ଉଦ୍‌ଘାଟନ ପରଠୁ ମିସନ ଶକ୍ତି କେନ୍ଦ୍ରରେ ତାଲା: ପ୍ଲାଷ୍ଟର୍‌ ଖସିଲାଣି, ଶିଉଳି ମାଡ଼ିଲାଣି

ନୂଆଗାଁ: ଗୋଟିଏ ପ୍ରକଳ୍ପ ସାର୍ଥକ ସେତିକି ବେଳେ ହୁଏ, ଯେତେବେଳେ ତାହା ଲୋକଙ୍କ କାମରେ ଆସେ। କିନ୍ତୁ ନୂଆଗାଁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ନିର୍ମିତ ମିସନ ଶକ୍ତି ଗୃହ ଉଦ୍‌ଘାଟନର ୨ବର୍ଷ ପରେ ମଧ୍ୟ ଅବ୍ୟବହୃତ ହୋଇରହିଛି। ମା’ମାନଙ୍କୁ ସଶକ୍ତ କରିବା ପାଇଁ ନିର୍ମାଣ ହେଉଥିବା ମିସନ ଶକ୍ତି ଭବନର ଏ ଦଶା କାହିଁକି ବୁଝାପଡ଼ୁନି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିସନ ଶକ୍ତି ବିଲ୍ଡିଂର କେତେକ ସ୍ଥାନରେ ପ୍ଲାଷ୍ଟର୍‌ ଖସିବା ସହ ଶିଉଳି ଲାଗିଗଲାଣି। ଆଉ କିଛି ଜାଗାରେ ଅଧପନ୍ତରିଆ ଗୃହକୁ ଉଦ୍‌ଘାଟନ କରି ମହିଳାମାନଙ୍କୁ ମିଛ ସ୍ବପ୍ନ ଦେଖାଇ ଚାଲିଛନ୍ତି। ବିଡ଼ମ୍ବନାର ବିଷୟ ଏହି ମିସନ ଶକ୍ତି କେନ୍ଦ୍ରଗୁଡ଼ିକ କେବେ ଖୋଲିବ ସେ ନେଇ ଜନପ୍ରତିନିଧି କି ପ୍ରଶାସନ କେହି ବି ମୁହଁ ଖୋଲୁନାହାନ୍ତି।

ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସିଙ୍ଗାରପଲ୍ଲୀ ପଞ୍ଚାୟତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିସନ ଶକ୍ତି ଗୃହ କାର୍ଯ୍ୟକ୍ଷମ ନହୋଇ ପ୍ରାୟ ଦୁଇ ବର୍ଷ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏହାକୁ ଯଦିଓ ଦଶପଲ୍ଲା ବିଧାୟକ ଓ ଅନ୍ୟ ଅତିଥିମାନଙ୍କ ଦ୍ବାରା ୨୦୨୧ ମସିହା ଡିସେମ୍ବର ୨୦ରେ ଉଦ୍‌ଘାଟନ କରାଯାଇଥିଲା ହେଲେ ଆଜି ପର୍ଯ୍ୟନ୍ତ ଏଥିରୁ ତାଲା ଖୋଲା ଯାଇନାହିଁ। ଆଜିର ଦିନରେ ବି ବିଦ୍ୟୁତ୍‌ ସଂଯୋଗ, ପାଣିର ବ୍ୟବସ୍ଥା ଓ ଶୌଚାଳୟର କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି। ଏହାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ପ୍ଲାଷ୍ଟର୍‌ ଖସିଲାଣି।

ତେବେ ଏହି ମିସନ ଶକ୍ତି କେନ୍ଦ୍ରଗୁଡ଼ିକ ମହିଳାମାନଙ୍କ କାମରେ ନଲାଗି ଭୂତକୋଠିରେ ପରିଣତ ହୋଇଯିବ। ଆଉ ଶାସକ ଓ ବିରୋଧୀ ଦଳ ନେତା ସବୁ ଦେଖି ବି ଚୁପ୍‌ ହୋଇ ବସିବାକୁ ଉଚିତ୍‌ ମନେ କରିବେ। ତା ମାନେ ଆଖିବୁଜି ଧରିନେବାକୁ ପଡ଼ିବ ଯେ, ଏହା ସଂକୀର୍ଣ୍ଣ ରାଜନୀତି ଛଡ଼ା ଆଉ କିଛି ନୁହେଁ। ମିସନ ଶକ୍ତି ଗୃକୁ ଭୂତକୋଠିରେ ପରିଣତ କରିଦେବାରେ ମଧ୍ୟ ପ୍ରଶାସନର ସ୍ଥାଣୁତା ଯେ ଦାୟୀ ତାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏମିତି କଣ ପରିସ୍ଥିତି ଉପୁଜିଛି ଯେ, ଏହି ମିସନ ଶକ୍ତି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ହାତ ଯାଉନାହିଁ। ସାଧାରଣ ଲୋକଙ୍କ ମନକୁ ଏଭଳି ପ୍ରଶ୍ନ ଆନ୍ଦୋଳିତ କରୁଛି। ଏନେଇ ନୂଆଗାଁ ବ୍ଲକ୍‌ ମିସନ ଶକ୍ତି ସଂଯୋଜକ ଦିଲୀପ କୁମାର ନାୟକଙ୍କୁ ପଚାରିବାରେ, ଏହି ବିଲ୍ଡିଂ ବର୍ତ୍ତମାନ ଜିପିଏଲ୍‌ଏଫ୍‌କୁ ହସ୍ତାନ୍ତର କରାଯାଇଛି, ସେଠାରେ ସେମାନେ ମିଟିଂ ଓ ବିଭିନ୍ନ ସାମଗ୍ରୀ ବିକ୍ରି କରିପାରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର