ସାଲେପୁର: ଉଦ୍ଘାଟନର ଦୁଇ ବର୍ଷ ପରେ ବି ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରରେ ତାଲା ପଡିଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସଂଗ୍ରହାଳୟ ପର୍ଯ୍ୟଟକଙ୍କ ପାଇଁ କେବେ ଖୋଲିବ? ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ମଧୁବାବୁଙ୍କ ଜନ୍ମପୀଠ ପରିସରରେ ସଂଗ୍ରହାଳୟ ନିର୍ମାଣ ସହ ରସ କୁଣ୍ଡର ପୁନରୁଦ୍ଧାର କାମ ହାତକୁ ନିଆଯାଇଥିଲା। ୨୦୨୨ ଏପ୍ରିଲ ୨୮ ମଧୁ ଜୟନ୍ତୀରେ ଏହି ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପିତ କରିଥିଲେ। କିନ୍ତୁ ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ସଂପର୍କିତ ସେପରି କୌଣସି ବିରଳ ଅଥବା ଦର୍ଶନୀୟ ସାମଗ୍ରୀ ରଖାଯାଇ ପାରିନଥିବାରୁ ଦର୍ଶକଙ୍କ ପାଇଁ ତାହାକୁ ଖୋଲା ଯାଉ ନଥିବା ଜଣାପଡ଼ିଛି। ଲୋକାର୍ପଣର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସଂଗ୍ରହାଳୟରେ ତାଲା ତ ଝୁଲୁଛି, ଅନ୍ୟପଟେ ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ତତ୍ତ୍ୱାବଧାରକ ଅଥବା କର୍ମଚାରୀଙ୍କୁ ବି ନିଯୁକ୍ତି ଦିଆଯାଇ ନାହିଁ।
ମଧୁବାବୁଙ୍କ ଜନ୍ମପୀଠ ପରିସରରେ ଥିବା ତାଙ୍କ ଜୀବନୀ ସହିତ ଜଡିତ ରସକୁଣ୍ଡର ବିକାଶ ପାଇଁ ଅର୍ଥ ବ୍ୟୟ ହୋଇଥିଲେ ବି ତାହାର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ରସକୁଣ୍ଡ ମଧ୍ୟରେ ଅଳିଆ ଆବର୍ଜନା ଭାସୁଛି। ମଧୁବାବୁ ତାଙ୍କ ଜନ୍ମମାଟିରେ ପୈତୃକ ଘର ନିକଟରେ ୧୯୦୫ରେ ଏକ କୋଠା ତିଆରି କରିଥିଲେ। ତାହକୁ ମଧୁ କୋଠୀ ବୋଲି କୁହାଯାଏ। ରକ୍ଷଣାବେକ୍ଷଣ ଅଭାବରୁ ଏହି ମଧୁ କୋଠୀର ସ୍ଥିତି ବି ଶୋଚନୀୟ ହେବାରେ ଲାଗିଛି। ମଧୁବାବୁଙ୍କ ଜନ୍ମପୀଠ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି ସତ, କିନ୍ତୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା ତିଆରି କରିବାରେ ବିଫଳ ହୋଇଛି। ମଧୁବାବୁଙ୍କ ଜନ୍ମପୀଠରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ, ବାଲି ପୋଖରୀରେ ବୋଟିଂ ବ୍ୟବସ୍ଥା, ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି, ପର୍ଯ୍ୟଟକଙ୍କ ପାଇଁ ତତ୍ତ୍ୱାବଧାରକ ନିଯୁକ୍ତି, କଟକ ଚାନ୍ଦବାଲି ରାସ୍ତାର (ପାଗା) ଛକ ଠାରେ ମଧୁ ସ୍ମୃତି ତୋରଣ ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଆସନ୍ତାକାଲି ମଧୁ ଜୟନ୍ତୀ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପୀଠକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଆସୁଛନ୍ତି। ଏଭଳି ସ୍ଥିତିରେ ପୀଠକୁ ଦର୍ଶକ ତଥା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ଉପଯୋଗୀ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fshsfffhsfh.jpg)