୧୦ ବ‌ର୍ଷ ହେଲା ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ତାଲା

ଆନନ୍ଦପୁର : ରାଜ୍ୟ ସରକାର ଉଦ୍ୟାନ କୃଷିକୁ ବ୍ୟାପକ କରିବାକୁ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହାର ସଫଳତା ‌ନେଇ ବ୍ୟାପକ ପ୍ରଚାର ମଧ୍ୟ କରାଯାଉଛି। ଆଳୁ ପିଆଜ ମିଶନ ମାଧ୍ୟମରେ କୃଷକଙ୍କୁ ସ୍ବାବଲମ୍ବୀ କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ତେବେ ଘସିପୁରା ବ୍ଳକର ଏହି ବିଭାଗର କାର୍ଯ୍ୟାଳୟର ଦୂରବସ୍ଥାକୁ ଲକ୍ଷ୍ୟ କଲେ ଉଦ୍ୟାନ ବିଭାଗ କିଭଳି ଚାଲିଛି ସହଜେ ଅନୁମାନ କରିହେବ। ଏପଟେ ଗତ ୧୦ବର୍ଷ ‌ହେବ ଉଦ୍ୟାନ ବିଭାଗର କାର୍ଯ୍ୟାଳୟରେ ତାଲା ଝୁଲୁଥିବାବେଳେ ଘର ଭୂତକୋଠିରେ ପରିଣତ ହୋଇଛି।

ଘସିପୁରାରେ ବ୍ଲକ କୃଷିବିଭାଗ କାର୍ଯ୍ୟାଳୟ ନିକଟରେ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ରହିଛି। ୧୦ବର୍ଷ ତ‌ଳେ ନୂତନ କାର୍ଯ୍ୟାଳୟ ଉଦ୍ଦେଶ୍ୟରେ ବିପୁଳ ଅର୍ଥ ବିନିମୟରେ ଏଠାରେ ଦ୍ବିତଳ କୋଠା ନିର୍ମାଣ କରାଯାଇଛି। ନିର୍ମାଣ ପରଠାରୁ ଏଠାରେ କାର୍ଯ୍ୟାଳୟ ଚାଲିନାହିଁ। ଦୁଇବର୍ଷ ତଳେ ଏଠାରେ ରହୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁପରେ କାର୍ଯ୍ୟାଳୟରେ ତାଲା ପଡିଛି। ଫଳରେ ଘସିପୁରା ବ୍ଳକର କୃଷକମାନେ ଶାଳପଡ଼ାରେ ଥିବା ଆନନ୍ଦପୁର ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ବାଧ୍ୟହୋଇ ଯାଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଆଳୁ, ପିଆଜ, ଲେମ୍ବୁ, କଦଳୀ ଚାଷକୁ ଲୋକାଭିମୁଖି କରିବାପାଇଁ ସବସିଡି ଦରରେ ଚାଷୀମାନଙ୍କୁ ବିହନ, ଚାରା ପ୍ରଦାନ କରାଯାଉଥିବାବେଳେ ଘସିପୁରା ବ୍ଳକର କୃଷକମାନେ ଆନନ୍ଦପୁର କାର୍ଯ୍ୟାଳୟକୁ ଯାଇ ଭିଡ଼ ଲଗାଉଥିବା ପରିଲକ୍ଷିତ ହୋଇଛି। ଘସିପୁରାରେ କାର୍ଯ୍ୟାଳୟ ନଥିବାରୁ ଅନେକ କୃଷକ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି। କେତେକ ମଧ୍ୟ କାର୍ଯ୍ୟାଳୟ ନିକଟରୁ ଆସି ଫେରୁଥିବା ଅଭିଯୋଗ ହୋଇଛି। କୋଠାରେ କାରବାର ହେଉ ନଥିବାରୁ ଏହା ଗଛଲଟା ମାଡିଯିବା ସହିତ ଅସୁରକ୍ଷିତ ମଧ୍ୟ ହୋଇ ପଡିଥିବା ପରିଲକ୍ଷିତ ହୋଇଛି।

ଉଦ୍ୟାନ ବିଭାଗ ପକ୍ଷରୁ କର୍ମଚାରୀ ନଥିବା ଆଳ‌ ଦେଖାଇ କାର୍ଯ୍ୟାଳୟକୁ ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ଡିସେମ୍ବର ୪ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାପରେ ଦୁଇଜଣ କର୍ମଚାରୀ କିଛିଦିନ ପାଇଁ କାର୍ଯ୍ୟାଳୟ ଖୋଲିଥିଲେ। ତେବେ କିଛିଦିନ ପରେ ପୁଣି ତାଲା ପଡିଯାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର