, ଡିଟିଏଚ୍‌ ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ, ମାଛ, ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍‌ରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ।

ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ।

ଚଳିତ ମାସରେ ପିପିଲି ଉପନିର୍ବାଚନ ଥିବାରୁ ତାହାର ପରିଚାଳନା ପାଇଁ ଲକ୍‌ଡାଉନ୍‌ରେ କିଛିଟା କୋହଳ କରାଯାଇଛି। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ସଟ୍‌ ଡାଉନ ଓ ଲକ୍‌ ଡାଉନ୍‌ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯା’ଆସ କରିପାରିବେ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟମାନେ ଯା’ଆସ କରିପାରିବେ। ନିର୍ବାଚନ ଦିନ ଭୋଟ୍‌ଦାତାମାନେ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଯାଇପାରିବେ।

ସେହିପରି ମେ’ ମାସରେ ବିବାହ ଋତୁ ଥିବାରୁ ତାହାକୁ ମଧ୍ୟ କଟକଣା ମଧ୍ୟରେ ଅନୁମତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

contenmentzone

ବିଭିନ୍ନ ଗ୍ରାମ ଓ ସହରାଞ୍ଚଳରେ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ସ୍ଥାନୀୟ ପ୍ରଶାସନ କ୍ଷୁଦ୍ର କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସରପଞ୍ଚମାନଙ୍କୁ ଶ୍ରୀ ମହାପାତ୍ର କହିଛନ୍ତି ଯେ ସଂକ୍ରମଣ ପ୍ରତିରୋଧ କରିବା ପାଇଁ ନିଜ ନିଜ ଅଞ୍ଚଳରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖ। ବାହାରୁ ଆସୁଥିବା ଲୋକଙ୍କୁ ଗୃହ ସଙ୍ଗରୋଧରେ ରଖ। ଯାହାର ଘରେ ବ୍ୟବସ୍ଥା ନ ଥିବ, ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ସେହିପରି ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ ଏ ଦିଗରେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି। ସରକାରଙ୍କ ସବୁ ନିଷ୍ପତ୍ତିର ଅନୁପାଳନ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ରାଜ୍ୟରେ ସଂକ୍ରମଣ ରୋକିବାରେ ସହାୟକ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର