ହାଟଡିହି : ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ହାଟଡିହି ବ୍ଲକ୍ରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। କେଉଁଠି ସ୍କୁଲ୍ରେ ଜଣେ ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଜଗି ବସିଛନ୍ତି ତ ଆଉ କେଉଁଠି ସ୍କୁଲରେ ତାଲା ଝୁଲୁଛି। ହାଟଡିହି ବ୍ଲକ୍ରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୯୯ଟି ସ୍କୁଲ୍ ରହିଛି। ଏସବୁ ବିଦ୍ୟାଳୟରେ ୬୩୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ଏଥିରୁ ୪୬୨ଜଣ ନୂତନ ପେନ୍ସନ୍ ଭୁକ୍ତ ଶିକ୍ଷକ ହୋଇଥିବା ବେଳେ ୧୩୨ଜଣ ରେଗୁଲାର, ୧୧୪ଜଣ କନିଷ୍ଠ ଶିକ୍ଷକ, ୧୮ଜଣ ଗଣଶିକ୍ଷକ, ୧୧ଜଣ ଏମ୍ଏଲ୍ଇ ବର୍ଗର ଶିକ୍ଷକ ଅଛନ୍ତି।
ତିନିଦଫା ଦାବି ନେଇ ନୂତନ ପେନସନଭୁକ୍ତ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ବର ଯାଇଛନ୍ତି। ଏହାର ପ୍ରଭାବ ଆଜି ଅନେକ ବିଦ୍ୟାଳୟରେ ପଡ଼ିଛି। ଆଜି ମରୈଗାଁ ପଞ୍ଚାୟତ ଜଗନ୍ନାଥପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଏଠାରେ ଦୁଇଜଣ ଶିକ୍ଷକ ଥିବାବେଳେ ସେମାନେ ଛୁଟିରେ ପଳାଇଛନ୍ତି। ଅନ୍ୟ କୌଣସି ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ନଥିବାରୁ ବିଦ୍ୟାଳୟରେ ତାଲା ଝୁଲୁଛି।
ସେହିପରି ଧନୁର୍ଜୟପୁର ପଞ୍ଚାୟତ ନୂଆରଗୁଡ଼ି ପ୍ରାଥମିକ ବିଦ୍ୟାଳୟରେ ତିନିଜଣ ଶିକ୍ଷକ ଆନ୍ଦୋଳନ ପାଇଁ ଛୁଟିରେ ଥିବାରୁ ଏଠାରେ ମଧ୍ୟ ତାଲା ଝୁଲୁଛି। ଦନେଇପୁର, ସୁଲଣ, ନିଉଦାନୀ, ବାଲିଆ, ମଢ଼େଇସାହି, ଭଅଁରା ପ୍ରାଥମିକ ବିଦ୍ୟାଳୟ, ଆଇତିପୁର ୟୁଜିୟୁପି ସ୍କୁଲ, ପାଟ ଜାଗୁଳାଇ ସ୍କୁଲ, ମିଠିଗାଁ, ନିଶାକର ନୋଡାଲ ୟୁପି ସ୍କୁଲ, ସଢ଼ା ଜଣେଜଣେ ଶିକ୍ଷକ ଦିଆଯାଇ କେବଳ ବିଦ୍ୟାଳୟ ଖୋଲାଯାଇଛି। ଅନେକ ସିଆର୍ସିସି ଆନ୍ଦୋଳନରେ ସାମିଲ ହେବାକୁ ପଳାଇଥିବାରୁ ବନ୍ଦ ସ୍କୁଲ ସମ୍ପର୍କିତ ତଥ୍ୟ ମିଳି ପାରିନଥିବା ଏବିଇଓ ଧନେଶ୍ୱର ଖଣ୍ଡେଇ କହିଛନ୍ତି।