ଭୋଗରାଇ: ଭୋଗରାଇ ବ୍ଲକ୍ ଜଳେଶ୍ୱରପୁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ୍ରେ ତାଲା ପକାଇବା ସହ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିବା ଜଣାପଡ଼ିଛି। ସକାଳ ୬ଟା୪୫ରୁ ଧାରଣା ଆରମ୍ଭ ହୋଇଥିବା ବେଳେ ୩ ଘଣ୍ଟା ପରେ ଏବିଇଓ ଏବଂ ସ୍ଥାନୀୟ ସିଆର୍ସିସି ଧାରଣା ସ୍ଥଳରେ ପହଞ୍ଚି ବିଜ୍ଞାନ ବିଷୟ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ନ ହେବା ଭଳି କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ ଜଳେଶ୍ବରପୁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୫୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷୟିତ୍ରୀ ଓ ୨ ଜଣ ଶିକ୍ଷକ ରହିଥିଲେ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେଲା ସ୍କୁଲ୍ ବନ୍ଦ ରହିଥିଲା। କରୋନା କଟକଣା କୋହଳ ହେବା ପରେ ଏବେ ମାସେ ହେଲା ସ୍କୁଲ୍ ଖୋଲିଛି। ତେବେ ଏହି ସ୍କୁଲ୍ର କାର୍ଯ୍ୟରତ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ବିଜ୍ଞାନ ଶିକ୍ଷକ ବରେନ୍ଦ୍ର କୁମାର କାମିଳାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଜ୍ଞାନ ଶିକ୍ଷକ ଶ୍ରୀ କାମିଳାଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଇଓ ଭଗୀରଥ ଗିରିଙ୍କଠାରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।
ଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କ ସହ ଏସ୍ଏମ୍ସି ସଭାପତି ଗୌରୀଶଙ୍କର ଜେନା, ଉପ ସଭାପତି ନିରୁପମା ପଣ୍ଡା, ସଦସ୍ୟ ପ୍ରଶାନ୍ତ ପ୍ରଧାନ, ଅକ୍ଷୟ କୁମାର ମଣ୍ଡଳ, ଭାନୁଚରଣ ଦାସ, ବେନୁଚରଣ ନାୟକ, ସୁକାନ୍ତି ଗିରି, ଅଞ୍ଜଳି ସାହୁ, ସପନ ମାହାନା, ସ୍ନେହାଶ୍ରୀ ରାଉତ, ଗାୟତ୍ରୀ ଘଡ଼ାଇ, ସୁମିତ୍ରା ମାହାନା ପ୍ରମୁଖ ସ୍କୁଲ୍ ଫାଟକରେ ତାଲା ପକାଇ ରାସ୍ତାରେ ଧାରଣାରେ ବସିଥିଲେ। ଖବର ପାଇ ଏବିଇଓ ଯଜ୍ଞେଶ୍ବର ଜେନା ଓ ସିଆର୍ସିସି ଜୟନ୍ତୀ ପାତ୍ର ଧାରଣା ସ୍ଥଳରେ ପହଞ୍ଚି ବିଜ୍ଞାନ ଶିକ୍ଷକ ଶ୍ରୀ କାମିଳାଙ୍କୁ ସ୍କୁଲ୍ରେ ପୁନଃ ଅବସ୍ଥାପିତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରାନଗଲେ ପୁଣି ସ୍କୁଲ୍ରେ ତାଲା ପକାଇ ଧାରଣା ଦିଆଯିବ ବୋଲି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଚେତାବନୀ ଦେଇଛନ୍ତି।