ଶିକ୍ଷକଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ, ସ୍କୁଲରେ ତାଲା

ହାଟଡ଼ିହି : ବିଳମ୍ବରେ ସ୍କୁଲ ଆସିବା, ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନକରି ମୋବାଇଲ ଦେଖିବା ଓ ଏହାକୁ ବାରଣ କରିବାରୁ ସ୍କୁଲ କମିଟି ସଦସ୍ୟଙ୍କୁ ଛକ ବଜାରରେ ଗାଳି ଗୁଲଜ କରିବାକୁ ନେଇ ଜାଗୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଭାର ଫାଟକରେ ତାଲା ପକାଇଲେ ଗ୍ରାମବାସୀ।

ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ଶିକ୍ଷକ ଆର୍ତ୍ତତ୍ରାଣ ଜେନା ବିଦ୍ୟାଳୟକୁ ନିୟମିତ ବିଳମ୍ବରେ ଆସୁଛନ୍ତି। କେବଳ ସେତିକି ନୁହେଁ ଶିକ୍ଷାଦାନ ନ କରି ମୋବାଇଲ ଦେଖିବା, ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବସି ଅଣ୍ଡା ଖାଇବା, ଛାତ୍ରମାନଙ୍କୁ ଆଶାଳୀନ ଭିଡିଓ ଦେଖାଇବା, ଆଦି ସଂଗିନ ଅଭିଯୋଗ ଆଣିଛନ୍ତି ଅଭିଭାବକମାନେ। କିଛି କମିଟି ସଦସ୍ୟ ବିରୋଧ କରିବାରୁ ଶିକ୍ଷକ ଜଣକ ଗତକାଲି ମୁଗୁପୁର ବଜାରରେ ଗାଁର ୱାର୍ଡ ସଭ୍ୟଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ ବୋଲି ୱାର୍ଡ ସଭ୍ୟ ଅଭିଯୋଗ କରିଛନ୍ତି। ଗୁରୁବାର ଦିନ ମୁକ୍ତିକାନ୍ତ ନାୟକ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଚମ୍ପା ଜେନା, ଭାସ୍କର ଜେନା, ନାରାୟଣ ନାୟକ, ଗୀତାଞ୍ଜଳି ଓଝା, ପ୍ରତିମା ସେଠୀ, ଦେବଜାନୀ ପାଢ଼ୀ, ସୀତା ଜେନା, ରୀନା ବେହେରା, ତପନ କୁମାର ପଣ୍ଡା, ଝୁନୁଲତା ବେହେରା, ବାସନ୍ତୀ ବାରିକ, ପୂର୍ଣ୍ଣିମା ବାରିକ, ତ୍ରିଲୋଚନ ସେଠୀ, ଜ୍ୟୋତିପ୍ରକାଶ ଜେନା, ଗୀତାଞ୍ଜଳି ଜେନାଙ୍କ ସମେତ ପଚାଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ସ୍କୁଲ ନିକଟରେ ପହଞ୍ଚି ୧୦ଟା ସୁଦ୍ଧା ଶିକ୍ଷକମାନେ ଯାଇ ନଥିବାରୁ ସ୍କୁଲରେ ତାଲା ପକାଇଦେଇଥିଲେ। ଏକ ମାତ୍ର ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ। ଅନ୍ୟ ୪ଜଣ ଶିକ୍ଷକ ସ୍କୁଲ ବାହାରେ ଠିଆ ହୋଇ ହୋଇ ଫେରିଆସିଥିଲେ। ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଏହି ସ୍କୁଲରୁ ଅନ୍ୟତ୍ର ବଦଳି କରିନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ଏ ସମ୍ପର୍କରେ ଶିକ୍ଷକ ଆର୍ତ୍ତତ୍ରାଣ ଜେନାଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହ କେତେକ ଗ୍ରାମବାସୀ ଆକ୍ରୋଶ ମୂଳକ ଅଭିଯୋଗ କରୁଥିବା କହିଛନ୍ତି। ସ୍କୁଲ କାମକୁ ନେଇ କମିଟି ଚେୟାରମ୍ୟାନଙ୍କ ସହିତ ଝଗଡା ହୋଇଥିବାରୁ ସେମାନେ ମିଥ୍ୟା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର